ଶସ୍ତ୍ର ପୂଜାରେ କମ୍ପିଲା କ୍ଷତ୍ରୀୟ ଗଡ଼

ବାଲିପାଟଣା: ଦଶହରା ଅବସରରେ ବାଲିପାଟଣାର ବିଭିନ୍ନ ରାଜା ରାଜୁଡ଼ା ଅମଳର କ୍ଷତ୍ରୀୟ ଗଡ଼ରେ ଶସ୍ତ୍ର ପୂଜା ପରମ୍ପରା ରହିଛି। ପରମ୍ପରା ଅନୁସାରେ ମଙ୍ଗଳବାର ଏହି ସବୁ ଗଡ଼ର କ୍ଷତ୍ରୀୟ ପରିବାରଗୁଡ଼ିକରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ପୂଜା ଅନୁଷ୍ଠିତ ହୋଇଯାଇଛି। ଗଡ଼ବନ୍ତପୁର, ଗଡ଼ ଚାରିପଡା, ବେଙ୍ଗବତୀ ଗଡ଼, ଭଅଁରା ନିଜିଗଡ଼ ସମେତ ଡେଙ୍ଗ, ଜିତେନା, ମହୁଖଣ୍ଡା, ସାହେବନଗର, ଝିଣ୍ଟି ଜେନାସାହି, ଆଇତଳଙ୍ଗ, ଆମେଣାକୁଦ ପ୍ରଭୃତି ସ୍ଥାନରେ ଅସ୍ତ୍ର ପୂଜା ହୋଇଯାଇଛି। ପାଟଖଣ୍ଡା, ତଲୁଆର, ବର୍ଚ୍ଛା, ଢାଲ, ଧନୁତୀର, ଭୁଜାଲି, ଫାର୍ସା, ବନ୍ଧୁକ, ତେଣ୍ଟା, ଗୁପ୍ତି, ମୁଦଗର ଆଦିକୁ ମାର୍ଜନା କରାଯିବା ପରେ ସଜ ବସିଥିଲା। ଅସ୍ତ୍ରଶସ୍ତ୍ରଗୁଡ଼ିକୁ ନୂଆ ବସ୍ତ୍ରରେ ସଜ୍ଜିତ କରି ଆସ୍ଥାନରେ ରଖି ରୀତିନୀତିରେ ପୂଜା କରାଯାଇଥିଲା। ଏହି ଅବସରରେ ଘରେ ଘରେ ବିଭିନ୍ନ ପ୍ରକାର ପିଠାପଣା ହୋଇଥିଲା। ସଜ ଉଠିବା ପରେ ପାଇକ ଆଖଡ଼ା ଖେଳ ଦେଖିବାକୁ ମିଳିଥିଲା। ଢୋଲ ଓ ତୁରୀ ବାଦ୍ୟର ତାଳେ ତାଳେ ପାଇକମାନେ ବିଭିନ୍ନ ପ୍ରକାର ସାମରିକ କ୍ରୀଡ଼ା ପ୍ରଦର୍ଶନ କରିଥିଲେ।

ଦଶହରା ପର୍ବ ପାଳନ ଅବସରରେ ବାଲିପାଟଣାସ୍ଥିତ ଶ୍ରୀବୁଦ୍ଧନାଥ ବ୍ୟବସାୟୀ ସଂଘ, ସାର୍ବଜନୀନ ଦୁର୍ଗାପୂଜା ପୂଜା କମିଟି ଓ ବନମାଳୀପୁର କୁଶଭଦ୍ରା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଦୁର୍ଗାପୂଜା ଆୟୋଜିତ ହୋଇଥିବା ବେଳେ ବନମାଳୀପୁର ବାଲିକୁଦା ପଡ଼ିଆରେ ହରପାର୍ବତୀ ପୂଜା ଅନୁଷ୍ଠିତ ହୋଇଯାଇଛି। ବନମାଳୀପୁରରେ ଭସାଣ ଉତ୍ସବ ଦେଖିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା। ଏଠାରେ ଆତସବାଜି କାର୍ଯ୍ୟକ୍ରମ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା।

ସମ୍ବନ୍ଧିତ ଖବର