ଏଲ୍‌ପିଜି ୫୦ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ : ୧୪.୨ କେଜି ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ବୁଧବାର ଦିନ ଆଉ ୫୦ ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି। ଫଳରେ ଭୁବନେଶ୍ବରରେ ସିଲିଣ୍ଡର ମୂଲ୍ୟ ୧,୦୭୯ ଟଙ୍କାରେ ପହଞ୍ଚିଛି। ଏହି ଦରବୃଦ୍ଧି ପରେ ଦିଲ୍ଲୀରେ ସିଲିଣ୍ଡର ମୂଲ୍ୟ ୧,୦୫୩ ଟଙ୍କା ହୋଇଥିବା ବେଳେ ମୁମ୍ବାଇରେ ୧୦୫୨ ଟଙ୍କା ୫୦ ପଇସା ହୋଇଛି। ସେହିଭଳି ୫ କେଜିଆ ସିଲିଣ୍ଡର ଦାମ୍‌ ମଧ୍ୟ ୧୮ ଟଙ୍କା ବଢ଼ିଛି। ମାତ୍ର ହୋଟେଲ୍‌ ଓ ରେ‌ସ୍ତେରାଁ ଭଳି ବ୍ୟବସାୟ ପ୍ରତିଷ୍ଠାନ ବ୍ୟବହାର କରୁଥିବା ୧୯ କେଜିଆ ବଡ଼ ସିଲିଣ୍ଡର ମୂଲ୍ୟରେ ସାଢ଼େ ୮ ଟଙ୍କାର ହ୍ରାସ ହୋଇଛି।

ଚଳିତ ବର୍ଷ ଚତୁର୍ଥ ଥର ପାଇଁ ୧୪.୨ କେଜିଆ ସିଲିଣ୍ଡର ମୂଲ୍ୟ ବଢ଼ିଛି। ମେ’ ପରଠାରୁ ଏହା ହେଉଛି ଦାମ୍‌ରେ ତୃତୀୟ ବୃଦ୍ଧି। ୨୦୨୧ ପରଠାରୁ ଗ୍ୟାସ୍‌ କଂପାନିଗୁଡ଼ିକ ଏଲ୍‌ପିଜି ମୂଲ୍ୟରେ ୧୩ ଥର ବୃଦ୍ଧି କରିସାରିଲେଣି। ୨୦୨୧ ଫେବ୍ରୁଆରି ୪ ପୂର୍ବରୁ ସିଲିଣ୍ଡର ଦାମ୍ ୬୯୪ ଟଙ୍କା ଥିଲା। ଦେଢ଼ ବର୍ଷରୁ କମ୍ ସମୟ ଭିତରେ ସେଥିରେ ପ୍ରାୟ ୩୬୦ ଟଙ୍କାର ବୃଦ୍ଧି ହୋଇଛି। ୨୦୨୧ର ଫେବ୍ରୁଆରି ୪ରେ ସିଲିଣ୍ଡର ମୂଲ୍ୟ ୨୫ ଟଙ୍କା ବଢ଼ିବା ପରେ ବିଭିନ୍ନ ପର୍ଯ୍ୟାୟରେ ସେଥିରେ ଯଥାକ୍ରମେ ୫୦ ଟଙ୍କା, ୨୫ ଟଙ୍କା, ୨୫ ଟଙ୍କା, ୧୦ ଟଙ୍କା ଓ ୨୫ ଟଙ୍କା ୫୦ ପଇସାର ବୃଦ୍ଧି ହୋଇଥିଲା। ଫଳରେ ୨୦୨୧ ଜୁନ୍ ସୁଦ୍ଧା ସିଲିଣ୍ଡର ମୂଲ୍ୟ ୮୩୪ ଟଙ୍କା ହୋଇଯାଇଥିଲା। ସେହିବର୍ଷ ଶେଷ ସୁଦ୍ଧା ସିଲିଣ୍ଡର ମୂଲ୍ୟ ପ୍ରାୟ ୯୦୦ ଟଙ୍କା ହୋଇଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚ ୨୨ରେ ୫୦ ଟଙ୍କା, ମେ’ ୭ର ୪ ଟଙ୍କା ୫୦ ପଇସା ଓ ଆଜି ଆଉ ୫୦ ଟଙ୍କାର ଦରବୃଦ୍ଧି ହେବାରୁ ସିଲିଣ୍ଡର ମୂଲ୍ୟ ୧୦୫୩ ଟଙ୍କା ହୋଇଯାଇଛି। ତେବେ ରାଜ୍ୟଗୁଡ଼ିକ ଲାଗୁ କରିଥିବା ଭାଟ୍‌ ଅନୁସାରେ ବିଭିନ୍ନ ରାଜ୍ୟରେ ସିଲିଣ୍ଡର ମୂଲ୍ୟ ଅଲଗା ରହୁଛି।

ସମ୍ବନ୍ଧିତ ଖବର