ଶବ ଉଠାଇବାକୁ କେହି ରାଜି ନ ହେବାରୁ ନିଜେ ୨ କିଲୋମିଟର ଯାଏଁ ବୋହିନେଲେ ମହିଳା ସବଇନ୍ସପେକ୍ଟର

ଶ୍ରୀକାକୁଲମ: ଜଣେ ଭିକାରୀଙ୍କ ମୃତ୍ୟ ହେବା ପରେ ତାଙ୍କ ମୃତଦେହ ସଂସ୍କାର କରାଇବା ଦୂରେ ଥାଉ କେହି ଛୁଇଁବାକୁ ବି ରାଜି ହେଲେନି | ଆଉ ଜଣେ ମହିଳା ପୁଲିସ ସବଇନ୍ସପେକ୍ଟରଙ୍କ ଚେଷ୍ଟା ଯୋଗୁଁ ଶେଷରେ ଏହି ବ୍ୟକ୍ତିଙ୍କ ମୃତଦେହ ଦୁଇ କାନ୍ଧ ପାଇ ମଶାଣି ଯାଇପାରିଛି | ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି | ଜଣେ ମହିଳା ପୁଲିସ ସବ୍-ଇନ୍ସପେକ୍ଟର ମାନବିକତାର ଏପରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାହାକୁ ଜାଣିବା ପରେ ଆପଣ କେବଳ ଗୋଟିଏ କଥା କହିବେ ଖାକିକୁ ସଲାମ | ମିଳିଥିବା ସୂଚନା ମୁତାବକ ଆନ୍ଧ୍ରପ୍ରଦେଶର କାସିବୁଗା ପୁଲିସ ଷ୍ଟେସନରେ ଖବର ପହଞ୍ଚିଥିଲା ଯେ ଜଣେ ବ୍ୟକ୍ତିଙ୍କ ମୃତଦେହ ରାସ୍ତା କଡରେ ପଡିଛି |

ଏହା ପରେ କାସିବୁଗା ପୁଲିସ ଷ୍ଟେସନରେ କାର୍ଯ୍ୟରତ ମହିଳା ସବ-ଇନ୍ସପେକ୍ଟର ଶୀରିସା ଘଟଣାସ୍ଥଳରେ ପହଂଚିଥିଲେ | ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ଶୀରିସା ସୂଚନା ପାଇଥିଲେ ଯେ ଏହି ବ୍ୟକ୍ତି ଜଣକ ବୁଲି ବୁଲି ଭିକ୍ଷା ବୃତ୍ତି କରୁଥିବାବେଳେ ଦିନକ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ବି ପ୍ରବଳ ଥଣ୍ଡା ଯୋଗୁଁ ମୃତ୍ୟୁ ହୋଇଯାଇଥିବାର ଅନୁମାନ କରାଯାଇଥିଲା | ଏହା ପରେ ଶୀରିସା ସ୍ଥାନୀୟ ଲୋକମାନଙ୍କୁ ମୃତଦେହକୁ ବୋହିନେଇ ମଶାଣିରେ ଅନ୍ତିମ ସଂସ୍କାର କରାଇବାକୁ କହିଥିଲେ |

photo-aajtak

ହେଲେ ସ୍ଥାନୀୟ ଲୋକମାନେ ଶବ ଛୁଇଁବାକୁ ମନା କରିଦେଇଥିଲେ | ଏହା ପରେ ଶୀରିସା ଆଉ ଜଣେ ବ୍ୟକ୍ତିଙ୍କ ସହାୟତାରେ ମୃତଦେହକୁ ବୋହି ଥିଲେ | ୨ କିଲୋମିଟର ଦୂରରେ ଥିବା ମଶାଣିରେ ମୃତଦେହକୁ ଶୀରିସା ପହଞ୍ଚାଇ ଅନ୍ତିମ ସଂସ୍କାର କରାଇଥିଲେ | ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି |

ସମ୍ବନ୍ଧିତ ଖବର