ଆଦେଶ ପାଳନ କରିବା ଲୋକ ଏଠି ଆଦେଶ ଦେଉଛି: ଧର୍ମେନ୍ଦ୍ର

‘ସୃଷ୍ଟି ଏକାଡେମି’ ଓ ‘ଦିଲ୍ଲୀପ ଶତପଥୀ ମେମୋରିଆଲ୍‌ ଟ୍ରଷ୍ଟ୍‌ର କୁଇଜ୍‌ ପ୍ରତିଯୋଗିତା’

ଭୁବନେଶ୍ବର: ଓଡ଼ିଶାରେ ଏବେ ଅଗଣତାନ୍ତ୍ରିକ ଶାସନ ଚାଲିଛି। ଆଦେଶ ପାଳନ କରିବା ଲୋକ ଏଠି ଆଦେଶ ଦେଉଛି। ଏହା କ’ଣ ଆମ ପୂର୍ବସୂରୀ ମଧୁବାବୁ, ଗୋପବନ୍ଧୁ, ହରେକୃଷ୍ଣ ମହତାବଙ୍କ ସଂସ୍କାର! ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନନ୍ଦିନୀଦେବୀଙ୍କ ଜୟନ୍ତୀ। ତାଙ୍କ ହାତରେ ଓଡ଼ିଶାକୁ ନେଇ ନିର୍ଣ୍ଣୟ ନେବାର କ୍ଷମତା ଥିଲା। ହେଲେ ଦୁଃଖର ବିଷୟ, ତାଙ୍କ ନିର୍ମିତ ଓଡ଼ିଶା ଆଜି ଦ୍ବନ୍ଦ୍ବରେ। ଓଡ଼ିଶାକୁ ବିଶ୍ୱର ଅଗ୍ରଣୀ ଅଞ୍ଚଳ ଭାବେ ତିଆରି କରିବା ଆମ ସମସ୍ତଙ୍କର ଦାୟିତ୍ୱ। ‘ସୃଷ୍ଟି ଏକାଡେମି’ ଓ ‘ଦିଲ୍ଲୀପ ଶତପଥୀ ମେମୋରିଆଲ୍‌ ଟ୍ରଷ୍ଟ୍‌ର କୁଇଜ୍‌ ପ୍ରତିଯୋଗିତା’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ ଆଜି ଏହା କହିଛନ୍ତି।
ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଆହୁରି କହିଲେ, ଓଡ଼ିଆ ପିଲାମାନଙ୍କ ଭିତରେ ଗୁଣ ଓ ଜ୍ଞାନର ଅଭାବ ନାହିଁ। ହେଲେ ଆତ୍ମବିଶ୍ୱାସକୁ ନେଇ ସାମାନ୍ୟ ସଂଶୟବୋଧ ରହିଛି। ସେମାନଙ୍କ ବିଶ୍ୱାସକୁ ଉଜ୍ଜୀବିତ କରିବା ପାଇଁ ଏହି ଅନୁଷ୍ଠାନ ପକ୍ଷରୁ ଯୁବଶକ୍ତିଙ୍କ ଜ୍ଞାନକୁ ପ୍ରତିଯୋଗିତା ମାଧ୍ୟମରେ ପୁରସ୍କୃତ କରିବା ଏକ ଭଲ ପରମ୍ପରା। ଦିଲ୍ଲୀପଙ୍କ ସ୍ମୃତି ଓ ସଂସ୍କାରକୁ ଆଗକୁ ନେବାରେ ଦିଲ୍ଲୀପ ଶତପଥୀ ମେମୋରିଆଲ ଟ୍ରଷ୍ଟର ଉଦ୍ୟମକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଥିଲେ।

ଅନ୍ୟତମ ଅତିଥି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଲେ, ବର୍ତ୍ତମାନ ପିଢ଼ିର ଛାତ୍ରଛାତ୍ରୀ ଓ ସାମ୍ବାଦିକମାନେ ଦିଲ୍ଲୀପ ବାବୁଙ୍କ ପଦାଙ୍କ ଅନୁସରଣ କଲେ, ତାହା ତାଙ୍କ ପ୍ରତି ଉଚିତ ସମ୍ମାନ ହେବ। ଅନ୍ୟତମ ଅତିଥି ଦିଲ୍ଲୀପ ଶତପଥୀ ଟ୍ରଷ୍ଟ୍‌ର ଅଧ୍ୟକ୍ଷ ଦୀନବନ୍ଧୁ ଶତପଥୀ ମଞ୍ଚାସୀନ ଥିଲେ। ସୃଷ୍ଟି ଏକାଡେମିର ପ୍ରତିଷ୍ଠାତା ସରୋଜ ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ଅନୁଷ୍ଠାନର ନି‌ର୍ଦ୍ଦେଶକ ଗଙ୍ଗାଧର ମିଶ୍ର ଧନ୍ୟବାଦ ଦେଇଥିଲେ। ଜିତେନ୍ଦ୍ର ନନ୍ଦ, ଦେବାଶିଷ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଛାତ୍ରଛାତ୍ରୀ ଅଧ୍ୟକ୍ଷ, ଅଧ୍ୟାପକ/ଅଧ୍ୟାପିକାମାନେ ଉପସ୍ଥିତ ଥିଲେ।

ଏହି ପ୍ରତିଯୋଗିତାର ଗ୍ରାଣ୍ଡ-ଫିନାଲେର ବିଜେବି କଲେଜର ଛାତ୍ରୀ ସମର୍ପିତା ଏବଂ ଛାତ୍ର ଚନ୍ଦ୍ରପ୍ରସାଦ ବିହାରୀ ଚାମ୍ପିଅନ୍‌ ହୋଇଥିଲେ। ସେମାନଙ୍କୁ ୪୦ ହଜାର ଟଙ୍କା ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିଭଳି ପ୍ରଥମ ରନର୍ସଅପ୍‌ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ତୁଷାରକାନ୍ତ ପରିଡ଼ା ଓ ବଳରାମ ରାଉତଙ୍କୁ ୨୫ ହଜାର ଟଙ୍କା, ଦ୍ବିତୀୟ ରନର୍ସ-ଅପ୍‌ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ମାନ୍ୟା ମାରାଣ୍ଡି ଓ ଶିବାନୀ ଟୁଡୁଙ୍କୁ ୧୫ ହଜାର ଟଙ୍କା, ତୃତୀୟ ରନର୍ସ-ଅପ୍‌ ତା‌ଳଚେର ସ୍ବୟଂଶାସିତ ମହାବିଦ୍ୟାଳୟର ଆଶିଷ କୁମାର ସିଂହ ଓ ପଲ୍ଲବୀ ଘୋଷଙ୍କୁ ୧୦ ହଜାର ଟଙ୍କା, ଚତୁର୍ଥ ରନର୍ସ-ଅପ୍‌ ରାଜଧାନୀ ମହାବିଦ୍ୟାଳୟର ଶୁଭମ ନାୟକ ଓ ସସ୍ମିତା ଷଡ଼ଙ୍ଗୀଙ୍କୁ ୬ ହଜାର ଟଙ୍କା, ପଞ୍ଚମ ରନର୍ସ ଅପ୍‌ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଲକ୍ଷ୍ମୀଧର ମହାପାତ୍ର ଓ ରାମେଶ୍ବର ଚୌଧୁରୀଙ୍କୁ ୪ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାରେ ୨୫୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର