‘୨୪ ବର୍ଷର ମୁଖ୍ୟମନ୍ତ୍ରୀ ମିଛ କହିବା ଠିକ୍‌ ନୁହେଁ’

ଭୁବନେଶ୍ବର: ୨୪ ବର୍ଷର ମୁଖ୍ୟମନ୍ତ୍ରୀ ମିଛ କହିବା ଠିକ୍‌ ନୁହେଁ। ଦୁଃଖ ଲାଗୁଛି, ମୁଖ୍ୟମନ୍ତ୍ରୀଙ୍କୁ ମିଛ କହିବାକୁ ବି ତାଙ୍କ କୋଟରି ତାଙ୍କୁ ବାଧ୍ୟ କଲା। କୋଟରି ସ୍କ୍ରିପ୍ଟ ଦେଲେ, ମୁଖ୍ୟମନ୍ତ୍ରୀ ତାକୁ ପଢ଼ି ଦେଲେ। ଜାଣି ପାରିଲେ ନାହିଁ କ’ଣ କହୁଛନ୍ତି। ଏତେ ବର୍ଷର ମୁଖ୍ୟମନ୍ତ୍ରୀଙ୍କୁ ସ୍କ୍ରିପ୍ଟ ଦେଖି ପଢ଼ିବା ଶୋଭା ପାଉନାହିଁ। ସେ ଟିକେ ଦେଖିକି ବୁଝିକି ପଢ଼ିଥିଲେ ଭଲ ହୋଇଥା’ନ୍ତା। ୪୮ ଘଣ୍ଟା ପରେ ବି ମୁଖ୍ୟମନ୍ତ୍ରୀ କରିଥିବା ଅଭିଯୋଗର ନା ସେ ପ୍ରମାଣ ଦେଲେ, ନା ଡିବେଟ୍‌ ପାଇଁ ଆସିଲେ। ‌ତେଣୁ ତାଙ୍କର ନୈତିକ ଅଧିକାର ନାହିଁ ମୋ ଉପରେ କୌଣସି ଅଙ୍ଗୁଳି କରିବା। ଆଜି ଏଭଳି ଶାଣିତ ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଆଜି ପଳାସପଲ୍ଲୀ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ‘ମୁଁ ଲିଙ୍ଗରାଜ ଆଇନକୁ ବିରୋଧ କରିଛି ଓ ସଂସଦୀୟ କ୍ଷେତ୍ର ପାଇଁ କିଛି କରିନି ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ ଆଣିଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଟେକ୍ ନେବାକୁ ପଡ଼ିଥିବ। ଜଣେ ୨୪ ବର୍ଷର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋ ପରି ଜଣେ ସାଧାରଣ ପ୍ରଥମ ଥରର ସାଂସଦଙ୍କ ବିରୋଧରେ କହିବା ହାସ୍ୟାସ୍ପଦ। ମୋତେ କଷ୍ଟ ହେଉନାହିଁ, ମୁଁ ଏଥିରେ ମର୍ମାହତ। ମୁଁ ଲିଙ୍ଗରାଜ ଆଇନକୁ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବରେ ବିରୋଧ କରିଛି ବୋଲି ଯଦି କିଛି ପ୍ରମାଣ ଅଛି ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲି। କିନ୍ତୁ ୪୮ ଘଣ୍ଟା ବିତି ଯାଇଥିଲେ ବି କୌଣସି ଉତ୍ତର ଦେଇ ନାହାନ୍ତି ମୁଖ୍ୟମନ୍ତ୍ରୀ। ତେବେ କାହିଁକି ମିଛ କହୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା।

ଅନ୍ୟପଟେ ତାଙ୍କର ୫ ବର୍ଷର ରିପୋର୍ଟ କାର୍ଡ ଦେଖାଇ କହିଛନ୍ତି, ମୁଁ ପ୍ରତିବର୍ଷ ମୋର ରିପୋର୍ଟ କାର୍ଡ ପ୍ରସ୍ତୁତ କରୁଛି ଓ ଲୋକଙ୍କୁ ଦେଉଛି। ପ୍ରାୟ ୨୦ ଲକ୍ଷ ଲୋକ ରିପୋର୍ଟ କାର୍ଡ ପାଇଛନ୍ତି। ପବ୍ଲିକ୍‌ ଡୋମେନ୍‌ରେ ମଧ୍ୟ ରିପୋର୍ଟ କାର୍ଡ ରହିଛି। ଯେତେ କାମ ହୋଇଛି ଲୋକଙ୍କ ସହଯୋଗରେ ହୋଇଛି। ହେଲେ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀ ନ ପଢ଼ି ଅଭିଯୋଗ ଆଣିବା ଠିକ୍‌ କି? ବିଜେଡିର ୧୨ ସାଂସଦଙ୍କ ମଧ୍ୟରୁ କେହି ରିପୋର୍ଟ କାର୍ଡ ଦେଉଛନ୍ତି କି? ଯଦି ଦେଇଛନ୍ତି ତେବେ ତାହା ପବ୍ଲିକ୍ ଡୋମେନ୍‌ରେ ରଖାଯାଉ। ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିକାଶ ସମ୍ପର୍କରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ‌ଖୋଲା ବିତର୍କ ପାଇଁ ଅନୁରୋଧ କରିଥିଲି। ଯାହାକୁ ୪୮ ଘଣ୍ଟା ବିତିଗଲେ ସୁଦ୍ଧା କୌଣସି ଉତ୍ତର ପାଇଲି ନାହିଁ। ତାଙ୍କ ପସନ୍ଦ ଅନୁଯାୟୀ ସ୍ଥାନ ଓ ସମୟ କୁହନ୍ତୁ ମୁଁ ଆସିଯିବି। ଏବେ ତ ଆଉ ସମୟ ନାହିଁ ନିର୍ବାଚନ ପରେ ହେଲେ ବି ମୁଁ ପ୍ରସ୍ଥୁତ ଅଛି। କିନ୍ତୁ ଭଲ ହୋଇଥାନ୍ତା ନିର୍ବାଚନ ପୂର୍ବରୁ ଡିବେଟ୍‌ କରିଥିଲେ।

ଅପରାଜିତା ଆହୁରି କହିଛନ୍ତି, ଗତ ୫ ବର୍ଷରେ ୧୪ ହଜାର ୩୧୭ ଅଭିଯୋଗ ମୋ ପାଖକୁ ଆସିଥିଲା। ସେଥି ମଧ୍ୟରୁ ୮୮ % ଅଭିଯୋଗର ସମାଧାନ ହୋଇଛି। ଭୁବନେଶ୍ବରର ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖିଛି। ମୁଁ ସାମ୍ବିଧାନିକ ପଦବିରେ ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମୋର ଗୋଟିଏ ବି ଚିଠିର ଉତ୍ତର ମିଳିନାହିଁ। ଭୁବନେଶ୍ବରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ କେତେ ଆନ୍ତରିକତା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। ଗତ ୫ ବର୍ଷରେ ୧୫ରୁ ୧୭ ଘଣ୍ଟା ଲୋକଙ୍କ ପାଇଁ କାମ କରିଛି। ତେଣୁ ଏଥର ଜନତା ଜନାର୍ଦ୍ଦନ ମୋ ପାଇଁ ନିର୍ବାଚନ ଲଢ଼ୁଛନ୍ତି। ମୁଁ ସମସ୍ତଙ୍କ ପାଖରେ କୃତଜ୍ଞ। ଯେତେ ବାଧାବିଘ୍ନ ଆସିଲେ ବି ମୁଁ ଦୁଇ ଗୁଣ ଉତ୍ସାହ ସହ ଲୋକଙ୍କ ପାଇଁ କାମ କରିବି।

ସମ୍ବନ୍ଧିତ ଖବର