ଏଣିକି ରାମ ମନ୍ଦିର ଦର୍ଶନ ପାଇଁ ଗଲେ ଭିଆଇପି ଓ ଭିଭିଆଇପିଙ୍କୁ ପାଳନ କରିବାକୁ ପଡ଼ିବ ଏହି କଡ଼ା ନିୟମ

ନୂଆଦିଲ୍ଲୀ: ରିଲ୍ସ କରିବା ଫଟୋ ଉଠାଇବା ଆଜିକାଲି ଟ୍ରେଣ୍ଡ ପାଲିଟି ଯାଇଛି। ଏମିତି କି ଲୋକମାନେ ଧାର୍ମିକ ସ୍ଥାନମାନଙ୍କରେ ବି ରିଲ୍ସ କରି ତାହାର ମର୍ଯ୍ୟାଦା ନଷ୍ଟ କରି ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କିଛି ଧାର୍ମିକ ସ୍ଥାନମାନଙ୍କ‌ରେ ମୋବାଇଲ ଫୋନ ବାରଣ କରାଯାଇଥିବା ବେଳେ ବାକିସ୍ଥାନରେ ଫୋନ ବ୍ୟବହାର ଉପରେ ପ୍ରତିବଦ୍ଧକ ଲାଗୁ କରାଯାଇଛି।

ଏହି କ୍ରମରେ ଅଯୋଧ୍ୟା ରାମମନ୍ଦିର ଭିତରକୁ ସାଧାରଣଲୋକ ଫୋନ ନେଇ ଯାଇପାରିବେ ନାହିଁ ବୋଲି ପୂର୍ବରୁ ସୂଚିତ ଥିଲା। ନିକଟରେ ନୃପେନ୍ଦ୍ର ମିଶ୍ରାଙ୍କ ଅଧ୍ୟକ୍ଷତାରେ ରାମ ମନ୍ଦିର ଟ୍ରଷ୍ଟ ବୋର୍ଡର ଏକ ବୈଠକ ହୋଇଥିଲା। ଏହି ବୈଠକରେ ଏଣିକି ମନ୍ଦିର ଭିତରକୁ ଭିଆଇପି ଓ ଭିଭିଆଇପିଙ୍କୁ ବି ମୋବାଇଲ ଫୋନ ବାରଣ କରାଯାଇଛି।

ଟ୍ରଷ୍ଟି ଅନୀଲ ମିଶ୍ରା କହିଛନ୍ତି, ମନ୍ଦିର ଉଦଘାଟନ ସମୟରେ ଭକ୍ତଙ୍କୁ ସ୍ପଷ୍ଟ ଭାବେ ସୂଚିତ କରାଯାଇଥିଲା କି ମନ୍ଦିର ଭିତରକୁ ଫୋନ ନେଇ ଯାଇପାରିବେ ନାହିଁ। ମୋବାଇଲ ଫୋନ୍ ରଖିବା ପାଇଁ ମନ୍ଦିର ପରିସରରେ ଲକର ବ୍ୟବସ୍ଥା କରାଯାଇଛି। ଏଥିରେ ଭକ୍ତମାନେ ନିଜର ମୋବାଇଲ୍ ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଓ ଲଗେଜ ରଖିପାରିବେ।

କିଛିଦିନ ତଳେ ଉତ୍ତରାଖଣ୍ଡର କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ମନ୍ଦିର ଭିତରକୁ ଭକ୍ତମାନେ ମୋବାଇଲ ଫୋନ୍ ନେଇ ଯାଇପାରିବେ ନାହିଁ ବୋଲି କଟକଣା ଲାଗୁ କରାଯାଇଥିଲା। ମନ୍ଦିରର ୨୦୦ ମିଟର ଦୂରରେ ମୋବାଇଲ ଫୋନ୍ ରଖି ଆସିବା ପାଇଁ ଶ୍ରଦ୍ଧାଳୁଙ୍କୁ ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ରାଧା ରତୁରୀ କଡ଼ା ନିର୍ଦ୍ଦେଶ ଦେଇ କହିଥିଲେ।

ଏହି ନିର୍ଦ୍ଦେଶକୁ ଯିଏ ଅଣଦେଖା କରିବେ ସେମାନଙ୍କ ବିରୋଧରେ ଜରିମାନା ଲାଗୁ କରାଯିବ ବୋଲି ବି ସ୍ପଷ୍ଟ ଭାବେ କୁହାଯାଇଥିଲା। ଦୁଇଦିନ ତଳେ ଖବର ଆସିଥିଲା କି ମନ୍ଦିର ଭିତରକୁ ଫୋନ ନେବାକୁ ବାରଣ ସତ୍ତ୍ବେ କିଛି ଶ୍ରଦ୍ଧାଳୁ ଫୋନ ନେଇ ଯାଇଥିବା ବେଳେ ଧରାପଡ଼ିଥିଲେ। ତେଣୁ ପ୍ରାୟ ୮୫ଜଣ ଶ୍ରଦ୍ଧାଳୁଙ୍କୁ ଜରିମାନା ଲାଗୁ କରାଯାଇଥିଲା।

ସମ୍ବନ୍ଧିତ ଖବର