ସମ୍ପତ୍ତି ଲୋଭରେ ସାନଭାଇକୁ ହତ୍ୟା!

ଭୁବନେଶ୍ବର: ସମ୍ପତ୍ତି ଲୋଭରେ ଭାଇକୁ ହତ୍ୟା କଲା ଭାଇ। ପ୍ରଥମେ ବନ୍ଦ କୋଠରିରେ ବର୍ଷ ବର୍ଷ କାଳ ନିର୍ଯାତନା ଦେଲା। ଆଉ, ଶେଷରେ ହତ୍ୟା କରି ଫୋପାଡ଼ି ଦେଲା। ଏଭଳି ଏକ ସଙ୍ଗିନ ଅଭିଯୋଗ ଆସିଛି ଧଉଳି ଥାନା ଅଞ୍ଚଳରୁ। ବାପା ଅଶୋକ କାନୁନ୍‌ଗୋଙ୍କୁ ହତ୍ୟା କରାଯାଇଥିବା ଝିଅ ସୋନାଲିକା ଅଭିଯୋଗ ଆଣିବା ପରେ ଧଉଳି ଥାନା ପୁଲିସ ମାମଲା ରୁଜୁ କରିନଥିଲା। ଏ ନେଇ ସୋନାଲିକା ହାଇକୋର୍ଟର ଦ୍ବାରସ୍ଥ ହେବାରୁ କୋର୍ଟଙ୍କ ଆଦେଶ ପରେ ପୁଲିସ ଅଶୋକଙ୍କ ବଡ଼ଭାଇ ପ୍ରଦୀପଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୋନାଲିକାଙ୍କ ଅଭିଯୋଗ ଅନୁଯାୟୀ, ୨୦୦୯ରେ ସେ ପୁରୀ ପିପିଲିସ୍ଥିତ ପଦାସାହିର ଶାଶ୍ବତ କାନୁନ୍‌ଗୋଙ୍କୁ ବିବାହ କରିଥିଲେ।

ବିବାହ ପରେ ତାଙ୍କ ବାପା-ମା’ଙ୍କ ଦେଖାରଖା କରିବା ପାଇଁ କେହି ନଥିଲେ। ଏହାର ସୁଯୋଗରେ ବଡ଼ବାପା ପ୍ରଦୀପ ତାଙ୍କ ବାପା ଓ ମା’ଙ୍କୁ ବନ୍ଦ କୋଠରିରେ ରଖି ଦୀର୍ଘ ବର୍ଷ କାଳ ଅକଥନୀୟ ନିର୍ଯାତନା ଦେଇଥିଲେ। ଏପରିକି ତାଙ୍କ ବାପା-ମା’ଙ୍କୁ ପାଗଳ ପ୍ରମାଣିତ କରିବା ପାଇଁ ନିୟମିତ ବ୍ୟବଧାନରେ କରେଣ୍ଟ୍ ଦେଇଥିଲେ। ଏହାରି ଭିତରେ ଅଶୋକଙ୍କ ମୃତଦେହ କଟକ ବାଦାମବାଡ଼ି ଥାନା ଅଞ୍ଚଳରୁ ଉଦ୍ଧାର ହୋଇଥିଲା। ପରେ ବାଦାମବାଡ଼ି ଥାନା ପୁଲିସ ଘଟଣା ସଂପର୍କରେ ତାଙ୍କ ବଡ଼ଭାଇ ପ୍ରଦୀପଙ୍କୁ ଖବର ଦେଇଥିଲା। ଅଶୋକଙ୍କ ମୃତ୍ୟୁ ଘଟିଥିବା କଥା ତାଙ୍କ ପତ୍ନୀକୁ ବା ଝିଅକୁ ଜଣାଇବା ପରିବର୍ତ୍ତେ ଖାନନଗର ଶ୍ମଶାନରେ ତରବରିଆ ଭାବେ ପୋଡ଼ି ଦେଇଥିଲେ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ କଲା ପୁଲିସ
ଦୀର୍ଘବର୍ଷ କାଳ ବାପା-ମା’ଙ୍କୁ ନିର୍ଯାତନା ଦେଉଥିଲେ ବଡ଼ବାପା: ଝିଅ

ଅଭିଯୋଗରେ ସୋନାଲିକା ଆହୁରି ଉଲ୍ଲେଖ କରିଛନ୍ତି, ତାଙ୍କ ମା’କୁ ବି ହତ୍ୟା କରିବାକୁ ଧମକ ଦିଆଯାଉଛି। ବାପା ମରିବାକୁ ନେଇ ବଡ଼ବାପା କୌଣସି ଖବର ଦେଲେନି ଶୁଦ୍ଧିକ୍ରିୟା କଲେନି। ତେଣୁ ବାପାଙ୍କୁ ମୃତ୍ୟୁ କେମିତି ଘଟିଛି, ସେ ବାବଦରେ ତଦନ୍ତ କରାଯାଉ। ଘଟଣାର ସତ୍ୟତା ଅଛି କି ନାହିଁ, ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ସ୍ପଷ୍ଟ ବୋଲି ଥାନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର