କଏଦୀ ନମ୍ବର ୧୩୦:ସକାଳ ୫ଟାରୁ ଉଠିପଡ଼ିଥିଲେ

ଯୋଧପୁର : ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ଆତ୍ମଘୋଷିତ ଭଗବାନ ଅଶାରାମଙ୍କ ପରିଚୟ ବଦଳି ଯାଇଛି। ଏବେ ତାଙ୍କୁ ନୂଆ ସେଲ୍‌ରେ କଏଦୀ ନମ୍ବର ୧୩୦ହୋଇ ଜୀବନ କାଟିବାକୁ ପଡ଼ିବ। ବର୍ତ୍ତମାନ ତାଙ୍କୁ ପୁରୁଣା ବ୍ୟାରେକ ନଂ୨ ରେ ରଖାଯାଇଥିବା ବେଳେ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପରିବର୍ତ୍ତନ କରାଯିବ ବୋଲି ଜେଲ ଡିଆଇଜି ବିକ୍ରମ ସିଂହ କହିଛନ୍ତି। ଆଜିଠାରୁ ଆଶାରାମଙ୍କୁ ଆଉ ଆଶ୍ରମ ଖାଇବା ମିଳିବ ନାହିଁ। ଏହାପୂର୍ବରୁ ଜେଲ ପରିସରରେ ଆଶାରାମଙ୍କ ନିକଟକୁ ଆସୁଥିବା ଭକ୍ତ ଆଣୁଥିବା ଫଳମୂଳ ଓ ଖାଦ୍ୟକୁ ପ୍ରସାଦଭାବେ ବଣ୍ଟା ଯାଉଥିଲା। ଏବେ ଆଶାରାମ ଜେଲ ପୋଷାକ ପିନ୍ଧିବା ସହ ଜେଲ୍‌ରେ କାମ ମଧ୍ୟ କରିବାକୁ ପଡ଼ିବ। ଆଶାରାମଙ୍କ ସମର୍ଥକ ସବୁବେଳେ କୌଣସି ନା କୌଣସି ମାମଲାରେ ଗିରଫ ହୋଇ ଜେଲକୁ ଆସିବା ପରେ ଏଠାରେ ନିଜର ଦାଦାଗିରି ଦେଖାଉଥିଲେ ବୋଲି ଜଣେ ଜେଲ କର୍ମଚାରୀ କହିଛନ୍ତି। ଆଶାରାମଙ୍କ ଏହି ଭକ୍ତ କଏଦୀମାନେ ଅନ୍ୟ କଏଦୀଙ୍କୁ ମାରପିଟ୍‌ କରୁଥିବା ନେଇ ଅନେକ ନଜିର ରହିଛି।

ଯୋଧପୁର: ଆଜି ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇବାକୁ ଥିବା ବେଳେ ଆଶାରାମ ମଧ୍ୟ ଏଥିରୁ ମୁକୁଳିବା ନେଇ ଅନେକ ଆଶା କରିଥିଲେ। ଜେଲ ପରିସରରୁ ମିଳିଥିବା ଖବର ମୁତାବକ, ସକାଳ ୫ଟା ବେଳକୁ ସେ ଉଠିଯାଇଥିଲେ। ଗାଧୋଇ-ପାଧୋଇ ସବୁଦିନ ପରି ପୂଜା ପଦ୍ଧତିରେ ଲାଗି ଯାଇଥିଲେ। ସକାଳ ୭ଟା ବେଳକୁ ତାଙ୍କ ଘରୁ ଆସିଥିବା ଖାଦ୍ୟ ଖାଇ ରାୟ ଶୁଣିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ। ଜେଲ ପରିସରରେ ସ୍ୱତନ୍ତ୍ର କୋର୍ଟର ବିଚାରପତି ଆସି ପହଞ୍ଚିବା ପରେ ମଧ୍ୟ ଆଶାରାମ ତାଙ୍କ କୋଠରୀରୁ ବାହାରିନଥିଲେ। ସେ କହିଥିଲେ ଯେ, ତାଙ୍କୁ ଧ୍ୟାନ କରିବାକୁ ୧୫ ମିନିଟ ସମୟ ଦିଆଯାଉ। ଏହାପରେ ସେ କୋର୍ଟକୁ ଯାଇ ଶାନ୍ତ ହୋଇ ଛିଡ଼ା ହୋଇଥିଲେ।

ସମ୍ବନ୍ଧିତ ଖବର