ଅମିତାଭଙ୍କ ଓଡ଼ିଶା ସଂପର୍କ: ସୁଟିଂ ଶେଷ ହୋଇନଥିବା ଓଡ଼ିଆ ଫିଲ୍ମରେ ଅଭିନୟ କରିଥିଲେ

ଚାକିରି କାଳରେ ସୁନ୍ଦରଗଡ଼ର ବୀରମିତ୍ରପୁର ଆସୁଥିଲେ

ଭୁବନେଶ୍ବର: ‘ରିସ୍ତେ ମେଁ ତୋ ହମ୍‌ ତୁମ୍‌ହାରେ ବାପ୍‌ ହୋତେ ହେଁ, ନାମ୍‌ ହୈ ଶାହେନ୍‌ସା…’। ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କର ଏହି ସଂଳାପ ଖାଲି ସଂଳାପ ହୋଇ ରହିନାହିଁ; ସତକୁ ସତ ସେ ଅଭିନୟ ଜଗତର ପିତାମହ ପାଲଟି ଯାଇଛନ୍ତି। ହୋଇ ଯାଇଛନ୍ତି ଭାରତୀୟ ଫିଲ୍ମ ଜଗତର ମୁକୁଟବିହୀନ ସମ୍ରାଟ। ୫୦ ବର୍ଷ ଧରି ଅଭିନୟ ଯାତ୍ରାରେ ସେ ନିଜକୁ ଥରକୁ ଥର ପ୍ରମାଣିତ କରି ସାରିଛନ୍ତି। ବିଗ୍‌-ବି’ଙ୍କର ଓଡ଼ିଶା ସହିତ ବିଶେଷ ସଂପର୍କ ନାହିଁ। ତେବେ ସେ ଗୋଟିଏ ଓଡ଼ିଆ ଫିଲ୍ମରେ ଅଭିନୟ କରିଥିଲେ ବୋଲି ଶୁଣିଲେ ଅନେକ ଓଡ଼ିଆ ଚମକି ପଡ଼ିବେ, ସହଜରେ ବିଶ୍ବାସ କରିବେନି। କିନ୍ତୁ କଥାଟି ସତ। ୧୯୭୪ ପାଖାପାଖି ସମୟରେ ତିଆରି ହେଉଥିବା ଏକ ଓଡ଼ିଆ ଫିଲ୍ମ ‘ମୁକ୍ତା’ରେ ବିଗ୍‌-ବି ଏକ ଭୂମିକାରେ ଅଭିନୟ କରୁଥିଲେ। ଓଡ଼ିଆ ସମେତ ବଙ୍ଗଳା ଓ ଅହମିଆ ଭାଷାରେ ତିଆରି ହେଉଥିବା ସେ ଫିଲ୍ମରେ ସେ ସମୟରେ ଓଡ଼ିଆ ଫିଲ୍ମର ବଡ଼ ତାରକା ଅଭିନେତା ଶରତ ପୂଜାରୀ ମଧ୍ୟ ଥିଲେ। ତେବେ ଅଳ୍ପଦିନର ସୁଟିଂ ପରେ ଏମିତିକି କିଛି ଘଟିଲା, ଯାହା ବିଗ୍-ବିଙ୍କ ଜୀବନକୁ ପୂରା ବଦଳାଇଦେବା ସହିତ ‘ମୁକ୍ତା’ର କାମ ସେଇଠି ବନ୍ଦ ହୋଇଗଲା।

ଯାହା ଶୁଣାଯାଏ, ‘ମୁକ୍ତା’ର କାହାଣୀ ଏକ ହଲିଉଡ୍‌ ଫିଲ୍ମ ଦ୍ବାରା ପ୍ରଭାବିତ ଥିଲା। ସେଥିରେ ଅକ୍ଷୟ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଗୀତଗୁଡ଼ିକର ରେକର୍ଡିଂ ମଧ୍ୟ ଶେଷ ହୋଇ ଯାଇଥିଲା। ତେବେ ୧୯୭୩ ରେ ରିଲିଜ୍ ହେଲା ଅମିତାଭଙ୍କ କ୍ୟାରିୟର୍‌କୁ ବଦଳାଇ ଦେଇଥିବା ଫିଲ୍ମ ‘ଜଞ୍ଜିର’। ‘ଜଞ୍ଜିର’କୁ ସେତେବେଳର ବହୁ ବଡ଼ ବଡ଼ ବଲିଉଡ୍‌ ତାରକା ପ୍ରତ୍ୟାଖାନ କରିବାପରେ ତାହା ଅମିତାଭଙ୍କ ଭାଗରେ ପଡ଼ିଥିଲା। ଅମିତାଭ ସେତେବେଳେ ଜଣେ ଫ୍ଲପ୍‌ ଅଭିନେତା ଭାବେ ସ୍ବୀକୃତି ପାଇ ସାରିଥିଲେ। ତା’ ଉପରକୁ ସେତେବେଳେ ବଲିଉଡ୍‌ରେ ଯେଉଁ ଧରଣର କାହାଣୀ ପ୍ରଚଳିତ ଥିଲା, ‘ଜଞ୍ଜିର’ ତା’ଠାରୁ ସଂପୂର୍ଣ୍ଣ ଭିନ୍ନ ଥିଲା। ତେଣୁ ଫିଲ୍ମଟିକୁ ନେଇ କେହି ବିଶେଷ ଉତ୍ସାହିତ ବି ନଥିଲେ। ହେଲେ ସବୁ ଗଣନାକୁ ଭୁଲ୍‌ ପ୍ରମାଶିତ କରି ‘ଜଞ୍ଜିର୍’ ହିଟ୍ ହେଲା, କ୍ରମେ ତାହାକୁ ଦର୍ଶକ ଏତେ ପସନ୍ଦ କଲେ ଯେ ତାହା ସୁପର୍‌ହିଟ୍‌ ହୋଇଗଲା। ତା’ ସହିତ ଅମିତାଭଙ୍କ ଜୀବନ ବି ସବୁଦିନ ପାଇଁ ବଦଳିଗଲା। ସେ ହୋଇଗଲେ ଜଣେ ହିଟ୍‌ ଅଭିନେତା। ଫଳରେ ‘ମୁକ୍ତା’ ଭଳି ଆଞ୍ଚଳିକ ଭାଷାର ଫିଲ୍ମ ପାଇଁ ସମୟ ଦେବାକୁ ବୁଦ୍ଧିମାନର କାମ ହେବନାହିଁ ବୋଲି ସେ ଭାବିଲେ। ଫଳରେ ‘ମୁକ୍ତା’ର ସୁଟିଂ ସେଇଠି ଅଟକି ରହିଲା, କେବେ ସମ୍ପୂର୍ଣ୍ଣ ହୋଇ ପାରିଲାନାହିଁ।

ବଡ଼ ଅଭିନେତା ହେବାପରେ ବିଗ୍-ବି ବୋଧେ ଥରଟିଏ ଓଡ଼ିଶା ଆସିଛନ୍ତି। ଅବସର ଥିଲା ପଣ୍ଡିତ ହରି ପ୍ରସାଦ ଚୌରାସିଆଙ୍କ ଦ୍ବାରା ସ୍ଥାପିତ ବୃନ୍ଦାବନ ଗୁରୁକୁଳର ଉଦ୍‌ଘାଟନ ଉତ୍ସବ। ସେତିକିବେଳେ ପତ୍ନୀ ଜୟାଙ୍କ ସହିତ ସେ ପୁରୀ ଶ୍ରୀମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ସେଠାରୁ ଫେରି ସାମାଜିକ ଗଣମାଧ୍ୟମରେ ଶ୍ରୀମନ୍ଦିର ଅଭିଜ୍ଞତା ବିଷୟରେ ଲେଖିଥିଲେ। ଲେଖିଥିଲେ ବି ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ ଅଫିସର ଅମିତାଭ ଠାକୁରଙ୍କ କଥା।
ଓଡ଼ିଶା ସହିତ ସମ୍ଭବତଃ ତାଙ୍କର ଆଉ ଗୋଟିଏ ପୁରୁଣା ସଂଯୋଗ ଅଛି। ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ସେ କୋଲକାତାରେ ବାର୍ଡ କମ୍ପାନିରେ ଚାକିରି କରୁଥିଲେ। ସେ ବିଦେଶୀ କମ୍ପାନିର ଏକ ଶାଖା ସୁନ୍ଦରଗଡ଼ ଜିଲ୍ଲାର ଚୂନ ପଥରର ସହର ବୀରମିତ୍ରପୁରରେ ଥିଲା। ସେଥିପାଇଁ ସେ କେତେଥର ବୀରମିତ୍ରପୁର ଆସିଥିବା କଥା କିଛି ପୁରୁଣା ଲୋକ କହନ୍ତି।

ସମ୍ବନ୍ଧିତ ଖବର