ଦିନତମାମ୍‌ ପୁଲିସ-ଆନ୍ଦୋଳନକାରୀ ଛକାପଞ୍ଝା

ଭୁବନେଶ୍ବର: ଗୋଟିଏ ଦିନରେ ତିନି ତିନିଟି ସଂଘର ଆନ୍ଦୋଳନ ଡାକରା ଆଜି କମିସନରେଟ୍‌ ପୁଲିସ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଥିଲା। ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସାଙ୍ଗକୁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଓ ଆଶାକର୍ମୀଙ୍କ ଆନ୍ଦୋଳନ ଡାକରା କମିସନରେଟ୍‌ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଏହି ତିନି ବଡ଼ଧରଣର ଆନ୍ଦୋଳନ ଆଇନଶୃଙ୍ଖଳା ସ୍ଥିତି ବିଗାଡ଼ିବା ଆଶଙ୍କା ଥିଲା। ତେବେ କୌଣସି ପ୍ରକାର ବଡ଼ଧରଣ ଅପ୍ରୀତିକର ସ୍ଥିତିକୁ ପୁଲିସ ଏଡ଼ାଇବାରେ ସକ୍ଷମ ହୋଇଛି। ଡ୍ରାଇଭର ସଂଘ ସହର ଭିତରକୁ ପଶି ପାରିନଥିବା ବେଳେ ଶିକ୍ଷକମାନଙ୍କ ମେଳିକୁ ପୁଲିସ ଘଉଡ଼ାଇବାରେ ସକ୍ଷମ ହୋଇଥିଲା। ତେବେ ଲୋୟର୍‌ ପିଏମ୍‌ଜିରେ ଗଣବିକ୍ଷୋଭ ପ୍ରଦର୍ଶନ କରିବାକୁ ଆଶାକର୍ମୀ ସଂଘକୁ ପୁଲିସ ଅନୁମତି ଦେଇଥିଲା। ତେଣୁ ଦିନ ତମାମ ପୁଲିସ-ଆନ୍ଦୋଳନକାରୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲେ ବି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିନାହିଁ। ଏଣେ ଡ୍ରାଇଭର ସଂଘର ଜାତୀୟ ରାଜପଥ ଅବରୋଧ ଯୋଗୁ ବହୁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ। ସମ୍ପୂର୍ଣ୍ଣ ନ ହେଲେ ବି ବସ୍ ଚଳାଚଳ ବହୁ ମାତ୍ରାରେ ବାଧାପ୍ରାପ୍ତ ହେବାରୁ ଦୂରଦୁରାନ୍ତ ଯାତ୍ରୀମାନେ ହଇରାଣ ହୋଇଥିଲେ।

ଏହି ଆନ୍ଦୋଳନର ଦିନକ ପୂର୍ବରୁ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଆନ୍ଦୋଳନକାରୀମାନଙ୍କୁ କଡ଼ା ଚେତାବନୀ ଦେଇଥିଲେ। ଆନ୍ଦୋଳନ ନାଁରେ ରାସ୍ତାରେ କୌଣସି ଲୋକଙ୍କୁ ହଇରାଣ କଲେ, ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦିଆଯାଇଥିଲା। ଡ୍ରାଇଭର ସଂଘ ଓ ଶିକ୍ଷକ ସଂଘକୁ ସହର ଭିତରେ ପଶିବାକୁ ରୋକ୍‌ଠୋକ ମନା କରାଯାଇଥିଲା। କେବଳ ‌ସେତିକି ନୁହେଁ, ଏହି ଦୁଇ ସଂଘ ଯେମିତି ସହର ଭିତରକୁ ଧସେଇ ନ ପଶିବେ, ସେଥିପ୍ରତି କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। ପୂର୍ବରୁ ଡ୍ରାଇଭର ସଂଘ ରାଜଧାନୀରେ ଆନ୍ଦୋଳନ ନାଁରେ କରିଥିବା ଉତ୍ପାତକୁ ନଜରରେ ରଖି ପୁଲିସ ପକ୍ଷରୁ କଡ଼ା କଟକଣା ଲାଗୁ କରାଯାଇଥିଲା। ଗତକାଲି ରାତିରୁ ପୁଲିସ ରାଜଧାନୀର ବିଭିନ୍ନ ପ୍ରବେଶ ପଥରେ କଡ଼ା ପହରା ବ୍ୟବସ୍ଥା ବି କରିରଖିଥିଲା। ଏହାସତ୍ତ୍ବେ ଆଜି ସକାଳୁ ସକାଳୁ ଚାରି ଦିଗରୁ ଚାଳକ ଆନ୍ଦୋଳନକାରୀମାନେ ରାଜଧାନୀକୁ ଘେରିଯାଇଥିଲେ।

ସହରରେ ପଶିପାରିଲାନି ଡ୍ରାଇଭର ସଂଘ
କାମକଲାନି ଶିକ୍ଷକମାନଙ୍କ ମେଳି
ଆଶାକର୍ମୀ ସଂଘକୁ ମିଳିଲା ଅନୁମତି

ରାଜଧାନୀ ଉପକଣ୍ଠ ଦେଇ ସହର ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ୧୬ ନମ୍ବର ଜାତୀୟ ରାଜପଥରେ ଗଙ୍ଗପଡ଼ା, ତମାଣ୍ଡୋ ଠାରୁ ଆରମ୍ଭ କରି ବରମୁଣ୍ଡା ଯାଏ ଏବଂ ବାଲିଅନ୍ତା, ବାଲିପାଟଣା, ପାହାଳ, ତ୍ରିଶୁଳିଆ, ଟଙ୍କପାଣି ବ୍ରିଜ୍‌ ସବୁଠି ମେଳି ବାନ୍ଧି ରାସ୍ତା ଅବରୋଧ କରିଥିଲେ। କିନ୍ତୁ ପୂର୍ବରୁ ପହରା ଦେଉଥିବା ପୁଲିସ ସେମାନଙ୍କୁ ବୁଝାସୁଝା କରି ନିୟନ୍ତ୍ରଣ କରିଥିଲା। ତେଣୁ ଡ୍ରାଇଭରମାନେ ଗଣ୍ଡଗୋଳ ନ କରି କେବଳ ମାଲବାହୀ ଗାଡ଼ିସବୁକୁ ଅଟକାଇଥିଲେ। କାର୍‌, ବସ୍‌, ଅଟୋ ଓ ବାଇକ୍‌ ଆଦିକୁ ଅଟକାଇନଥିଲେ। ଜଟଣୀ ବିଧାୟକ ସୁର ରାଉତରାୟ ତମାଣ୍ଡୋରେ ବିକ୍ଷୋଭକାରୀମାନଙ୍କୁ ଭେଟି ସମର୍ଥନ ଜଣାଇବା ସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ବୁଝାଇଥିଲେ। ଅବଶ୍ୟ କିଛି କିଛି ସ୍ଥାନରେ ଅଟୋ ଚାଳକମାନଙ୍କୁ ବିକ୍ଷୋଭକାରୀମାନେ ଅଟକାଇ ଗାଳିମନ୍ଦ କରୁଥିବା ଦେଖିବାକୁ ମିଳିଥିଲା। ସେହିଭଳି କିଛି ଅଟୋ ଚାଳକଙ୍କୁ ଫୁଲ, ଚନ୍ଦନ ଦେବା ସହ ବେକରେ ଫୁଲ ମାଳ ପକାଇ ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରିଥିଲେ। ମୋଟାମୋଟି ଭାବେ ଡ୍ରାଇଭର ସଂଘର ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଥିଲା। ଏହା ଭିତରେ ବରମୁଣ୍ଡାରୁ ବସ୍‌ ଚଳାଚଳ ଆଂଶିକ ବାଧାପ୍ରାପ୍ତ ହୋଇଥିଲା। ସକାଳୁ ବସ୍‌ ଚଳାଚଳ ସ୍ବାଭାବିକ ଥିବା ବେଳେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହା କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା।

ଏପଟେ ଶିକ୍ଷକ ସଂଘ ଆନ୍ଦୋଳନକୁ ବି ପୁଲିସ ଆଜି କରାଇଦେଇନଥିଲା। ଗତକାଲି ରାତିରୁ କିଛି ଶିକ୍ଷକ ରାଜଧାନୀରେ ପଶି ସାରି ଏଠିସେଠି ଡେରା ପକାଇଥିଲେ। କିନ୍ତୁ ସକାଳୁ ସେମାନଙ୍କ ମେଳି କାମକଲା ନାହିଁ। ପୁଲିସ ସେମାନଙ୍କୁ ଘଉଡ଼ାଇବାରୁ ସେମାନଙ୍କ ବଡ଼ଧରଣର ମେଳି ବାନ୍ଧିବା ସମ୍ଭବ ହୋଇନଥିଲା। କିଛି ଶିକ୍ଷକ ଇନ୍ଦିରା ଗାନ୍ଧୀ ପାର୍କ ନିକଟରେ ଏକାଠି ହୋଇ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ବେଳେ ପୁଲିସ ସେମାନଙ୍କୁ ଗୋଡ଼ାଇଥିଲା। ତେଣୁ ସେମାନେ ମେଳି ଭାଙ୍ଗି ଫେରିଯାଇଥିଲେ। ତେବେ ଆଶାକର୍ମୀ ସଂଘ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଶୋଭାଯାତ୍ରାରେ ବାହାରି ବିଧାନସଭା ଆଡ଼କୁ ମୁହାଁଇଥିଲା ଏବଂ ପୁଲିସ ଅଟକାଇବା ପରେ ପ୍ରତିବାଦ ସଭା କରିବା ସହ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରଖିଥିଲା।

ସହର ଭିତରେ ଯାତ୍ରୀ ହନ୍ତସନ୍ତ

କମିସନରେଟ୍‌ ପୁଲିସର ପ୍ରସ୍ତୁତି ‌ଲାଗି ରାଜଧାନୀ ଭିତରେ ଆଜି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲେ ହେଁ ବହୁ ଯାତ୍ରୀ ହଇରାଣ ହରକତ ହୋଇଥିବା ଦେଖିବାକୁ ମିଳିଥିଲା। ମୋ’ ବସ୍‌ ଚଳାଚଳ ସ୍ବାଭାବିକ ଥିଲେ ବି ଅଟୋ ଚଳାଚଳ କମ୍ ଥିବାରୁ ଲୋକେ ହଇରାଣ ହୋଇଥି‌ଲେ। ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନରେ ବହୁ ଅଟୋ ଚାଳକ ସାମିଲ ହୋଇଥିଲେ। ଏହା ବାଦ୍ ଅନ୍ୟ ଅଟୋ ଚାଳକମାନେ ଭୟରେ ଗାଡ଼ି ନେଇ ରାସ୍ତାକୁ ଆସିନଥିଲେ। ଯେଉଁମାନେ ସାହସ କରି ଆସିଥିଲେ, ସେମାନଙ୍କ ସଂଖ୍ୟା ବେଶ୍‌ କମ୍‌ ଥିଲା। ତେଣୁ ମୋ’ ବସ୍‌ରେ ପ୍ରବଳ ଗହଳି ହେଉଥିବା ବେଳେ ଅଟୋରେ ଯିବାକୁ ଇଛା କରୁଥିବା ଲୋକେ ଗାଡ଼ି ନପାଇ ବେଶ୍ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବାଧ୍ୟ ହେଉଥିଲେ। ତେବେ ବେଶି ହଇରାଣ ହୋଇଥିଲେ ଉପକଣ୍ଠର ଯାତ୍ରୀମାନେ। ଟାଉନ୍‌ ଭିତରେ ଯାହା କିଛି ଅଟୋ ବୁଲୁଥିଲା, କିନ୍ତୁ ଉପକଣ୍ଠରେ ତମାଣ୍ଡୋ, ପାହାଳ, ହଂସପାଳ ଭଳି ଅଞ୍ଚଳକୁ ବହୁ କମ୍ ଅଟୋ ଯାଉଥିଲା। ତେଣୁ କେବଳ ମୋ’ ବସ୍‌ରେ ଲଦାଲଦି ହୋଇ ଯାତ୍ରୀମାନେ ଯା’ଆସ କରିଥିଲେ।

ସମ୍ବନ୍ଧିତ ଖବର