୨୦୦ ଫୁଟିଆ ରାସ୍ତାରେ ଗାଡ଼ି ବୋଲ ମାନୁନି: ୨୪ ଘଣ୍ଟାରେ ୩ ଦୁର୍ଘଟଣା

ସ୍ପିଡ୍‌ ବ୍ରେକର ଲାଗିନି କି ହମ୍ପ୍‌ସ କରାଯାଇନି, ଭାଙ୍ଗୁଛି ଲୁହା ବାଡ଼, ଲାଗୁଛି ବାଉଁଶ ବାଡ଼

ଚନ୍ଦ୍ରଶେଖରପୁର: ହାତିଆଶୁଣିଠାରୁ ଓଇଆରସି ପର୍ଯ୍ୟନ୍ତ ଲମ୍ବିଥିବା ୨୦୦ ଫୁଟିଆ ରାସ୍ତା ଦୁର୍ଘଟଣା ପ୍ରବଣରେ ପରିଣତ ହେଲାଣି। ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଭିଡ଼ ହେଉଥିବାରୁ ଗାଡ଼ି ଚାଳକମାନେ ଏହାକୁ ବିକଳ୍ପ ରାସ୍ତା ଭାବେ ବାଛି ନେଇଛନ୍ତି। ତେବେ ଗାଡ଼ି ଚାଳକଙ୍କ ସୁବିଧା‌ ପାଇଁ ନିର୍ମାଣ ହୋଇଥିବା ଏହି ରାସ୍ତାରେ ପ୍ରତିଦିନ ଗୋଟିଏ ଯୋଡ଼ିଏ ଗାଡ଼ି ଦୁର୍ଘଟଣା ହେଉଛି। କେତେବେଳେ ଲୁହା ବାଡ଼ ଡେଇଁ ଗାଡ଼ି ଡିଭାଇଡର ଉପରେ ଚଢ଼ିଯାଉଛି ତ ଆଉ କେତେବେଳେ ମୁହାଁମୁହାଁ ଧକ୍କା। ଗତ ୨୪ ଘଣ୍ଟା ମଧ୍ୟରେ ଏହି ରାସ୍ତାରେ ୩ଟି କାର ଦୁର୍ଘଟଣା ଏବେ ଚିନ୍ତାର କାରଣ ପାଲଟିଛି। ମଙ୍ଗଳବାର ଦୁଇଟି ଦୁର୍ଘଟଣା ହୋଇଥିବା ବେଳେ ଆଜି ଗୋଟିଏ କାର୍‌ ଇନୋଭା କାର୍‌ ଡିଭାଇଡର ଉପରେ ଚଢ଼ିଯାଇଥିଲା। କାର୍‌ରେ ଦୁଇ ଜଣ ମହିଳାଙ୍କ ସମେତ ୪ଜଣ ଯାତ୍ରୀ ରହିଥିଲେ। ବଡ଼ଧରଣର କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ୩ଟି ଦୁର୍ଘଟଣାରେ ଏକାଧିକ ଜଣ ଆହତ ହୋଇଛନ୍ତି।

ଏହି ରାସ୍ତା ଦୁର୍ଘଟଣାର ହଟ୍‌ସ୍ପଟ୍‌ ପାଲଟିବା ପ୍ରଶାସନ ଚିନ୍ତା ବଢ଼ାଇ ଦେଇଛି। କେଉଁଭଳି ଭାବେ ଦୁର୍ଘଟଣା ରୋକାଯାଇପାରିବ ସେନେଇ ପୁଲିସ ସହ ପିଡବ୍ଲୁଡି ବିଭାଗର ଅଧିକାରୀମାନେ ଅନୁଧ୍ୟାନ କରି ପ୍ରାରମ୍ଭିକ ଭାବେ ଉତ୍କଳ ହସ୍ପିଟାଲରୁ ରେଳବିହାର ମଧ୍ୟରେ ଥିବା ଦୁଇଟି କଟ୍‌ ମଧ୍ୟରୁ ଗୋଟିଏ ଜାନୁଆରି ମାସରେ ବନ୍ଦ କରି ଦିଆଯାଇଥିଲା। ତା’ସତ୍ତ୍ବେ ମଧ୍ୟ ଦୁର୍ଘଟଣାରେ କୌଣସି ରୋକ ଲାଗିପାରି ନାହିଁ। ରେଳ ବିହାର ଆଡ଼ୁ ଉତ୍କଳ ହସ୍ପିଟାଲ ଆଡ଼କୁ ଯିବା ସମୟରେ ଏକ ବଡ଼ଧରଣର ବାଙ୍କ ରହିଛି, ଯାହାକି ଏବେ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟିଛି। ୨୦୦ ଫୁଟ୍‌ ଓସାରିଆ ରାସ୍ତା ହୋଇଥିବାରୁ ଗାଡ଼ିଗୁଡ଼ିକର ବେଗ ଘଣ୍ଟା ପ୍ରତି ୮୦ରୁ ୧୦୦ କିଲୋମିଟର ଉପରେ ରହୁଛି। ସ୍ପିଡ୍‌ ବାଇକ୍‌ ଓ କାର୍‌ ଚଲାଉଥିବା ଚାଳକମାନେ ମନଇଚ୍ଛା‌ ଗାଡ଼ିର ବେଗ ବଢ଼ାଉଛନ୍ତି। ଯେଉଁଥିପାଇଁ ଦୁର୍ଘଟଣା ବଢ଼ୁଥିବା ଅଭିଯୋଗ ହୋଇଛି। ରାସ୍ତା ଚକାଚକ୍‌ ହୋଇଥିଲେ ମଧ୍ୟ ଟର୍ଣ୍ଣିଂ ଓ ୟୁ-ଟର୍ଣ୍ଣ ସଙ୍କେତ କୌଣସି ସ୍ଥାନରେ ଲଗାଯାଇ ନାହିଁ। ଜେବ୍ରା କ୍ରସିଂ ନ ଥିବାରୁ ପଥଚାରୀମାନେ ବାରମ୍ବାର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବିଶାଳ ବାଙ୍କ ରହିଥିଲେ ମଧ୍ୟ ସେଠାରେ କୌଣସି ପ୍ରକାର ସଙ୍କେତ ଦିଆଯାଇ ନାହିଁ। ଗାଡ଼ିର ଗତି ଧୀର କରିବାକୁ ସ୍ପିଡ୍‌ ବ୍ରେକର ଓ ହମ୍ପ୍‌ସର ଆବଶ୍ୟକତା ରହିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ଲାଗିପାରି ନାହିଁ। ଯେଉଁଥିପାଇଁ ଯାତ୍ରୀମାନେ ଭ୍ରମରେ ପଡ଼ୁଛନ୍ତି।

ଲଗାତାର ଭାବେ ଏହି ରାସ୍ତାରେ ବଢ଼ୁଥିବା ଦୁର୍ଘଟଣା ଯୋଗୁଁ ଡିଭାଇଡରର ସୌନ୍ଦର୍ଯ୍ୟକରଣ ନଷ୍ଟ ହେଉଛି। କେବଳ ସେତିକି ନୁହେଁ, ଲୁହା ବାରିକେଡ୍‌ ମଧ୍ୟ ଭାଙ୍ଗି ଯାଉଛି। ଏବେ ସୁଦ୍ଧା ୫୦୦ ମିଟରର ଏହି ରାସ୍ତା‌‌ରେ ୧୦ରୁ ଅଧିକ ସ୍ଥାନରେ ଲୁହା ବାରିକେଡ୍‌ ଭାଙ୍ଗିଥିବା ନଜରକୁ ଆସିଛି। ଦିନ ପରେ ଦିନ ବିତୁଥିଲେ ମଧ୍ୟ ସେଗୁଡ଼ିକର ମରାମତି କରାଯାଉ ନାହିଁ। ବରଂ ବାରିକେଡ୍‌ରେ ବାଉଁଶ ବାଡ଼ ଦିଆଯାଇ ଦୁର୍ଘଟଣା ରୋକିବାକୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର