ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସ୍ବର୍ଣ୍ଣାଦ୍ରିବିଜେ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବାଜା-ବାଣ-ରୋଶଣୀ ସାଙ୍ଗକୁ ଲଉଡ଼ି ଖେଳ, ଓଡ଼ିଶୀ, ସଂକୀର୍ତ୍ତନ, ମୃଦଙ୍ଗ, ଢୋଲ, କାହାଳୀ, ବନାଟି, ନାଗାନୃତ୍ୟ ଓ ସମର୍ଥା ସେବାୟତଙ୍କ ଘଣ୍ଟ ମାଡ଼ରେ ଗଗନପବନ ପ୍ରକମ୍ପିତ ହୋଇ ଉଠିଥିଲା। ସେହିପରି ଗଗନଶ୍ଚୁମ୍ବୀ ଆତସବାଜିରେ ପୂରା ପରିବେଶ ରଙ୍ଗିନ୍‌ ଆଲୋକରେ ଆଲୋକିତ ହୋଇଉଠିଥିଲା। ଶ୍ରୀଜିଉଙ୍କ ଏହି ନୀତି ଦେଖିବା ପାଇଁ ସଂଧ୍ୟା‌ରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

Advertisment

publive-image

ଜମିଲା ଲଉଡ଼ି ଖେଳକୁ ଘଣ୍ଟମାଡ଼

ମାନଭଂଜନ ପରେ କବାଟ ଖୋଲିଲେ ମା’ ପାର୍ବତୀ

ଦିନତମାମ ରଥ ଉପରେ ଭକ୍ତମାନଙ୍କୁ ଦର୍ଶନ ଦେବା ପରେ ସଂଧ୍ୟାରେ ଶ୍ରୀଜିଉ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେବାୟତମାନେ ଶ୍ରୀଲିଙ୍ଗରାଜଙ୍କ ସହ ମା’ ରୁକ୍ମିଣୀ, ଦୋଳଗୋବିନ୍ଦଙ୍କୁ ପହଣ୍ଡି କରି ମନ୍ଦିରକୁ ନେଇଥିଲେ। କିନ୍ତୁ ରାମେଶ୍ୱର ଯାତ୍ରାରେ ସାଥିରେ ନେଇ ନଥିବାରୁ ଗର୍ଭଗୃହକୁ ପ୍ରବେଶ କରିବା ବେଳେ ଅଭିମାନୀ ମା’ ପାର୍ବତୀ ଦ୍ବାର ବନ୍ଦ କରିଦେଇଥିଲେ। ମାନଭଞ୍ଜନ କରିବା ପାଇଁ ଆଗାମୀ ଚନ୍ଦନ ଯାତ୍ରାରେ ମା’ଙ୍କୁ ସାଙ୍ଗରେ ନେବେ ବୋଲି ମହାପ୍ରଭୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ମା’ କବାଟ ଖୋଲିଥିଲେ। ଏହି ସମୟରେ ସେବାୟତମାନଙ୍କ ବଚନିକା ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

ମନ୍ଦିରର ନୀତି ଅନୁଯାୟୀ, ରଥ ଉପରେ ପୂର୍ବାହ୍ନରେ ମଙ୍ଗଳ ଆଳତି ଓ ଅବକାଶ ପରେ ସକାଳ ଧୂପରେ ଶୁଖୁଲି ଭୋଗ, ମଧ୍ୟାହ୍ନ ଧୂପରେ ପଣାଭୋଗ କରାଯାଇଥିଲା। ଦୂରଦୂରାନ୍ତରରୁ ଆସିଥିବା ଶ୍ରଦ୍ଧାଳୁମାନେ ସକାଳୁ ରଥ ଉପରେ ଚଢ଼ି ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ରାତି ୯ଟାରେ ଚାହାଣି ମଣ୍ଡପଠାରେ ମା’ ପାର୍ବତୀ ଓ ଶ୍ରୀ ଲିଙ୍ଗରାଜଙ୍କ ଭେଟ ଆଳତି କରାଯାଇଥିଲା। ମହାପ୍ରଭୁଙ୍କ ନୀତିପୂଜା ପରେ ପ୍ରାୟ ସାଢ଼େ ୯ଟାରେ ଦେବଦେବୀଙ୍କୁ ସେବାୟତମାନେ ରଥ ଉପରୁ ପହଣ୍ଡି କରି ନେଇଥିଲେ। ଏହି ଅବସରରେ ସେବାୟତମାନଙ୍କ ପକ୍ଷରୁ ରସଗୋଲା ବଣ୍ଟନ କରାଯାଇଥିଲା।

publive-image