ଏକ୍ସପ୍ରେସର ପ୍ରଥମ ଏସି କୋଚରେ ଥିବା ସୁଟକେସକୁ କାଟିଲା ମୂଷା: କ୍ଷତି ପୁରଣ ଦାବି କରିଛନ୍ତି ଯାତ୍ରୀ

ନୂଆଦିଲ୍ଲୀ: ଜ୍ଞାନେଶ୍ବରୀ ଏକ୍ସପ୍ରେସର ପ୍ରଥମ ଏସି କୋଚରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ସୁଟକେସକୁ ମୂଷାମାନେ କାଟି ପକାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ କ୍ଷତି ପୁରଣ ଦାବି କରିଛନ୍ତି।

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି। ଏହି ଭାଇରାଲ ପୋଷ୍ଟରେ କୋଲକାତା ଏବଂ ମୁମ୍ବାଇକୁ ସଂଯୋଗ କରୁଥିବା ଟ୍ରେନର ଏ୧ କ୍ୟାବିନରେ ଦୁଇଟି କ୍ଷତିଗ୍ରସ୍ତ ସୁଟକେସ ଥିବା ଦେଖିବାକୁ ମିଳୁଛି।

ଜଣେ ଯାତ୍ରୀ ଏହି ପୋଷ୍ଟକୁ ସେୟାର କରିଛନ୍ତି । ଯେଉଁଥିରେ ଲାଲ ଏବଂ ନୀଳ ରଙ୍ଗର ଦୁଇଟି ସୁଟକେସ୍ ଥିବା ଦେଖିବାକୁ ମିଳୁଛି। ଏହି ପୋଷ୍ଟର କ୍ୟାପସନରେ ଲେଖା ଅଛି, ‘ମଇ ୧୯ ତାରିଖରେ ଟ୍ରେନ୍ ୧୨୧୦୨ କୋଚ୍ ଏଚ୧ ସିଟ୍ ଏ-୨ ଯାତ୍ରା ଆରମ୍ଭ କରିଛି। ପିଏନଆର ୬୫୩୫୦୮୭୦୪୨। ମୂଷା ଦ୍ୱାରା କ୍ଷତିଗ୍ରସ୍ତ ସୁଟକେସ୍।  ମୁଁ ଅଭିଯୋଗ କରିବାକୁ ଅଧ ଘଣ୍ଟା ହେଲା ଚେଷ୍ଟା କରୁଛି।

ଯାତ୍ରୀଙ୍କ ଏହି ପୋଷ୍ଟ ପରେ ରେଳ ସେବାର ସରକାରୀ ହ୍ୟାଣ୍ଡେଲ ପ୍ରତିକ୍ରିୟା ଦେଇ କହିଛନ୍ତି “ଆମେ ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଚିନ୍ତିତ ଏବଂ ଯଥାଶୀଘ୍ର ସାହାଯ୍ୟ କରିବାକୁ ଚାହୁଁଛୁ। ଆମକୁ ଆପଣଙ୍କର ମୋବାଇଲ୍ ନମ୍ବର ଆବଶ୍ୟକ । ଆପଣ ଆପଣଙ୍କ ସମସ୍ୟାକୁ ସିଧାସଳଖ railmadad.indianrailways.gov.in ରେ ପଞ୍ଜୀକୃତ କରିପାରିବେ କିମ୍ବା ଶୀଘ୍ର ସମାଧାନ ପାଇଁ ୧୩୯କୁ କଲ ବି କରି ପାରିବେ।

 

ଏହା ପ୍ରଥମ ଘଟଣା ନୁ‌ହେଁ। ମାର୍ଚ୍ଚରେ ଭୁବନେଶ୍ୱର-ଜୁନାଗଢ଼ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ମହିଳା ଏସି କମ୍ପାର୍ଟମେଣ୍ଟ ଭିତରେ ଏକ ମୂଷା ଥିବା ଦେଖିବାକୁ ପାଇଥିଲେ। ଗତ ବର୍ଷ ଅକ୍ଟୋବରରେ ମଡ଼ଗ୍ରାମ ଏକ୍ସପ୍ରେସର ପ୍ୟାଣ୍ଟ୍ରି କାର ଭିତରେ ଖାଦ୍ୟ ସାମଗ୍ରୀ ଉପରେ ମୂଷାମାନେ ମୁକ୍ତ ଭାବରେ ଚାଲୁଥିବାର ଦେଖିବ‌ାକୁ ମିଳିଥିଲା।

ସମ୍ବନ୍ଧିତ ଖବର