ବିଦାୟ ନେଲେ ମା’ : ତୁହାକୁ ତୁହା ବର୍ଷା ସ‌ତ୍ତ୍ବେ ପ୍ରବଳ ଉତ୍ସାହ

ତୁହାକୁ ତୁହା ବର୍ଷାରେ ମଧ୍ୟ ପ୍ରବଳ ଉତ୍ସାହ, କଟକରେ ୧୭୦, ଭୁବନେଶ୍ବରରେ ୧୭୮ଟି ମେଢ଼

ଭୁବନେଶ୍ବର/କଟକ : ଦିନସାରା ତୁହାକୁତୁହା ବର୍ଷା। ଏଭଳି ପ୍ରତିକୂଳ ପାଗରେ ବି ମା’ଙ୍କୁ ମେଲାଣି ଦେବା ଲାଗି ଭୁବନେଶ୍ବର ଓ କଟକରେ ଭସାଣି ଶୋଭାଯାତ୍ରାରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ମା’ ଦୁର୍ଗାଙ୍ଗ ମୂର୍ତ୍ତିକୁ ବର୍ଷାରୁ ସୁରକ୍ଷା ଦେବାପାଇଁ ଜରି ଘୋଡ଼ାଇ ଶୋଭାଯାତ୍ରାରେ ନିଆଯାଇଥିବା ବେଳେ ବର୍ଷାରେ ଭିଜିଭିଜି ଯୁବକମାନେ ନାଚଗୀତରେ ବି‌ଭୋର ହୋଇ ମା’ଙ୍କୁ ବିଦାୟ ଦେଇଛନ୍ତି।

କଟକରେ ଗତକାଲି ରାତିରୁ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇ ଯାଇଥିବା ବେଳେ ଗୁରୁବାର ଦିନ ଗୋଟିଏ ପରେ ଗୋଟିଏ ମେଢ଼ କାଠଯୋଡ଼ିର ଦେବୀଗଡ଼ା ଗଡ଼ି ଅସ୍ଥାୟୀ ପୋଖରୀରେ ବିସର୍ଜିତ ହୋଇଛନ୍ତି। ଭସାଣି ଶୋଭାଯାତ୍ରା ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଥିବା ବେଳେ ଝାଞ୍ଜିରୀମଙ୍ଗଳା ଗଡ଼ା ନିକଟରେ ଦୁଇ ସାହିର ଲୋକ ମୁହାଁମୁହିଁ ହୋଇଛନ୍ତି। ସନ୍ଧ୍ୟାରେ କୁସୁନୁପୁର ଓ ଭାଗବତ ସାହି ମେଢ଼ ସହ ଆସିଥିବା ଯୁବକଙ୍କ ମଧ୍ୟରେ ଏଭଳି ଗଣ୍ଡଗୋଳ ଘଟି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇ ସାହିର ଯୁବକଙ୍କ
ମଧ୍ୟରେ ଢେଲା ପଥର ମାଡ଼ ହୋଇଥିଲା। ଏଥିରେ ଜଣେ ପୁଲିସ କନଷ୍ଟେବଳଙ୍କ ସମେତ ଦୁଇ ମେଢ଼ ସହିତ ଆସିଥିବା କର୍ମକର୍ତ୍ତା ଆହତ ହୋଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ କଟକ ଅଞ୍ଚଳର ୧୭୦ଟି ମଣ୍ଡପରେ ଦଶହରା ପୂଜା ଆୟୋଜନ ହୋଇଛି। ଆଜି ଏହି ଭସାଣି ସମାରୋହ ଶେଷ ହେବ ବୋଲି କୁହାଯାଉଛି।

ସେହିଭଳି ପାରମ୍ପରିକ ବାଦ୍ୟ ଓ ନୃତ୍ୟର ସମାରୋହରେ ରାଜଧାନୀ ଭୁବନେଶ୍ବର ଦୁଲୁକି ଉଠିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ମେଢ଼ମାନେ ବିଶାଳ ଶୋଭାଯାତ୍ରାରେ ରାଜଧାନୀର ରାଜରାସ୍ତା ଦେଇ କୁଆଖାଇ ନଦୀ ଅଭିମୁଖେ ଚାଲିଥିଲେ। ମା’ଙ୍କ ଶେଷ ଦର୍ଶନ ପାଇଁ ଅଗଣିତ ଶ୍ରଦ୍ଧାଳୁ ରୁଣ୍ଡ ହୋଇଥିଲେ ରାସ୍ତାକଡ଼ରେ। ଚଳିତ ବର୍ଷ ରାଜଧାନୀରେ ମୋଟ ୧୭୮ ମଣ୍ଡପରେ ମା’ ବିରାଜିଥିଲେ। ଭସାଣ ଉତ୍ସବ ପାଇଁ ୪ଟି ସ୍ଥାନରୁ ମେଢ଼ମାନେ ଶୋଭାଯାତ୍ରାରେ ବାହାରିବାର ଥିଲା। ସହିଦନଗର, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ ଓ ପୁରୁଣା ଭୁବନେଶ୍ବରରୁ ମେଢ଼ମାନେ ଏକାଠି ହୋଇ ଶୋଭାଯାତ୍ରାରେ ଯିବାର ଥିଲା। କିନ୍ତୁ ଦିନ ତମାମ୍ ବର୍ଷା ଲାଗି ରହିବାରୁ କିଛି ମେଢ଼ ନିଜ ନିଜ ମଣ୍ଡପରୁ ସିଧାସଳଖ ନଦୀପଠାକୁ ଯାଇଥିଲେ। ତେବେ ସନ୍ଧ୍ୟା ବେଳକୁ ବର୍ଷା ଛାଡ଼ିଯିବାରୁ ଭସାଣ ଉତ୍ସବ ଯଥାରୀତି ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର