ଗୁଜରାଟର ଉଦ୍ୟାନରେ ରହସ୍ୟମୟ ମନୋଲିଥ୍‌

ଅହମଦାବାଦ : ଗତ ନଭେମ୍ବର ମାସରୁ ପୃଥିବୀର ବିଭିନ୍ନ ସ୍ଥାନରେ ଦେଖା ଦେଇ ଅନ୍ତର୍ଦ୍ଧାନ ହୋଇଯାଇଥିବା ମନୋଲିଥ୍‌(ଏକ ପ୍ରକାର ପ୍ରିଜମ୍‌ ଆକାରର ଖମ୍ବ) ଏବେ ଗୁଜରାଟର ଅହମଦାବାଦ ସହରସ୍ଥିତ ଏକ ଉଦ୍ୟାନରେ ଆବିଷ୍କୃତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଭାରତରେ ପ୍ରଥମ ଥର ପାଇଁ ଏଭଳି ଉଜ୍ବଳ ଇସ୍ପାତ ଫର୍ଦ୍ଦରେ ନିର୍ମିତ ରହସ୍ୟମୟ ମନୋଲିଥ୍‌ ଦେଖାଦେଇଛି। ଗୁରୁବାର ସକାଳେ ସହରର ଏସ୍‌ଜି ରାଜପଥ କଡ଼ସ୍ଥିତ ଉକ୍ତ ପାର୍କରେ ହଠାତ୍‌ ଦେଖିବାକୁ ମିଳିଥିବା ଏହି ୭ ଫୁଟ ଉଚ୍ଚର ତ୍ରିଭୁଜକାର ମନୋଲିଥ୍‌ ଏବେ ସହରବାସୀଙ୍କ ପାଇଁ ଆଶୁ ମନୋରଞ୍ଜନ ଓ ଆଲୋଚନାର ବିଷୟ ପାଲଟିଯାଇଛି।

ନିକଟରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ଦ୍ବାରା ଉଦ୍‌ଘାଟିତ ଏହି ଆକର୍ଷଣୀୟ ଉଦ୍ୟାନଟି ଯୁଗ୍ମ ଭାବେ ଅହମଦାବାଦ ମହାନଗର ନିଗମ ଓ ଏକ ଘରୋଇ ସଂସ୍ଥା ଦ୍ବାରା ପରିଚାଳିତ ହେଉଛି। ସ୍ଥାନୀୟ ଥାଲତେଜ ଇଲାକାର ଗୁରୁଦ୍ବାର ନିକଟରେ ଅବସ୍ଥିତ ଏହି ଉଦ୍ୟାନରେ ସଂପୃକ୍ତ ଘରୋଇ ସଂସ୍ଥା ଦ୍ବାରା ଏହି ମନୋଲିଥ୍‌ଟିକୁ ଦର୍ଶକମାନଙ୍କ ପାଇଁ ବସାଯାଇଥିବା ଜଣାଯାଇଛି। ଏହାର ମସୃଣ ଚଟାଣରେ ଲୋକେ ନିଜର ପ୍ରତିଛବି ଦେଖି ସେଲଫି ଉଠାଇବାର ମଜା ନେଉଛନ୍ତି। ଏବେ ବହୁ ସଂଖ୍ୟାରେ ଦର୍ଶକ ଏହି ମନୋଲିଥ୍‌ ଆଗରେ ରୁଣ୍ଡ ହେଉଥିବା ଦେଖିବାକୁ ମିଳିଛି। କିଛି ଦିନ ତଳେ ଆମେରିକାର ଉଟାହ ମରୁଭୂମିର ଏକ ଅପନ୍ତରା ସ୍ଥାନରେ ଏପରି ଏକ ମନୋଲିଥ୍‌ ଅଳ୍ପ କିଛି ଦିନ ପାଇଁ ଦେଖାଦେଇଥିଲା।

ସମ୍ବନ୍ଧିତ ଖବର