ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶର ଦ୍ୱିତୀୟ ଦିବସ: ‘ମହିଳାଙ୍କୁ ସ୍ବାବଲମ୍ବୀ କରିଛି ଗାଁପୋଖରୀ’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ପ୍ରାଣୀପାଳନ ଓ ମତ୍ସ୍ୟ ଚାଷ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କରି ଏହାର ବ୍ୟାବସାୟକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଗ୍ରାମ ପଞ୍ଚାୟତ ପୋଖରୀଗୁଡ଼ିକରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଛ ଚାଷ ଦ୍ୱାରା ମହିଳାମାନେ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେଉଛନ୍ତି। କୃତ୍ରିମ ପ୍ରଜନନ, ମୋବାଇଲ୍‌ ଭେଟେରିନାରି ୟୁନିଟ୍‌, ବାୟୋଫ୍ଲକ୍‌ ଓ କେଜ୍‌ କଲଚର ପଦ୍ଧତିରେ ମାଛ ଚାଷ ଯୋଗୁ ରାଜ୍ୟରେ ଦୁଗ୍ଧ, କୁକୁଡ଼ା, ଅଣ୍ଡା, ମାଂସ ଓ ମାଛ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ବୋଲି ଜନତା ମଇଦାନଠାରେ ଆୟୋଜିତ ମତ୍ସ୍ୟ-ପ୍ରାଣୀ ସମାବେଶର ଦ୍ୱିତୀୟ ଦିବସର ପୂର୍ବାହ୍ନ ଅଧିବେଶନରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।

ଅଧିବେଶନରେ ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ୍‌ ଯୋଗଦେଇ ଗତ ୨୦ ବର୍ଷରେ ମାଛ ଉତ୍ପାଦନ ପ୍ରାୟ ୫ ଗୁଣ ଏବଂ ମାଛ ଜାଆଁଳ ଉତ୍ପାଦନ ୧୦ ଗୁଣ ବଢ଼ିଥିବା ସୂଚନା ଦେଇଥିଲେ। ଓମ୍‌ଫେଡ୍‌ର ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଧିକରୁ ଅଧିକ ଦୁଗ୍ଧ ଚାଷୀଙ୍କୁ ଓମ୍‌ଫେଡ୍‌ର ପରିସରଭୁକ୍ତ କରିବା ଏବଂ ଅଧିକ ଦୁଗ୍ଧ ପ୍ରକ୍ରିୟାକରଣ ଓ ଗୋଖାଦ୍ୟ କାରଖାନା ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯାଉଥିବା ସମ୍ପର୍କରେ ମତପ୍ରକାଶ କରିଥିଲେ। ଅଧିବେଶନରେ ଫିସ୍‌ଫେଡ୍‌ ସଭାପତି ସସ୍ମିତା ରାଉତ ରାଜ୍ୟର ସମସ୍ତ ଜିଲ୍ଲାରେ ଚିଲିକା ଫ୍ରେସ୍‌ ଆଉଟ୍‌ଲେଟ୍‌ ଖୋଲିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। କଟକ ଜିଲ୍ଲା ମହିଳା ଚାଷୀ ଶାନ୍ତିଲତା ରାଉତ ସ୍ୱାଗତ ଭାଷଣ ଓ ଖୋର୍ଦ୍ଧା ଜିଲ୍ଲାର ମହିଳା ଚାଷୀ ସୌଭାଗ୍ୟ ଲକ୍ଷ୍ମୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ରାଜ୍ୟର ଚମ୍ପିଅନ୍‌ ଘୋଷିତ ପ୍ରାଣୀପାଳକ ଓ ମାଛ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଦ୍ୟୋଗୀଙ୍କୁ ସବ୍‌ସିଡି ରାଶିର ଚେକ୍‌ ପ୍ରଦାନ କରାଯାଇଥିଲା।

ସନ୍ଧ୍ୟା ଅଧିବେଶନରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ପ୍ରାଣୀମଙ୍ଗଳ ନୀତି ଯୋଗୁ ଗୋଶାଳାଗୁଡ଼ିକୁ ଦିଆଯାଉଥିବା ସହାୟତା ରାଶି ପ୍ରାଣୀପାଳକଙ୍କ ଅବସ୍ଥାରେ ଉନ୍ନତି ଆଣିପାରିଛି ବୋଲି ମତପ୍ରକାଶ କରିଥିଲେ। କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧିବେଶନରେ ପୌରୋହିତ୍ୟ କରି ସେକ୍ସ ସର୍ଟେଡ ସିମେନ୍‌ ଦ୍ୱାରା କୃତ୍ରିମ ପ୍ରଜନନରେ ପ୍ରାଣୀପାଳକମାନେ ବହୁଳ ଭାବେ ଉପକୃତ ହେଉଥିବା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଖାଦ୍ୟ କମିସନର ଅଧ୍ୟକ୍ଷ ଅବନିକାନ୍ତ ସାହୁ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ରାମାଶିଷ ହାଜ୍‌ରା, ଓପିଡିସିର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର ଓ ଓପୋଲେଫେଡ୍‌ର ଅଧ୍ୟକ୍ଷ ଭୋଳେଶ୍ୱର ସ୍ୱାଇଁ ସମ୍ମାନିତ ଅତିଥିଭାବେ ଯୋଗଦେଇ ମାଛଚାଷ ଓ ପ୍ରାଣୀପାଳନ କ୍ଷେତ୍ରରେ ରାଜ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ପୁରୀର ମହିଳା ଚାଷୀ ସୀମା ମିଶ୍ର ସ୍ୱାଗତ ଭାଷଣ ଓ ବାଲେଶ୍ୱରର ମହିଳା ଚାଷୀ ଶୁଭସ୍ମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର