ଭାରତରେ ପାକିସ୍ତାନ ସରକାରଙ୍କ ହାଣ୍ଡଲକୁ ବନ୍ଦ କଲା ଟ୍ବିଟର

ନୂଆଦିଲ୍ଲୀ : ଟ୍ବିଟର ପକ୍ଷରୁ ଭାରତ ପାଇଁ ଉଦ୍ଦିଷ୍ଟ ପାକିସ୍ତାନ ସରକାରଙ୍କ ଟ୍ବିଟର ହାଣ୍ଡଲକୁ ବନ୍ଦ କରିଦିଆଯାଇଛି । ଏହା ପୂର୍ବରୁ ଟ୍ବିଟର ପକ୍ଷରୁ ପାକିସ୍ତାନର ସରକାରୀ ରେଡିଓ ରେଡିଓ-ପାକିସ୍ତାନର ଟ୍ବିଟର ହାଣ୍ଡଲକୁ ବନ୍ଦ କରିଦେଇଥିଲା । ସେହିପରି ଗତ ଜୁନ ମାସରେ ଇରାନ, ତୁର୍କୀ, ଇଜିପ୍ଟରେ ଥିବା ପାକିସ୍ତାନୀ ଦୂତାବାସ ଓ ଜାତିସଂଘ ପାଇଁ ଥିବା ପାକିସ୍ତାନ ମିସନର ସରକାରୀ ଟ୍ବିଟର ହାଣ୍ଡଲକୁ ବନ୍ଦ କରିଦିଆଯାଇଥିଲା ।

ଟ୍ବିଟରର ଏପରି ପଦକ୍ଷେପକୁ ବିରୋଧ କରିଛି ପାକିସ୍ତାନ । ତେବେ ଏଥିପାଇଁ ବିଜେପି ସରକାରଙ୍କୁ ଦୋଷ ଦେଇଛନ୍ତି ପାକିସ୍ତାନ ସରକାର । ଭାରତରେ ସମସ୍ତଙ୍କ ସ୍ବରକୁ ଚାପିଦିଆଯାଉଛି ଓ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇଯାଇଛି । ସୋସିଆଲ ମିଡିଆଗୁଡ଼ିକ ଅନ୍ତର୍ଜାତୀୟ ନିୟମ ପାଳନ କରିବା ଉଚିତ ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଏ ସଂପର୍କରେ ଏକ ବୟାନ ଜାରି କରି ଟ୍ବିଟର ପକ୍ଷରୁ କୁହାଯାଇଛି ଯେ ଯେଉଁ ଦେଶରେ ପାକିସ୍ତାନ ସରକାରଙ୍କ କଣ୍ଟେଣ୍ଟ ଦେଖାଇବା ବେଆଇନ ସେହି ଅଂଚଳ ପାଇଁ ହିଁ ଏହି ନିଲମ୍ବନ ଲାଗୁ ହେବ।

ଅନ୍ୟପକ୍ଷରେ ବିଭିନ୍ନ କଣ୍ଟେଣ୍ଟ ହଟାଇବାକୁ ନେଇ ଭାରତ ସରକାର ଦେଇଥିବା ନିର୍ଦ୍ଦେଶ ବିରୋଧରେ ଟ୍ବିଟର କୋର୍ଟଙ୍କ ଆଶ୍ରୟ ନେବାକୁ ଘୋଷଣା କରିଛି ।

ତେବେ ସରକାରଙ୍କ ନିର୍ଦ୍ଦେଶକୁ ଠିକ ବୋଲି ଦର୍ଶାଇଛନ୍ତି ଟେଲିକମ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

 

 

ସମ୍ବନ୍ଧିତ ଖବର