ଆବଶ୍ୟକ ଅନୁମତି ନେଇ ନଜ୍‌ରୁଲ୍‌ ଇସ୍‌ଲାମ୍‌ଙ୍କ ଗୀତର ସ୍ବର ପରିବର୍ତ୍ତନ କରିଛୁ: ‘ପିପ୍ପା’ ଚଳଚ୍ଚିତ୍ର ନିର୍ମାତା

ନୂଆଦିଲ୍ଲୀ: ଆବଶ୍ୟକ ରୂପାନ୍ତରଣ ସତ୍ବ ହାସଲ କରିବା ପରେ ‘କାରାର ଓଇ ଲୌହ କପାଟ’ ଗୀତର ସ୍ବର ପରିବର୍ତ୍ତନ କରାଯାଇଛି ବୋଲି ଆଜି ‘ପିପ୍ପା’ ଚଳଚ୍ଚିତ୍ରର ନିର୍ମାତାମାନେ ସ୍ପଷ୍ଟୀକରଣ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ବାଂଲାଦେଶର ଜାତୀୟ କବି କାଜି ନଜ୍‌ରୁଲ୍‌ ଇସ୍‌ଲାମ୍‌ଙ୍କଦ୍ବାରା ରଚିତ ଜନପ୍ରିୟ ଦେଶାତ୍ମବୋଧ ଗୀତ ‘କାରାର ଓଇ ଲୌହ କପାଟ’ ଗୀତର ସ୍ବରକୁ ‘ପିପ୍ପା’ ଚଳଚ୍ଚିତ୍ର ଲାଗି ସଙ୍ଗୀତ ନିର୍ଦେଶକ ଏ. ଆର୍‌. ରହମନ୍‌ ପରିବର୍ତ୍ତନ କରି ତୀବ୍ର ସମାଲୋଚନାର ସରବ୍ୟ ହୋଇଛନ୍ତି।

‘ପିପ୍ପା’ ଚଳଚ୍ଚିତ୍ରର ନିର୍ମାତାମାନେ କହିଛନ୍ତି, ଉକ୍ତ ଗୀତର ସ୍ବର-ରୂପାନ୍ତରଣ ହେଉଛି ‘ନିଷ୍ଠାପର କଳାତ୍ମକ ଗାୟନ’। ସ୍ବର୍ଗତ କବିଙ୍କ ‘ଇଷ୍ଟେଟ୍‌’ରୁ ଆବଶ୍ୟକ ରୂପାନ୍ତରଣ ସତ୍ବ ହାସଲ କରିବା ପରେ ତାହା କରାଯାଇଛି।

Image Courtesy of Times of India

ଉଲ୍ଲେଖଯୋଗ୍ୟ, ଇଶାନ୍‌ ଖଟ୍ଟର୍‌ ଓ ମୃଣାଳ ଠାକୁର ଅଭିନୟ କରିଥିବା ‘ପିପ୍ପା’ ଚଳଚ୍ଚିତ୍ର ନଭେମ୍ବର ୧୦ ତାରିଖ ଦିନ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ରିଲିଜ୍‌ ହୋଇଛି। ରାଜା କ୍ରିଷ୍ଣା ମେନନ୍‌ଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ର ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଘଟିଥିବା ବାସ୍ତବ ଘଟଣାବଳି ଉପରେ ଆଧାରିତ। ଏହି ଯୁଦ୍ଧ ଯୋଗୁଁ ବାଂଲାଦେଶ ପାକିସ୍ତାନଠାରୁ ସ୍ବାଧୀନ ହୋଇ ସ୍ବତନ୍ତ୍ର ରାଷ୍ଟ୍ର ଭାବେ ପରିଗଣିତ ହୋଇଥିଲା।

କବି ନଜ୍‌ରୁଲ୍‌ ଇସ୍‌ଲାମ୍‌ଙ୍କ ନାତି କାଜି ଅନିର୍ବାଣ ଅଭିଯୋଗ କରିଛନ୍ତି ଯେ, ଗୀତଟିକୁ ଉକ୍ତ ଚଳଚ୍ଚିତ୍ରରେ ବ୍ୟବହାର ନିମନ୍ତେ ତାଙ୍କ ମାଆ ସମ୍ମତି ପ୍ରଦାନ କରିଥିଲେ। କିନ୍ତୁ, ଗୀତର ସ୍ବର ଓ ତାଳରେ କ‌ୌଣସି ପରିବର୍ତ୍ତନ ଲାଗି ଅନୁମତି ଦେଇ ନ ଥିଲେ।

କିନ୍ତୁ, ଚଳଚ୍ଚିତ୍ର ନିର୍ମାତାମାନେ କହିଛନ୍ତି ଯେ, ଗୀତ ଗୃହୀତ କରିବା ଲାଗି କରାଯାଇଥିବା ‘ଲାଇସେନ୍‌ସ୍‌ ଏଗ୍ରିମେଣ୍ଟ୍‌’ ପ୍ରତି ସମ୍ମାନ ଦିଆଯାଇ ଏହାକୁ ସ୍ବରବଦ୍ଧ କରାଯାଇଛି। ଏହି ‘ଏଗ୍ରିମେଣ୍ଟ୍‌’ରେ ଶ୍ରୀମତୀ କଲ୍ୟାଣୀ କାଜି ସ୍ବାକ୍ଷର କରିଥିଲେ ଓ ସାକ୍ଷୀ ପଡ଼ିଥିଲେ ଶ୍ରୀଯୁକ୍ତ ଅନିର୍ବାଣ କାଜି।

ସମ୍ବନ୍ଧିତ ଖବର