ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼, ଦର୍ଶନ କଲେ ରାଜ୍ୟପାଳ

ପୁରୁଣା ଭୁବନେଶ୍ୱର: ମକର ସଂକ୍ରାନ୍ତି ଅବସରରେ ଏକାମ୍ର କ୍ଷେତ୍ରରେ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶ୍ରୀଲିଙ୍ଗରାଜ ମନ୍ଦିରରେ ଆଜି ସକାଳୁ ଭିତରେ ଓ ବାହାରେ ଭକ୍ତମାନେ ଲମ୍ବା ଧାଡ଼ିରେ ଦର୍ଶନ ପାଇଁ ପ୍ରତୀକ୍ଷା କରିଥିଲେ। ସ୍ଥାନୀୟ, ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୫୦ହଜାର ଶ୍ରଦ୍ଧାଳୁ ଆଜି ଦର୍ଶନ ପାଇଁ ଆସିଥିଲେ। ସକାଳ ସାଢ଼େ ୬ରୁ ସାଢ଼େ ୭ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହୋଇଥିଲା। ଏହା ପରେ ଶ୍ରଦ୍ଧାଳୁମାନେ ଆଡ଼କାଠରୁ ଶ୍ରୀଲିଙ୍ଗରାଜ ଦର୍ଶନ କରିଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ ସାହଣମେଲା ଦର୍ଶନ ବେଳେ ରାଜ୍ୟପାଳ ରଘୁବର ଦାସ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ରାଜ୍ୟପାଳ ଉତ୍ତରଦ୍ବ‌ାର ପଟେ ପ୍ରବେଶ କରି ମହାଦେବଙ୍କ ନିକଟକୁ ଯାଇଥିଲେ। ସେଠାରେ ଜଳ, କ୍ଷୀର ଓ ନୈବେଦ୍ୟ ଲାଗି କରାଇଥିଲେ। ପୂଜା ବେଳେ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ, ମନ୍ଦିର ସୁପରଭାଇଜର ରାଜ କିଶୋର ମହାପାତ୍ରଙ୍କ ସମେତ ମନ୍ଦିର କର୍ମଚାରୀ ଓ ପୁଲିସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର