ରାବଣପୋଡ଼ି‌ରେ ବର୍ଷା ବାଧକ

ଭୁବନେଶ୍ବର: ନବମୀ ଦିନ ତୁହାକୁ ତୁହାକୁ ବର୍ଷିଲା। ତେଣୁ ରାଜଧାନୀରେ ବିଭିନ୍ନ ପୂଜାମଣ୍ଡପରେ ଗହଳଚହଳ ନଥିଲା। ମା’ଙ୍କୁ ଦର୍ଶନ କରିବାକୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ବର୍ଷା ସମସ୍ୟା ହୋଇଠିଆହେଲା। ତେବେ ବିଜୟା ଦଶମୀ ଦିନ ପାଗ ଭଲ ଦେଲା। ଅପରାହ୍ଣ ବେଳକୁ ଆକାଶ ମେଘମୁକ୍ତ ହୋଇଯାଇଥିଲା। ତେଣୁ ସନ୍ଧ୍ୟାରେ ଲୋକେ ପୂଜାମଣ୍ଡପ ବୁଲିବାକୁ ବାହାରିପଡ଼ିଥିଲେ। ବିଜୟା ଦଶମୀ ଅବସରରେ ରାବଣପୋଡ଼ି ଦେଖିବାର ମଉକା ମିଳିଥିବାରୁ ବହୁ ଲୋକ ବଡ଼ ଉତ୍ସାହର ସହିତ ଘରୁ ବାହାରିପଡ଼ିଥିଲେ। କିନ୍ତୁ ପୁଣି ଦାଉ ସାଧିଲା ବର୍ଷା। ରାବଣପୋଡ଼ି ଫିକା ପଡ଼ିଗଲା। କେଉଁଠି ରାବଣ ପୂରା ପୋଡ଼ିଲାନି ତ କେଉଁଠି ଲୋକେ ଦେଖିବାକୁ ନଥିଲେ। କିନ୍ତୁ ଗତକାଲି ସନ୍ଧ୍ୟାରେ ବିଭିନ୍ନ ପୂଜା ମଣ୍ଡପରେ ସିନ୍ଦୂର ଖେଳ ଜମିଥିଲା। ବରମୁଣ୍ଡା ପଡ଼ିଆରେ ରାବଣପୋଡ଼ି ଦେଖିବାକୁ ସଂଧ୍ୟା ୬ଟାରୁ ଲୋକଙ୍କ ଭିଡ଼ ଲାଗିଥିଲା।

ଏହି ଉତ୍ସବରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅତିଥି ଭାବେ ଯୋଗ ଦେଇଥିଲେ। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ରାବଣ ମୂର୍ତ୍ତିକୁ ତୀର ମାରିଥିଲେ। ମାତ୍ର ଏହାର କିଛି କ୍ଷଣ ପରେ ହିଁ ଅତର୍କିତ ଭାବେ ମୂଷଳଧାରାରେ ବର୍ଷିଲା। ଫଳରେ ରାବଣ ମୂର୍ତ୍ତିରେ ଖଞ୍ଜା ହୋଇଥିବା ବହୁ ବାଣ ଦରଫୁଟା ହୋଇ ରହିଗଲା। ରାବଣ ବି ଦରପୋଡ଼ା ହୋଇରହିଲା। କର୍ପୋରେଟର ସୁଜାତା ଛୋଟରାୟ, ଦୀପକ କୁମାର ମିଶ୍ର, କିରଣବାଳା ମାଝୀ, ସଂଯୁକ୍ତା ସୁନ୍ଦରାୟ, ରାମଚନ୍ଦ୍ର ରଣସିଂହ ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ। ସେହିଭଳି ଝାରପଡ଼ା ଦୁର୍ଗାପୂଜା ସମିତି ପକ୍ଷରୁ ଆୟୋଜିତ ରାବଣପୋଡ଼ି ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗ ଦେଇଥିଲେ। ସମିତିର ସଭାପତି ଶିଖରଚନ୍ଦ୍ର ଜେନା, ସମ୍ପାଦକ ଧରଣୀଧର ଜେନାଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର