ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍‌ ରାଜ୍ୟ ମାନ୍ୟତା ପ୍ରଦାନ କରାଯାଉ:ପିନାକୀ

ନୂଆଦିଲ୍ଲୀ: ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍‌ ରାଜ୍ୟର ମାନ୍ୟତା ପ୍ରଦାନ କରାଯାଉ। ସୋମବାର ଲୋକସଭାରେ ଖର୍ଚ୍ଚ ଦାବି ଆଲୋଚନା‌ରେ ଭାଗ ନେବା ଅବସରରେ ଏହି ଦାବି କରିଛନ୍ତି ବିଜେଡିର ଲୋକସଭା ନେତା ପିନାକୀ ମିଶ୍ର। ରାଜ୍ୟ ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ସ୍ବତନ୍ତ୍ର ଫୋକସ୍‌ ରାଜ୍ୟ ମାନ୍ୟତା ଦିଆଯାଉ ବୋଲି ଦାବି କରିବା ସହିତ ପୂର୍ବରୁ ଓଡ଼ିଶାର ଏହି ଦାବିକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ବିଭିନ୍ନ ମଞ୍ଚରେ ଉପସ୍ଥାପନ କରାଯାଇଥିବା ଶ୍ରୀ ମିଶ୍ର ସ୍ମରଣ କରାଇଥିଲେ।

ଆଲୋଚନା ଅବସରରେ ପିନାକୀ ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ ଅନ୍ତର୍ଗତ ରାଜ୍ୟମାନଙ୍କୁ ପାଣ୍ଠି ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ପଞ୍ଚଦଶ ଅର୍ଥ ଆୟୋଗ ଓଡ଼ିଶାକୁ ୨୦୨୨-୨୩ ଓ ୨୦୨୫-୨୬ ପାଇଁ ୧୭୭୫ କୋଟି ଟଙ୍କା ପ୍ରଦାନ ପାଇଁ ସୁପାରିସ କରିଥିଲେ। ଏଥିରୁ ୮୦୦ କୋଟି ଟଙ୍କା ବାତ୍ୟାପ୍ରବଣ ଜିଲ୍ଲାମାନଙ୍କରେ ଆଗୁଆ ସତର୍କତା ସୂଚନା ବ୍ୟବସ୍ଥା ସ୍ଥାପନ ପାଇଁ ରହିଥିଲା। ଅର୍ଥ ରାଶିକୁ ବର୍ତ୍ତମାନ ସୁଦ୍ଧା ରିଲିଜ କରାଯାଇନାହିଁ। ଏହି ଅର୍ଥ ରାଶିକୁ ଶୀଘ୍ର ପ୍ରଦାନ ପାଇଁ ସେ ଦାବି କରିଥିଲେ। କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅନ୍ତର୍ଗତ ରାଜ୍ୟକୁ କେତେ ଅର୍ଥ ଯୋଗାଇ ଦିଆଯିବ ସେ ନେଇ ଆଗୁଆ ସଂକେତ ଦେବା ଏବଂ ସିଙ୍ଗଲ୍‌ ୱିଣ୍ଡୋ ସିଷ୍ଟମ ବିକଶିତ କରିବା ପାଇଁ ପିନାକୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଆବଣ୍ଟନର ଆଗୁଆ ସୂଚନା ଦ୍ବାରା ରାଜ୍ୟ ତାହାର ବଜେଟ୍‌ ନିର୍ଦ୍ଧାରଣକୁ ନେଇ ପ୍ରସ୍ତୁତି କରିପାରିବ ବୋଲି ପିନାକୀ କହିଥିଲେ। ରାଜ୍ୟର ଦାବିଗୁଡ଼ିକ ଉପସ୍ଥାପନ କରିବା ମର୍ମରେ କେନ୍ଦ୍ର ସରକାର ୮ଟି କେନ୍ଦ୍ରୀୟ ଯୋଜନାକୁ ପୃଥକ୍‌ କରିଦେଇଥିବାରୁ ରାଜ୍ୟରେ ଅତ୍ୟଧିକ ଆର୍ଥିକ ସମସ୍ୟା ହେଉଥିବା ପିନାକୀ କହିଥିଲେ। ମାଓପ୍ରବଣ ରାଜ୍ୟମାନଙ୍କରେ ଏରିଆ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ପାଇଁ ବନ୍ଦ କରି ଦିଆଯାଇଥିବା କେନ୍ଦ୍ରୀୟ ସହାୟତାକୁ ପୁଣିଥରେ ଆରମ୍ଭ ପାଇଁ ସେ ଦାବି କରିଥିଲେ। ପିନାକୀ କହିଥିଲେ ଶକ୍ତି ସଂସ୍କାର କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇଥିବାବେଳେ ସମସ୍ତ ଏରିଆ ଡିଷ୍ଟ୍ରିବ୍ୟୁସନରେ ପିପିପି ମଡେଲ ଆପଣାଯାଉଛି। ହେଲେ ଓଡ଼ିଶା କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନା-ଆଇପିବିଏସ୍‌ ଓ ଦୀନଦୟାଲ ଇଲେକ୍ଟ୍ରିସିଟି ଯୋଜନାରୁ ବଂଚିତ ରହିଛି। ଏ ଦିଗରେ ପଦକ୍ଷେପ ନେବା ପାଇଁ ପିନାକୀ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧିତ ଖବର