ତାଜମହଲର ସଂରକ୍ଷଣ ପାଇଁ ଆନ୍ତର୍ଜାତିକ ବିଶେଷଜ୍ଞଙ୍କର ପରାମର୍ଶ ନିଅ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ପ୍ରଦୂଷଣ ମାତ୍ରା ବଢ଼ିବା ଯୋଗୁଁ ତାଜମହଲ ବାଦାମୀ ଓ ଶାଗୁଆ ପଡ଼ି ଯାଉଥିବା ଦେଖି ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମ୍‌ କୋର୍ଟ। ଏହାକୁ ସୁରକ୍ଷିତ ରଖିବାରେ କର୍ତ୍ତୃପକ୍ଷମାନଙ୍କ ବିଫଳତା ଦେଖି ସର୍ବୋଚ୍ଚ ଅଦାଲତ କ୍ଷୋଭ ପ୍ରକାଶ କରିବା ସହ ମଙ୍ଗଳବାର ଦିନ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କୁ କହିଛନ୍ତି କି, ଶଙ୍ଖମର୍ମର ସ୍ମାରକୀକୁ ସଂରକ୍ଷିତ କରି ରଖିବା ନିମନ୍ତେ ଆନ୍ତର୍ଜାତିକ ବିଶେଷଜ୍ଞମାନଙ୍କୁ ଡକାଅ।

ଜଷ୍ଟିସ୍‌ ମଦନ ବି ଲୋକୁର ଏବଂ ଦୀପକ ଗୁପ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଜମହଲର ସଦ୍ୟତମ ଫଟୋ ଦେଖି କ୍ଷୋଭ ପ୍ରକାଶ କରିଥିଲେ। ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏହାର ଚିର ଶୁଭ୍ର ଶଙ୍ଖମର୍ମର ରଙ୍ଗ ବଦଳାଉଛି। ଏହି ଐତିହାସିକ ସ୍ମାରକୀର ସଂରକ୍ଷଣ ପାଇଁ ଦେଶ ଓ ବିଦେଶର ଖ୍ୟାତିସମ୍ପନ୍ନ ବିଶେଷଜ୍ଞମାନଙ୍କର ପରାମର୍ଶ ନେବାକୁ ଖଣ୍ଡପୀଠ କର୍ତ୍ତୃପକ୍ଷମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି: ପୂର୍ବରୁ ଏହା ହଳଦିଆ ପଡ଼ିଯାଉଥିଲା ଏବଂ ଏବେ ବାଦାମୀ ଓ ଶାଗୁଆ ପଡ଼ିଲାଣି। ବଡ଼ ସାଙ୍ଘାତିକ କଥା। ମନେହୁଏ ଆମେ ନିରୂପାୟ। ଏହାକୁ ରକ୍ଷା କରାଯିବା କଥା। ତାଜମହଲର କ୍ଷୟକ୍ଷତି ଆକଳନ ଏବଂ ସଂରକ୍ଷଣ କରିବାକୁ ବିଦେଶରୁ ବିଶେଷଜ୍ଞମାନଙ୍କ ସହାୟତା ନିଆଯାଇ ପାରିବ।

କେନ୍ଦ୍ର ତରଫରୁ ଆଡିସ୍‌ନାଲ ସଲିସିଟର୍‌ ଜେନେରାଲ୍‌ ଏଏନ୍‌ଏସ୍‌ ନାଦକର୍ଣ୍ଣି ହାଜର ହୋଇ ଖଣ୍ଡପୀଠଙ୍କୁ କହିଲେ, ସ୍ମାରକୀକୁ ସଂରକ୍ଷଣ କରିବା ଏବଂ ନିରାପଦ ରଖିବା ଏଏସ୍‌ଆଇର କର୍ତ୍ତବ୍ୟ। ଏହି ଐତିହ୍ୟର ସଂରକ୍ଷଣ ବାବଦରେ ପରାମର୍ଶ ଦେବାକୁ ଭାରତରେ ବହୁ ବିଶେଷଜ୍ଞ ଅଛନ୍ତି।
ତେବେ ଇଚ୍ଛା ଏବଂ ପାରଦର୍ଶୀତା ନ ଥିବା ଭଳି ମନେହେଉଛି ବୋଲି କହି ଖଣ୍ଡପୀଠ ତାଜ୍‌ର ସୌନ୍ଦର୍ଯ୍ୟ ଅକ୍ଷୁର୍ଣ୍ଣ ରଖିବାକୁ ଯୋଜନା କରିବାକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର