ପ୍ରକାଶ ପାଇଲା ବିଜେବି କଲେଜ ଟପର୍‌ ତାଲିକା, ବୈଭବୀ ଶ୍ରେଷ୍ଠ ଗ୍ରାଜୁଏଟ୍‌

ତିନି ବିଭାଗରେ ଛାତ୍ରୀ ଟପର୍‌, କଳାରେ ୯୨.୭%, ବିଜ୍ଞାନରେ ୯୪.୯୦%, ବାଣିଜ୍ୟରେ ୯୫.୫୨% ପାସ୍‌

ଭୁବନେଶ୍ବର: ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ନାତକ (ଯୁକ୍ତ୩) ଶେଷ ସେମିଷ୍ଟର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଇଥିଲା। ଆଜି ମହାବିଦ୍ୟାଳୟ ପକ୍ଷରୁ ଟପର୍‌ ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ନୃତତ୍ତ୍ବ ବିଜ୍ଞାନ ବିଭାଗ ଛାତ୍ରୀ ବୈଭବୀ ଦାସ ମହାବିଦ୍ୟାଳୟର ଶ୍ରେଷ୍ଠ ଗ୍ରାଜୁଏଟ୍‌ ହୋଇଛନ୍ତି। ଏଥିସହ କଳା ବିଭାଗରେ ମଧ୍ୟ ବୈଭବୀ ଶ୍ରେଷ୍ଠ ହୋଇଥିବା ବେଳେ ବିଜ୍ଞାନ ବିଭାଗରେ ରସାୟନ ବିଜ୍ଞାନ ଛାତ୍ରୀ କାଦମ୍ବିନୀ ପଣ୍ଡା, ବାଣିଜ୍ୟ ବିଭାଗରେ ଆକାଉଣ୍ଟିଂ ବିଭାଗର ଅଲିଭା ଋତୁପର୍ଣ୍ଣା ଟପର୍‌ ହୋଇଛନ୍ତି।

କଳା ବିଭାଗର ୧୪ଟି ବିଷୟରେ ୪୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୦୪ଜଣ ପାସ୍‌ କରିଛନ୍ତି, ପାସ୍‌ହାର ୯୨.୭% ହୋଇଛି। ନୃତତ୍ତ୍ବ ବିଜ୍ଞାନ, ହିନ୍ଦୀ, ଦର୍ଶନଶାସ୍ତ୍ର, ରାଜନୀତି ବିଜ୍ଞାନ ଓ ସାମାଜିକ ବିଜ୍ଞାନରେ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୨୩୯ଜଣ ପ୍ରଥମ ଶ୍ରେଣୀ ସମ୍ମାନ ସହ ଡିଷ୍ଟିଙ୍କସନ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୩୨ ଜଣ ଫେଲ୍‌ ହୋଇଛନ୍ତି। ବିଜ୍ଞାନ ବିଭାଗର ୮ଟି ବିଷୟରେ ପରୀକ୍ଷା ଦେଇଥିବା ୨୧୬ ଜଣଙ୍କ ମଧ୍ୟରୁ ୨୦୫ ଜଣ ପାସ୍‌ କରିଛନ୍ତି, ପାସ୍‌ହାର ୯୪.୯୦% ହୋଇଛି। ବାୟୋଟେକ୍ନୋଲୋଜି, ଉଦ୍ଭିଦ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ବିଷୟର ସମସ୍ତ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି।

୧୩୨ ଜଣ ପ୍ରଥମ ଶ୍ରେଣୀ ସମ୍ମାନ ସହ ଡିଷ୍ଟିଙ୍କସନ୍‌ରେ ପାସ୍‌ କରିଛନ୍ତି। ବାଣିଜ୍ୟରେ ପରୀକ୍ଷା ଦେଇଥିବା ୨୪୬ଜଣଙ୍କ ମଧ୍ୟରୁ ୨୩୫ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୯୫.୫୨% ହୋଇଛି। ସେମାନଙ୍କ ମଧ୍ୟରୁ ୨୦୨ ଜଣ ପ୍ରଥମ ଶ୍ରେଣୀ ସମ୍ମାନ ସହ ଡିଷ୍ଟିଙ୍କସନ୍‌ରେ ପାସ୍‌ କରିଥିବା କଲେଜ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର