ଫୋକସ୍‌ରେ ଗ୍ୟାଜେଟ୍: ୨୩ରେ ଆସୁଛି ରେଡ୍‌ମି ପ୍ୟାଡ୍‌ ଏସ୍‌ଇ

ଗତବର୍ଷ ଅଗଷ୍ଟ ମାସରେ ୟୁରୋପୀୟ ବଜାରରେ ପ୍ରବେଶ କରିଥିବା ସାଓମି କମ୍ପାନିର ଅତ୍ୟାଧୁନିକ ଟାବ୍‌ଲେଟ୍‌ ‘ରେଡ୍‌ମି ପ୍ୟାଡ୍‌ ଏସ୍‌ଇ’ ଆସନ୍ତା ୨୩ ତାରିଖରେ ଭାରତରେ ଉପଲବ୍‌ଧ ହେବ ବୋଲି ଜଣାଯାଇଛି। ଏହି ଅବସରରେ କମ୍ପାନି ପକ୍ଷରୁ ମଧ୍ୟ ଏହାର ଗଢ଼ଣ, ରୂପରେଖ ଓ ବୈଶିଷ୍ଟ୍ୟଗୁଡ଼ିକ ବାବଦରେ ଘୋଷଣା କରାଯାଇଛି। ସବୁଜ, ପାଉଁଶିଆ ଓ ଈଷତ୍‌ ବାଇଗଣୀ (ଲାଭେଣ୍ଡର) ପରି ତିନିଟି ରଙ୍ଗରେ ଏହା ମିଳିବ। ଏହାର ୧୧ ଇଞ୍ଚର ଏଚ୍‌ଡି ପ୍ଲସ୍‌ (୧,୯୦୦x୧,୨୦୦ ପିକ୍ସେଲ) ପରଦାର ରିଫ୍ରେସ୍‌ ରେଟ୍‌ ହେଉଛି ୯୦ ହର୍ଜ। ଏକ କ୍ବାଲକମ୍‌ ସ୍ନାପଡ୍ରାଗନ ୬୮୦ ଏସ୍‌ଓସି ପ୍ରୋସେସର ଉପରେ ପର୍ଯ୍ୟବସିତ ଏହି ଟାବ୍‌ଲେଟ୍‌କୁ ଥରେ ଚାର୍ଜ କରି ୧୪ ଘଣ୍ଟା ନିରନ୍ତର ଭିଡିଓ ଦେଖି ହେବ ଓ ୨୧୯ ଘଣ୍ଟା ଗୀତ ଶୁଣି ହେବ ବୋଲି ଦାବି କରାଯାଇଛି। ଏଥି ସହିତ ଏହାର ଷ୍ଟାଣ୍ଡ୍‌ବାଇ ବ୍ୟାଟେରି ଲାଇଫ୍‌ ୪୨ ଦିନ ରହିଛି। ଏହାର ବିଭକ୍ତଶୀଳ ପରଦା ଓ ଭାସମାନ ଵିଣ୍ଡୋ ଯୋଗୁଁ ଏଥିରେ ଏକାସାଙ୍ଗରେ ଏକାଧିକ କାର୍ଯ୍ୟ କରିବାର କ୍ଷମତା ରହିଛି। ଯଦିଓ ଏହାର ମୂଲ୍ୟ ବାବଦରେ କିଛି ଘୋଷଣା ହୋଇନାହିଁ, ତେବେ ଏହାର ୟୁରୋପୀୟ ସଂସ୍କରଣ ଅନୁସାରେ ୪ ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍‌ ବିଶିଷ୍ଟ ପ୍ୟାଡ୍‌ ଏସ୍‌ଇର ମୂଲ୍ୟ ପାଖାପାଖି ୧୮,୦୦୦ ଟଙ୍କା ଓ ତାହାର ୬ ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍‌ ସଂସ୍କରଣର ମୂଲ୍ୟ ୨୦,୮୦୦ ଟଙ୍କା ଭିତରେ ରହିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର