ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଜାରି କରିବାକୁ ପ୍ରସ୍ତୁତ: ସୁପ୍ରିମ୍‌ କୋର୍ଟଙ୍କୁ କହିଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଜାତୀୟ ରାଜଧାନୀ ଅଞ୍ଚଳରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରି କରିବାକୁ ପ୍ରସ୍ତୁତ ଥିବା କଥା ଆଜି ଦିଲ୍ଲୀ ସରକାର ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି।

ଦିଲ୍ଲୀ ସରକାର ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ପଡ଼ୋଶୀ ରାଜ୍ୟମାନଙ୍କରେ ଥିବା ଜାତୀୟ ରାଜଧାନୀ ଅଞ୍ଚଳରେ ଲକ୍‌ଡାଉନ୍‌ ଜାରି ହୁଅନ୍ତା, ତେବେ ଉପରୋକ୍ତ ପଦକ୍ଷେପ ସଫଳ ହୁଅନ୍ତା।

ଏ ସମ୍ବନ୍ଧୀୟ ସତ୍ୟପାଠ ଦାଖଲ କରି ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନେତୃତ୍ବାଧୀନ ସରକାର କହିଛି, ସ୍ଥାନୀୟ ନିର୍ଗମନ ନିୟନ୍ତ୍ରଣ କରିବାକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଭଳି ପଦକ୍ଷେପ ଗ୍ରହଣ କରିବା ପାଇଁ  ‘ଜିଏନ୍‌ସିଟିଡି’ ପ୍ରସ୍ତୁତ। ଆଖପାଖ ରାଜ୍ୟରେ ଥିବା ଜାତୀୟ ରାଜଧାନୀ ଅଞ୍ଚଳରେ ମଧ୍ୟ ଲକ୍‌ଡାଉନ୍‌ ଜାରି କରାଗଲେ ଏ ଭଳି ପଦକ୍ଷେପ ତାତ୍ପର୍ଯ୍ୟପୂର୍ଣ୍ଣ ହୁଅନ୍ତା। କେବଳ ଦିଲ୍ଲୀରେ ଲକ୍‌ଡାଉନ୍‌ ଘୋଷଣା କରାଗଲେ ବାୟୁ ଗୁଣବତ୍ତା ସୁଧାର ଉପରେ ସୀମିତ ପ୍ରଭାବ ପଡ଼ିବ।

Image Courtesy of Mint

ସମସ୍ୟା ସମାଧାନ ପାଇଁ ଜାତୀୟ ରାଜଧାନୀ ଅଞ୍ଚଳକୁ ବାୟୁ ପ୍ରବାହ ହେଉଥିବା ସ୍ତର ବା ଅଞ୍ଚଳରେ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଦିଲ୍ଲୀ ସରକାର କହିଛନ୍ତି।

ଏହା ବ୍ୟତିରେକେ, ଦିଲ୍ଲୀ ସରକାର ଏଯାବତ୍‌ ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକର ତାଲିକା ମଧ୍ୟ ଅଦାଲତକୁ ପଠାଯାଇଛି। ସେ ସବୁ ହେଲା, ସପ୍ତାହକ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିବ ଏବଂ ସରକାରୀ ଓ ବେସରକାରୀ ଅଫିସର କର୍ମଚାରୀମାନଙ୍କୁ ଘରୁ ଥାଇ କାମ କରିବା ଲାଗି ଅନୁମତି ‌ଦିଆଯିବ। ନଭେମ୍ବର ୧୭ ପର୍ଯ୍ୟନ୍ତ ସବୁ ପ୍ରକାର ନିର୍ମାଣ ଓ ଭଙ୍ଗାଭଙ୍ଗୀ କାର୍ଯ୍ୟ ସ୍ଥଗିତ ରଖାଯିବ।

Image Courtesy of Zee News

ସରକାର ଦୁଇ ଦିନ ଲକ୍‌ଡାଉନ୍‌ ଘୋଷଣା କରିବା ଉଚିତ ବୋଲି ଦିଲ୍ଲୀରେ ବାୟୁ ପ୍ରଦୂଷଣ ପରିସ୍ଥିତି ‘ଖୁବ୍‌ ସାଙ୍ଘାତିକ’ ଦର୍ଶାଇ ନଭେମ୍ବର ୧୩ ତାରିଖ ଦିନ ସୁପ୍ରିମ୍‌ କୋର୍ଟ କହିଥିଲେ। ଏହାଛଡ଼ା, ବାୟୁ ଗୁଣବତ୍ତା ସୁଧାରିବା ନିମନ୍ତେ ଗ୍ରହଣ କରାଯାଇଥିବା ଜରୁରୀକାଳୀନ ପଦ‌କ୍ଷେପ ସଂକ୍ରାନ୍ତରେ ସୋମବାର ଦିନ ଅଦାଲତଙ୍କୁ ସୂଚନା ଦେବାକୁ ଅଦାଲତ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର