ମଞ୍ଚେଶ୍ବର-ବାଲିପଡ଼ା ରାସ୍ତା ନିର୍ମାଣ‌ରେ ଅନିୟମିତତା ଅଭିଯୋଗ, କାମ ନ ସରୁଣୁ ଧସିଲାଣି

ରିଟେନିଂ ୱାଲ୍ ଅଧା ତିଆରି କରି ଛାଡ଼ିଦେଲେ

ଭୁବନେଶ୍ୱର: ମଞ୍ଚେଶ୍ବର-ବାଲିପଡ଼ା ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ରାସ୍ତା ଯେତିକି ଲମ୍ବା ରାସ୍ତା କଡ଼ରେ ସେତିକି ଲମ୍ବାର ରିଟେନିଂ ୱାଲ ହେବାକୁ ରହିଥିଲେ ମଧ୍ୟ ଠାଏ ଠାଏ ହୋଇଛି। ଯେଉଁଠାରେ ହୋଇନାହିଁ, ସେଠାରେ ନଦୀ ଭିତରକୁ ରାସ୍ତା ଧସିଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ରାସ୍ତାକଡ଼ରେ ଯେଉଁ ମାଟି ପଡ଼ିଛି ତାହା ନିକଟ ଅତୀତରେ ହୋଇଥିବା ବର୍ଷାରେ କେତେକ ସ୍ଥାନରେ ଧୋଇ ହୋଇଯାଇଛି। ଏଣୁ ବର୍ଷା ଋତୁରେ ରାସ୍ତା ନଈ ପାର୍ଶ୍ବକୁ ଧସିଯିବା ନେଇ ସନ୍ଦେହ ବଢ଼ିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତା ନିର୍ମାଣ କରୁଛି। ରାସ୍ତା ଓ ରିଟେନିଂ ୱାଲ ନିର୍ମାଣରେ ୧କୋଟି ୪୭ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଏହାର ଫଳକ ମଧ୍ୟ ନାହିଁ। ଅର୍ଥାତ୍ ପ୍ରକଳ୍ପ ବାବଦରେ ସୂଚନା ସର୍ବସାଧାରଣ କରାଯାଇନାହିଁ। ଏଣୁ ଏଥିରେ ଘୋଟାଲା ହେଉଥିବା ଆଶଙ୍କା କରି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କିଛି ସ୍ଥାନୀୟ ଲୋକ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ମଞ୍ଚେଶ୍ବର-ବାଲିପଡ଼ା ରାସ୍ତାର କଣ୍ଟୁଣିଆରୁ କାନପୁର ସାଇଫନ ପର୍ଯ୍ୟନ୍ତ ଅଢ଼େଇ କିଲୋମିଟର ରାସ୍ତା ପିଚୁ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଯୋଜନା କରିଥିଲା। ନଈ ବନ୍ଧରେ ଏହି ରାସ୍ତା ଯାଇଥିବାରୁ ରାସ୍ତା ନଈକୁ ଧସି ଯିବା ଆଶଙ୍କା ରହିଥିଲା। ଏଣୁ ଏହାର ଉଭୟ ପାର୍ଶ୍ବରେ ରିଟେନିଂ ୱାଲ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହେବା ସହ କାମ ଆରମ୍ଭ ହୋଇଥିଲା। କିନ୍ତୁ ନିମ୍ନମାନର କାମ, ଧାର୍ଯ୍ୟ ମାପଠାରୁ କମ୍ ଲମ୍ବାର ରିଟେନିଂ ୱାଲ୍ ଯୋଗୁଁ ପ୍ରକଳ୍ପରେ ଲକ୍ଷଲକ୍ଷ ଟଙ୍କା ହରିଲୁଟ୍ ହୋଇଥିବା ଅଶୋକ ପ୍ରଧାନ, ବୈକୁଣ୍ଠ ପ୍ରଧାନ, ଶ୍ରୀନିବାସ ସ୍ବାଇଁ ପ୍ରମୁଖ ଅଭିଯୋଗ କରିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କୁ ଅଭିଯୋଗ କରିଥିବା କହିଛନ୍ତି।

ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ଭୁବନେଶ୍ବର ନିର୍ବାହୀଯନ୍ତ୍ରୀ ଅଶୋକ କୁମାର ବେହେରା କହିଛନ୍ତି, ଆମ ପାଖକୁ ଅଭିଯୋଗ ଆସିନାହିଁ। ଟେଣ୍ଡର୍‌ରେ ଦର୍ଶାଯାଇଥିବା ମାପ ଅନୁସାରେ ରିଟେନିଂ ୱାଲ୍ ହେବା କଥା। ଅଭିଯୋଗ ହେଲେ ମାପ କରାଯିବ ଓ ଧାର୍ଯ୍ୟ ମାପରୁ କମ୍ ବାହାରିଲେ କାର୍ଯ୍ୟାନୁଷ୍ଠାନ ହେବ। ତେବେ ଧାର୍ଯ୍ୟ ସମୟରେ ଏହି ପ୍ରକଳ୍ପ ଶେଷ ହୋଇ ନାହିଁ। ଏଣୁ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର