ଶ୍ରୀନଗର : ଏଲ୍‌ଓସିରେ ଲଗାତାର ଗୁଳିବର୍ଷା ଜାରି ରଖିଥିବା ପାକ୍‌ ସେନା କାଲି ଗୋଟିଏ ଦିନ ଏଥିରୁ ବିରତ ହୋଇଥିଲା। କିନ୍ତୁ ଆଜି ପୁଣିଥରେ ଏହା ନିଜର ପୂର୍ବ ପ୍ରକୃତିକୁ ଦୋହାରାଇ ଆଜି ପ୍ରବଳ ଗୁଳିଗୋଳା ମାଡ଼ କରିଛି। ଅନ୍ୟପକ୍ଷରେ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଉତ୍ତେଜନା ବଢ଼ୁଥିବାରୁ ଉଭୟପଟେ ସେନା ମୁତୟନ ବଢ଼ିଛି। ଅଖନୁର ସେକ୍ଟରରେ ଆଜି ପାକ୍ ସେନା ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସୀମା ନିକଟସ୍ଥ ଆଗୁଆ ଘାଟି ଏବଂ ଜନବସତି ଅଞ୍ଚଳଗୁଡ଼ିକୁ ଟାର୍ଗେଟ୍‌ କରି ପାକ୍‌ ସେନା ପ୍ରବଳ ଗୁଳିଗୋଳା ମାଡ଼ କରୁଛି। ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଉଛି। ତେବେ ପାକ୍ ସେନା ଗୁଳିମାଡ଼ରେ ଆଜି କେହି ମୃତାହତ ହୋଇନଥିବା ଖବର ମିଳିଛି। ଅ ଜମ୍ମୁ କଶ୍ମୀରର ସାମ୍ବା ଜିଲ୍ଲା ନିକଟସ୍ଥ ଅନ୍ତର୍ଜାତୀୟ ସୀମା ନିକଟରୁ ଆଜି ଏକ ଜୀବନ୍ତ ମୋାର୍ଟାର ମିଳିଛି। ପାକିସ୍ତାନ ପଟୁ ଏହି ମୋର୍ଟାର ଆସିଥିବା ଜଣାପଡ଼ିଛି। ଉଲ୍ଲେଖ‌ଯୋଗ୍ୟ ବାୟୁସେନାର ବିମାନ ଆକ୍ରମଣ ପରଠାରୁ ପାକ୍‌ ସେନା ଲଗାତାର ଅସ୍ତ୍ରବିରତି ଉଲ୍ଳଂଘନ କରି ପ୍ରବଳ ଗୁଳିବର୍ଷା କରୁଛି। ଗତ ଶୁକ୍ରବାର ମଧ୍ୟ ପାକ୍‌‌ ସେନାର ମୋର୍ଟାର ମାଡ଼ରେ ଜଣେ ମହିଳା ଏବଂ ତାଙ୍କର ୨ ଶିଶୁ ପ୍ରାଣ ହରାଇଥିଲେ।