ଭୁବନେଶ୍ବରରେ ଖୋଲିବ ଏନ୍‌ସିସିର ଆର୍ମି ୟୁନିଟ୍‌

ଏନ୍‌ସିସି ୟୁନିଟ୍‌ରେ ଖାଲିଥିବା ୧୨୩ ପଦ ପୂରଣ ହେବ, କ୍ୟାଡେଟ୍‌ଙ୍କୁ କଳିଙ୍ଗ ଷ୍ଟାଡିୟମ୍‌ରେ ଦିଆଯିବ ସୁଟିଂ ତାଲିମ

ଭୁବ‌ନେଶ୍ବର : ବିଶ୍ବବିଦ୍ୟାଳୟ ଓ କଲେଜସ୍ତରରେ ଏନ୍‌ସିସିକୁ ସୁଦୃଢ଼ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ଉପଦେଷ୍ଟା କମିଟି ‌ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଏନ୍‌ସିସି ଭିତ୍ତିଭୂମିକୁ ଦୃଢ଼ କରିବା ସହ ୩ଟି ନୂତନ ୟୁନିଟ୍‌ ଖୋଲିବା, ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ଯୋଗାଇବା, ଅର୍ଥ ଯୋଗାଣ ଆଦି ବିଷୟ ଉପରେ ଆଲୋଚନା ହେବା ସହ ଏକାଧିକ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ବରରେ ଏନ୍‌ସିସିର ଗୋଟିଏ ଆର୍ମି ୟୁନିଟ୍‌ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି। ଏଥିସହ କୋ‌ରାପୁଟ‌ରେ ଏନ୍‌ସିସିର ଗ୍ରୁପ୍‌ ହେଡକ୍ବାର୍ଟର, ଝାରସୁଗୁଡ଼ାରେ ଏୟାର ସ୍କ୍ବାଡ୍‌ ଖୋଲିବା ପ୍ରସ୍ତାବକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ଦିଆଯାଇଛି। ରାଜ୍ୟ ସରକାର ଏ ଦିଗରେ ସର୍ବନିମ୍ନ ସୁବିଧା‌ ଯୋଗାଇଦେବେ। ଏନ୍‌ସିସି ୟୁନିଟ୍‌ରେ ଖାଲିଥିବା କର୍ମଚାରୀ ପଦଗୁଡ଼ିକ ମଧ୍ୟରୁ ୧୨୩ଟି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଇଥିବା ବୈଠକରୁ ସୂଚନା ମିଳିଛି। ଏନ୍‌ସିସି ପାଇଁ ରାଜ୍ୟ ଓ କେନ୍ଦ୍ର ଭାଗ ଯଥାକ୍ରମେ ୨୫:୭୫ ରହିଛି। ‌ରାଜ୍ୟ ସରକାର ନିଜ ଭାଗ ଅର୍ଥ ପ୍ରଦାନ କରିବା ପରେ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରିଥାନ୍ତି। ତେଣୁ ରାଜ୍ୟ ଅଂଶ ପ୍ରଦାନରେ ଯେପରି ବିଳମ୍ବ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।

ଏନ୍‌ସିସିରେ ଭାଗ ନେବା ଦ୍ବାରା ବହୁ ଛାତ୍ରଛାତ୍ରୀ ପରୀକ୍ଷାରୁ ବଞ୍ଚିତ ହୁଅନ୍ତି। ତେଣୁ ଏଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ବୈଠକରେ ଗୁରୁତ୍ବାରୋପ କରିଥିଲେ। ଯେଉଁମାନେ ପରୀକ୍ଷା ସମୟରେ ଜାତୀୟ ତଥା ଆରଡିସିସ୍ତରୀୟ କ୍ୟାମ୍ପରେ ଭାଗ ନେବାକୁ ଯାଉଛନ୍ତି ସେମାନଙ୍କ ପାଇଁ ସ୍ବତନ୍ତ୍ର ପେପର/କ୍ଲାସ/ଗ୍ରେଡ୍‌ ବ୍ୟବସ୍ଥା କରିବାକୁ କହିଛନ୍ତି। ଏନ୍‌ସିସି କ୍ୟାଡେଟ୍‌ମାନଙ୍କୁ କଳିଙ୍ଗ ଷ୍ଟାଡିୟମ୍‌ରେ ସୁଟିଂ ତାଲିମ ଦିଆଯିବ। ସ୍କୁଲରେ ନାମଲେଖା ସମୟରେ ଏନ୍‌ସିସି ବାବଦରେ ୨ଟଙ୍କା ଓ କଲେଜରେ ୫ଟଙ୍କା ଲେଖାଏ ଆଦାୟ କରାଯିବ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏନ୍‌ସିସି କ୍ୟାଡେଟ୍‌ମାନଙ୍କୁ ବୋଟ୍‌, ଜେଟି ବ୍ୟବସ୍ଥା କରିବା, ଜାତୀୟ କ୍ୟାମ୍ପରେ ଭାଗ ନେବା ସମୟରେ ଟ୍ରାକ୍‌ ସୁଟ୍‌, ବ୍ଲେଜର, ସୁଜ୍‌ ବ୍ୟବସ୍ଥା କରିବାକୁ ସ୍ଥିର ହୋଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ରିପବ୍ଲିକ ଡେ’ କ୍ୟାମ୍ପରେ ଯେପରି ଓଡ଼ିଶାର ଛାତ୍ରଛାତ୍ରୀ ଭାଗ ନେଇପାରିବେ ସେଦିଗରେ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର