ବ୍ୟାଙ୍କ କାରବାର ପାଇଁ ଜରୁରି କୋଡ୍‌

ବ୍ୟାଙ୍କରେ ଖାତାଟିଏ ଖୋଲିବା ପରେ ସେଥିରୁ ଟଙ୍କା ଦେଣନେଣ କରିବା ପାଇଁ ଆମକୁ ନିଜ ଖାତା ନମ୍ବର, ବ୍ୟାଙ୍କ ଓ ଶାଖାର ନାମ ସହିତ ଭିନ୍ନଭିନ୍ନ ସମୟରେ ବ୍ରାଞ୍ଚ୍ କୋଡ୍ ଓ ଆଇଏଫ୍ଏସ୍ କୋଡ୍ ଆଦି ଲେଖିବା ଦରକାର ହୋଇଥାଏ।
ଆସନ୍ତୁ ଜାଣିବା, ଏହି କୋଡ୍‌ଗୁଡ଼ିକ କ’ଣ ଏବଂ ଏହା କେଉଁଥିପାଇଁ ବ୍ୟବହାର କରାଯାଏ?

ବ୍ରାଞ୍ଚ୍ କୋଡ୍: ବ୍ୟାଙ୍କଗୁଡ଼ିକର ବିଭିନ୍ନ ସ୍ଥାନରେ ଏକାଧିକ ଶାଖା ରହିଥିବାରୁ ପ୍ରତ୍ୟେକ ଶାଖାକୁ ଏକ ନିର୍ଦ୍ଦିଷ୍ଟ ନମ୍ବର ବା ବ୍ରାଞ୍ଚ୍ କୋଡ୍ ଦ୍ବାରା ଚିହ୍ନିତ କରାଯାଏ। ଏହା ତିନିରୁ ଛଅ ଅଙ୍କ ବିଶିଷ୍ଟ ଏକ ସଂଖ୍ୟା। ଉଦାହରଣ ସ୍ୱରୂପ ଭାରତୀୟ ଷ୍ଟେଟ ବ୍ୟାଙ୍କର ଭୁବନେଶ୍ବର ମୁଖ୍ୟ ଶାଖାର ବ୍ରାଞ୍ଚ୍ କୋଡ୍ ହେଲା ୦୦୦୦୪୧। ପ୍ରତ୍ୟେକ ଶାଖାର କୋଡ୍ ସ୍ବତନ୍ତ୍ର। କୌଣସି ଦୁଇଟି ଶାଖାର ବ୍ରାଞ୍ଚ୍ କୋଡ୍ ସମାନ ହୋଇପାରିବ ନାହିଁ।

ଆଇ.ଏଫ୍.ଏସ୍. କୋଡ୍: ଇଣ୍ଡିଆନ ଫାଇନାନ୍‌ସିଆଲ ସିଷ୍ଟମ୍ କୋଡ୍ ବା ଆଇଏଫ୍ଏସ୍‌ସି ନାମରେ ପରିଚିତ ଏହି ୧୧ସଂଖ୍ୟା ବିଶିଷ୍ଟ କୋଡ୍‌ରେ ଅକ୍ଷର ଓ ଅଙ୍କ ଉଭୟ ଥାଏ। ଏହାର ପ୍ରଥମ ୪ଟି ସ୍ଥାନରେ ଥିବା ୪ଟି ଅକ୍ଷର ବ୍ୟାଙ୍କର ନାମକୁ ବୁଝାଏ। ଉଦାହରଣ ସ୍ୱରୂପ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଶାଖାର ଆଇଏଫ୍ଏସ୍ କୋଡ୍‌ର ପ୍ରଥମ ଚାରିଟି ଅକ୍ଷର HDFC ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଶାଖା କ୍ଷେତ୍ରରେ ଏହା SBIN ହୋଇଥାଏ। ଏହି କୋଡ୍‌ର ଶେଷ ଛଅଟି ଅଙ୍କରେ ବ୍ରାଞ୍ଚ୍ କୋଡ୍ ହିଁ ଲେଖାଥାଏ। ପଞ୍ଚମ ସ୍ଥାନରେ ‘0’ (ଶୂନ୍‌) ଥାଏ। ଅନ୍‌ଲାଇନ୍‌ ଟଙ୍କା ଦେଣନେଣ ଅର୍ଥାତ୍‌ ଆଇଏମ୍‌ପିଏସ୍, ଏନ୍‌ଇଏଫ୍‌ଟି ବା ଆର୍‌ଟିଜିଏସ୍ କରିବା ସମୟରେ ଏହି ୧୧ସଂଖ୍ୟା ବିଶିଷ୍ଟଆଇଏଫ୍.ଏସ୍.ସି. ମାଧ୍ୟମରେ ବ୍ୟାଙ୍କ ଓ ତାହାର ନିର୍ଦ୍ଦିଷ୍ଟ ଶାଖାକୁ ଚିହ୍ନଟ କରାଯାଏ। ଏଣୁ ଏହି କୋଡ୍ ଠିକ୍ ଭାବରେ ଲେଖିବା ଜରୁରି। ଗ୍ରାହକଙ୍କ ସୁବିଧା ଲାଗି ପାସ୍‌ବୁକ୍ ଓ ଚେକ୍ ବହିର ପ୍ରଥମ ପୃଷ୍ଠାରେ ତଥା ପ୍ରତ୍ୟେକ ଚେକ୍ ଉପରେ ଶାଖାର ନାମ, ଠିକଣା ଓ ଆଇଏଫ୍‌ଏସ୍ କୋଡ୍ ଆଦି ଲେଖାଥାଏ। ସଂପୃକ୍ତ ବ୍ୟାଙ୍କର ୱେବସାଇଟ୍‌ରେ ମଧ୍ୟ ଏହି ତଥ୍ୟ ଉପଲବ୍ଧ।

ସମ୍ବନ୍ଧିତ ଖବର