ଅଭୂତପୂର୍ବ ବ୍ୟବସାୟ କରୁଛି ‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ର, ଜାଣନ୍ତୁ ଏହି ଚଳଚ୍ଚିତ୍ର ବିଷୟରେ ଅନେକ ତଥ୍ୟ

ମୁମ୍ବାଇ: ମାର୍ଚ୍ଚ ୧୧ ତାରିଖ ସିନେମାଘର ଗୁଡିକରେ ରିଲିଜ୍ ହୋଇଥିବା ‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ଦର୍ଶକମାନେ ଅଭୂତପୂର୍ବ ଭଲପାଇବା ଦେଉଛନ୍ତି। ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ଭାରତରେ ୩.୫୫ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ଵିତୀୟ ଦିନ(ମାର୍ଚ୍ଚ ୧୨)ରେ ୮.୫୦ କୋଟି ଆୟ କରିଛି। ଯାହାକି ପ୍ରଥମ ଦିନର ଆୟ ଠାରୁ ୧୩୯.୪୪ ପ୍ରତିଶତ ଅଧିକ। ‘ଦ କଶ୍ମୀର ଫାଇଲ୍ସ’ ଦୁଇଦିନରେ ମୋଟ ୧୨.୦୫ କୋଟି ଆୟ କରିଛି।

ପ୍ରଭାସଙ୍କ ଅଭିନୀତ ବ୍ୟୟବହୁଳ ‘ରାଧେ ଶ୍ୟାମ୍’ ସହ ଗୋଟିଏ ଦିନରେ ରିଲିଜ୍ ହେବା ସତ୍ତ୍ବେ ଭଲ କଣ୍ଟେଣ୍ଟ ଯୋଗୁଁ ‘ଦ କଶ୍ମୀର ଫାଇଲ୍ସ’କୁ ଦେଖିବାକୁ ଅଧିକ ସଂଖ୍ୟାରେ ଦର୍ଶକ ଆସୁଛନ୍ତି। କେବଳ ‘ରାଧେ ଶ୍ୟାମ୍’ ନୁହେଁ ‘ଗଙ୍ଗୁବାଇ କାଠିଆଓ୍ଵାଡି’ ଓ ‘ଦ ବ୍ୟାଟମ୍ୟାନ୍’ ଭଳି ଚଳଚ୍ଚିତ୍ର ସିନେମାଘର ଗୁଡିକରେ ଚାଲୁଥିଲେ ବି କମ ବଜେଟରେ ତିଆରି ହୋଇଥିବା ‘ଦ କଶ୍ମୀର ଫାଇଲ୍ସ’ ଦର୍ଶକଙ୍କ ପ୍ରଥମ ପ୍ରଥମ ପସନ୍ଦ ପାଲଟିଛି।

ଆଇଏମଡିବି(IMDB)ର ରେଟିଂ ପଏଣ୍ଟ ଅନୁସାରେ ‘ଦ କଶ୍ମୀର ଫାଇଲ୍ସ’ ଅବିଶ୍ଵସନୀୟ ୧୦ରୁ ୯.୯ ପଏଣ୍ଟ ପାଇଛି। ଏଥିରୁ ହିଁ ଜଣାପଡୁଛି ଯେ ଏହି ଚଳଚ୍ଚିତ୍ର କେତେ ଉତ୍ତମ।

ସବୁଠୁ ବଡ କଥା ହେଉଛି ‘ଦ କଶ୍ମୀର ଫାଇଲ୍ସ’ର ପ୍ରୋମୋସନ୍ ଅଧିକ ବ୍ୟାପକ ଭାବେ କରା ଯାଇନାହିଁ, କୌଣସି ପର୍ବପର୍ବାଣୀ କିମ୍ବା ଛୁଟିଦିନରେ ରିଲିଜ୍ କରାଯାଇ ନାହିଁ ଏବଂ ପ୍ରାୟ ୬୩୦ ସିନେମାସ୍କ୍ରିନରେ ହିଁ ରିଲିଜ୍ ହୋଇଛି ତଥାପି ବ୍ୟବସାୟରେ ବୃଦ୍ଧି ଘଟିଛି।

ଦର୍ଶକମାନେ ଅତ୍ୟନ୍ତ ପସନ୍ଦ କରୁଥିବାରୁ ପ୍ରାରମ୍ବିକ ଦିନମାନଙ୍କରେ ସୀମିତ ସିନେମାସ୍କ୍ରିନରେ (ପ୍ରାୟ ୬୩୦+) ରିଲିଜ୍ ହୋଇଥିବା ‘ଦ କଶ୍ମୀର ଫାଇଲ୍ସ’ର ସ୍କ୍ରିନକୁ ରବିବାର ଦିନ ୨୦୦୦ ସ୍କ୍ରିନ୍ ମିଳିଛି। ସ୍କ୍ରିନ ସଂଖ୍ୟା ଆହୁରି ବଢିପାରେ।

‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ର କାଶ୍ମୀର ପଣ୍ଡିତମାନଙ୍କୁ କିପରି କଶ୍ମୀରରୁ ବିତାଡିତ କରାଯାଇଥିଲା ସେ ବିଷୟରେ ଆଧାରିତ। ଏଥିରେ ଅନୁପମ ଖେର୍, ମିଥୁନ୍ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ପଲ୍ଲବୀ ଯୋଷୀ, ଚିନ୍ମୟ ମାନ୍ଦଲେକର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

ବିବେକ ଅହ୍ନିହୋତ୍ରୀ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ଅଛନ୍ତି। ସୌରଭ୍ ଏମ୍ ପାଣ୍ଡେ ଓ ବିବେକ ଅହ୍ନିହୋତ୍ରୀ ଏହି ଚଳଚ୍ଚିତ୍ରର କାହାଣୀକୁ ଲେଖିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ମାତା ବିବେକ ଅହ୍ନିହୋତ୍ରୀ, ଅଭିଷେକ ଅଗରଓ୍ଵାଲ ଓ ପଲ୍ଲବୀ ଯୋଷୀ ଶନିବାର ଦିନ ଚଳଚ୍ଚିତ୍ର ରିଲିଜ୍ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ।

ହରିୟାଣା ପରେ ମଧ୍ୟପ୍ରଦେଶ ଓ ଗୁଜରାଟ ସରକାର ମଧ୍ୟ ‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର