ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ମାମଲାରେ ‘ସିବିଆଇ’ ଓ ‘ଇଡି’କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ମଦ ନୀତିରେ ହୋଇଥିବା ଦୁର୍ନୀତି ମାମଲାରେ ଅନ୍ୟତମ ଅଭିଯୁକ୍ତ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଫାଇଲ୍‌ କରିଥିବା ପୃଥକ୍‌ ଜାମିନ ଆବେଦନ ସଂକ୍ରାନ୍ତରେ ଆଜି ସୁପ୍ରିମ୍‌ କୋର୍ଟ ‘ସିବିଆଇ’ ଓ ‘ଇଡି’ଙ୍କୁ ନୋଟିସ ଜାରି କରିଛନ୍ତି।

ସ୍ତ୍ରୀ ସୀମା ସିସୋଦିଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇ ଚିକିତ୍ସା କରାଇବାକୁ ମନୀଷ ଜରୁରୀକାଳୀନ ଅନ୍ତରୀଣ ଜାମିନ ଆବେଦନ ଉପରେ ଜୁଲାଇ ୨୮ ତାରିଖ ଦିନ ବିଚାର କରିବା ଲାଗି ସୁପ୍ରିମ୍‌ କୋର୍ଟ ରାଜି ହୋଇଛନ୍ତି।

ବିଚାରପତି ସଞ୍ଜୀବ ଖାନ୍ନା ଓ ବେଲା ଏମ୍‌. ତ୍ରିବେଦୀଙ୍କ ଖଣ୍ଡପୀଠ ଏହି ଆବେଦନ ଶୁଣାଣି କରିଥିଲେ।

ଜୁଲାଇ ୧୪ ତାରିଖରେ ସିସୋଦିଆଙ୍କ ଆବେଦନ ଶୁଣାଣି କରିବା ଲାଗି ସୋମବାର ଦିନ ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ରାଜି ହୋଇଥିଲେ। ସିସୋଦିଆଙ୍କ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌ ମନୁ ସିଙ୍ଗୱି କହିଥିଲେ ଯେ, ମନୀଷଙ୍କ ସ୍ତ୍ରୀ ଅସୁସ୍ଥ ଥିବାରୁ ତାଙ୍କ ଆବେଦନର ଜରୁରୀକାଳୀନ ଶୁଣାଣି ଆବଶ୍ୟକ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରି ଜାମିନ ନାମଞ୍ଜୁର କରିଥିଲେ। ଏହାକୁ ଚାଲେଞ୍ଜ୍‌ କରି ସି‌ସୋଦିଆ ସୁପ୍ରିମ୍‌ କ‌ୋର୍ଟରେ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର