ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପକ୍ଷରୁ ସପ୍ତରଙ୍ଗ ସମାରୋହ ଆୟୋଜନ

କାନବେରା : ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପକ୍ଷରୁ ଏହାର ଦଶମ ଦ୍ୱିବାର୍ଷିକ ଅଧିବେଶନ ‘ସପ୍ତରଙ୍ଗ-୨୦୨୩’ ମହାସମାରୋହରେ ଆୟୋଜନ କରାଯାଇଛି। ସମାବେଶରେ ଅଷ୍ଟ୍ରେଲିଆର ସମସ୍ତ ରାଜ୍ୟରୁ ଓଡ଼ିଆମାନେ ସେମାନଙ୍କର ପରିବାର ଓ ବନ୍ଧୁବାନ୍ଧବମାନଙ୍କ ସହିତ ଯୋଗ ଦେଇଥିଲେ। ଘର ବାହାରେ ଗୋଟିଏ ଘରେ ଏକଜୁଟ ହୋଇ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି, ଉତ୍ତୁଙ୍ଗ ଐତିହ୍ୟ ଏବଂ ସଶକ୍ତ ଭାତୃତ୍ବର ପରାକାଷ୍ଠାକୁ ପାଳନ କରିବାର ସ୍ମୃତି ନିଆରା ଏବଂ ଅବିସ୍ମରଣୀୟ ଥିଲା। ବିଶେଷକରି କରୋନାର ପ୍ରାଦୁର୍ଭାବ ଯୋଗୁଁ ଦୀର୍ଘ ପାଞ୍ଚ ବର୍ଷର ବ୍ୟବଧାନରେ ଏହି ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିବାରୁ ଅଂଶ ଗ୍ରହଣକାରୀ ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ, ଅଜସ୍ର ଉତ୍ସାହ ଏବଂ ଅଫୁରନ୍ତ ଉଦ୍ଦୀପନା ପରିଲକ୍ଷିତ ହୋଇଥିଲା।

ସପ୍ତରଙ୍ଗ-୨୦୨୩କୁ ଭାରତୀୟ ହାଇକମିସନର ପ୍ରତିନିଧି ନରେନ୍ଦ୍ର ରଣା ଏବଂ ଫିନାକ୍ଟର ସଭାପତି ଶାନ୍ତି ରେଡ୍ଡୀ ଉଦଘାଟନ କରିଥିଲେ। ଏହାପରେ ଓରିଓଜର ନବନିର୍ବାଚିତ ସଭାପତି ଡଃ ମନୋଜ ନାୟକ ଏବଂ ନୂଆ କାର୍ଯ୍ୟକାରୀ କମିଟି, ବିଦାୟୀ ସଭାପତି ଡଃ ନଳିନୀ ପତି ଓ ତାଙ୍କ ଟିମଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ବୈଠକକୁ ସମ୍ବୋଧନ କରି ଡଃ ପତି ତାଙ୍କର ତିନି ବର୍ଷର କାର୍ଯ୍ୟକାଳ ମଧ୍ୟରେ ସମଗ୍ର ଓରିଓଜ ପରିବାର ପକ୍ଷରୁ ଯେଭଳି ସ୍ନେହ, ଶ୍ରଦ୍ଧା, ସଦିଚ୍ଛା ଓ ସହଯୋଗ ଲାଭ କରିଛନ୍ତି, ସେଥିପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ମହାମାରୀର ପ୍ରକୋପ ସତ୍ତ୍ୱେ ତାଙ୍କର କମିଟି ଓରିଓଜକୁ ଆନ୍ତର୍ଜାତିକ ସ୍ୱୀକୃତି ପ୍ରଦାନ କରିବା ସହିତ ମାତୃପ୍ରଦେଶ ଓଡ଼ିଶାରେ ମଧ୍ୟ ସୁଖ୍ୟାତି ଲାଭ କରାଇପାରିଥିବା ଡଃ ପତି ପ୍ରକାଶ କରିଥିଲେ।

ସଭାରେ ଅଭିଭାଷଣ ପ୍ରଦାନ କରି ଓରିଓଜର ସଭାପତି ଡଃ ମନୋଜ ନାୟକ ସପ୍ତରଙ୍ଗର ଅଭୂତପୂର୍ବ ସଫଳତା ପାଇଁ ସନ୍ତୋଷ ବ୍ୟକ୍ତ କରିଥିଲେ। ବିସ୍ତୃତ ଭୌଗୋଳିକ ଇଲାକାରେ ପରିବ୍ୟାପ୍ତ ସମଗ୍ର ଅଷ୍ଟ୍ରେଲିଆ ମହାଦେଶର ଓଡ଼ିଆ ସମ୍ପ୍ରଦାୟଙ୍କ ମଧ୍ୟରେ ଏକ ମନ, ଏକ ପ୍ରାଣ ଏବଂ ଏକନିଷ୍ଠ ଭାବନା ଜାଗ୍ରତ କରାଇବା ତଥା ଏକ ବୃହତ୍ ପରିବାର ଭଳି ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ପାରିବା ଦ୍ୱାରା ଏହି ମିଳନ ପର୍ବର ଅସଲ ଉଦ୍ଦେଶ୍ୟ ସାଧନ ହୋଇଥିବା ସେ ଉଲ୍ଲେଖ କରିଥିଲେ। ସବୁଠୁ ପ୍ରମୁଖ ବିଷୟ ହେଲା ଯେ ଆମର ବାଳୁତ ଓ ଯୁବ ସଦସ୍ୟମାନେ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରିବାରେ ଯେଉଁ ଭଳି ଭାବରେ ଅହେତୁକ ଆଗ୍ରହ ଓ ଅତୁଳନୀୟ ଆବେଗ ଦେଖାଇଲେ ତାହା ଦର୍ଶନୀୟ ବିଷୟବସ୍ତୁ ଥିଲା ବୋଲି ଡଃ ନାୟକ କହିଥିଲେ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅସୀମ କୃପା ଫଳରେ କାନବେରାର ଟିମ ଅସମ୍ଭବକୁ ସମ୍ଭବ କରି ଦେଖାଇ ପାରିଥିବା ସେ ସୂଚାଇଥିଲେ। ସମ୍ମିଳନୀର ସଫଳତା ପାଇଁ ଡଃ ନାୟକ ପ୍ରତ୍ୟେକ ରାଜ୍ୟର କର୍ମକର୍ତ୍ତା, ସାଂସ୍କୃତିକ ମୁଖ୍ୟ ଏବଂ ପୂର୍ବତନ ତଥା ବର୍ତ୍ତମାନର କାର୍ଯ୍ୟକାରୀ କମିଟିର ସଦସ୍ୟଗଣଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ଏହି ଅବସରରେ ଓରିଓଜର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରିବା ନେଇ ଫଳପ୍ରସୂ ଯୋଗଦାନ ପାଇଁ ସଂସ୍ଥାର ବରିଷ୍ଠ ସଦସ୍ୟ ଚାରୁ ଚନ୍ଦ୍ର ମିଶ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ରଥମ ଥର ପାଇଁ ଓଡ଼ିଶାର ଐତିହ୍ୟ ଓ ଇତିହାସକୁ ଆଧାର କରି ପରିକଳ୍ପନା କରାଯାଇଥିବା କୁଇଜ୍ ପ୍ରତିଯୋଗିତାକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ। ସେହିପରି ଓରିଓଜର ଯୁବ ବାହିନୀ ଦ୍ୱାରା ଚଳାଯାଇଥିବା ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅଂଶଗ୍ରହଣକାରୀମାନଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିଲା।

ସପ୍ତରଙ୍ଗ-୨୦୨୩ର ପ୍ରଧାନ ଆକର୍ଷଣ ବିବିଧ ରଙ୍ଗାରଙ୍ଗ ସାଂସ୍କୃତିକ ସଂରଚନା ଥିଲା। ଏ ମଧ୍ୟରେ ଭିନ୍ନ ଭିନ୍ନ ସ୍ୱାଦର ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତ ବୟସର କଳାକାରମାନଙ୍କୁ ନେଇ ପରିବେଷିତ ୫୫ଟି ମନୋରଞ୍ଜକ ପ୍ରସ୍ତୁତି ଅନ୍ତର୍ଭୁକ୍ତ ଥିଲା। ପିଲାମାନଙ୍କ ଦ୍ୱାରା ମଞ୍ଚ ଉପରେ ପ୍ରଦର୍ଶିତ ଶ୍ରେଷ୍ଠ ସୃଜନଶୀଳ କଳା ଚାତୁର୍ଯ୍ୟର ଅନୁଭବ ଖୁବ ରୋମାଞ୍ଚକ ଓ ଉପଭୋଗ୍ୟ ଥିଲା। ବିଭିନ୍ନ ପ୍ରଦେଶର ସାଂସ୍କୃତିକ ମୁଖ୍ୟମାନେ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ। ଓଡ଼ିଶାରୁ ଆସିଥିବା ପରିଣତ ବୟସର ମାତାପିତା ଓ ପରିବାର ସଦସ୍ୟମାନେ ସମ୍ମିଳନୀର ବିଭିନ୍ନ ଉପସ୍ଥାପନାରେ ଭାଗ ନେବା ସାଙ୍ଗକୁ ପୂରା ଆସର କାଳରେ ଖୁବ୍ ଉତ୍ସାହିତ ଥିବା ନଜର କରାଯାଇଥିଲା। ତିନି ଦିନର ମହା ଅଧିବେଶନ ମଧ୍ୟରେ ଆଗନ୍ତୁକ ପ୍ରତିନିଧିମାନଙ୍କୁ ନାନା କିସମର ପାରମ୍ପରିକ ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନରେ ଆପ୍ୟାୟିତ କରାଯାଇଥିଲା।

ସମ୍ବନ୍ଧିତ ଖବର