ଟିକାକରଣକୁ ନେଇ ରାଜନୀତି ତେଜିଲା

ଜୁଲାଇ ଚାଲିଗଲା, ଟିକା ଅଭାବ ଗଲାନାହିଁ: ରାହୁଲ

ନୂଆଦିଲ୍ଲୀ: କୋଭିଡ୍‌ ଟିକା ଯୋଗାଣକୁ ନେଇ ଲଗାତାର କେନ୍ଦ୍ର ସରକାରକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଟାର୍ଗେଟ୍‌ କରି ଆସୁଥିବା ବେଳେ ଏହାର ଜବାବ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା। ରାହୁଲ ଆଜି ସକାଳେ ହିନ୍ଦୀରେ ଟ୍ବିଟ୍‌ କରି କହିଥିଲେ ଯେ ଜୁଲାଇ ଚାଲିଗଲା, କିନ୍ତୁ ଟିକା ଅଭାବ ଗଲା ନାହିଁ। ଏହା ସହିତ ଟିକା ଯୋଗାଣକୁ ନେଇ ଉପୁଜୁଥିବା ସମସ୍ୟା ସଂକ୍ରାନ୍ତରେ ଏକ ଭିଡିଓ ମଧ୍ୟ ରାହୁଲ ପୋଷ୍ଟ୍‌ କରିଥିଲେ। ଏହାର ଜବାବରେ ମଣ୍ଡାଭିୟା କହିଛନ୍ତି ଯେ କେବଳ ଜୁଲାଇରେ ୧୩ କୋଟି ଟିକା ଦିଆଯାଇଛି।

ଶୁଣିବାକୁ ମିଳୁଛି, ଆପଣ ବି ନେଇ ସାରିଲେଣି: ସ୍ବାସ୍ଥ୍ୟମନ୍ତ୍ରୀ

ଆଗାମୀ ଦିନରେ ଟିକାକରଣ ପ୍ରକ୍ରିୟା ଆହୁରି ବ୍ୟାପକ ଓ ତ୍ବରାନ୍ବିତ ହେବ। ଏହି ସଫଳତା ପାଇଁ ସ୍ବାସ୍ଥ୍ୟକର୍ମୀଙ୍କ ଅବଦାନ ନିମନ୍ତେ ଆମେ ଗର୍ବିତ ବୋଲି ମଣ୍ଡାଭିୟା କହିବା ସହ ଏଥିପାଇଁ ଆପଣ (ରାହୁଲ ଗାନ୍ଧି) ମଧ୍ୟ ଦେଶର ସଫଳତା ନିମନ୍ତେ ଗର୍ବ ଅନୁଭବ କରବା ଉଚିତ ବୋଲି କହିଛନ୍ତି। ଆଉ ଏକ ଟ୍ବିଟ୍‌ କରି ମଣ୍ଡାଭିୟା କହିଛନ୍ତି ଯେ ଶୁଣିବାକୁ ମିଳୁଛି ଯେଉଁ ୧୩ କୋଟି ଲୋକ ଜୁଲାଇରେ ଟିକା ନେଇଛନ୍ତି ସେମାନଙ୍କ ମଧ୍ୟରେ ଆପଣ ବି ଜଣେ। କିନ୍ତୁ ଆପଣ ଆମ ବୈଜ୍ଞାନିକଙ୍କ ପାଇଁ ଗୋଟିଏ ଶବ୍ଦ କହୁନାହାନ୍ତି କି ଟିକାକରଣକୁ ପ୍ରୋତ୍ସାହନ ଦେବାପାଇଁ ଲୋକଙ୍କୁ ମଧ୍ୟ ନିବେଦନ କରୁନାହାନ୍ତି। ଆପଣ ଟିକାକରଣ ନାମରେ ଶସ୍ତା ରାଜନୀତି କରୁଛନ୍ତି। ପ୍ରକୃତରେ ଟିକା ନୁହେଁ ଆପଣଙ୍କଠାରେ ପରିପକ୍ବତାର ଅଭାବ ରହିଛି ବୋଲି ମଣ୍ଡାଭିୟା କହିଛନ୍ତି।

ସମ୍ବନ୍ଧିତ ଖବର