ବିବାହ ଜିଦ୍‌ରେ ମହିଳାଙ୍କୁ ଛୁରାମାଡ଼ ମାମଲା: ପ୍ରେମ ପାଗଳକୁ ୩ ବର୍ଷ ଜେଲ୍‌

ଭୁବନେଶ୍ବର: ୨୦୨୩ ମସିହାରେ ଇନ୍‌ଫୋସିଟି ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବିବାହ କରିବାକୁ ଜିଦ୍‌ କରି ଛୁରି ଭୁସିଦେବା ମାମଲାର ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ମହିଳା କୋର୍ଟ ବିଚାରପତି ଅଭିଜିତ୍‌ ପୁରୋହିତ ଏହି ମାମଲାର ବିଚାର କରି ଅଭିଯୁକ୍ତ ସେକ୍‌ ମୌସମ୍‌କୁ ୩ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି।‌ ଏଥିସହିତ ତା’ ଉପରେ ୨୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ଜରିମାନା ଅନାଦାୟ ହେଲେ ତାକୁ ଅଧିକ ୪ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ ରହିଛି।

ସୂଚନା ମୁତାବକ ସେକ୍‌ ମୌସମ୍‌ ମହିଳାଙ୍କୁ ଏକତରଫା ଭଲ ପାଉଥିଲା। ମହିଳା ବିବାହିତା ଓ ପିଲାଛୁଆର ମା’ ବୋଲି ଜାଣିବା ପରେ ବି ମୌସମ୍ ତାଙ୍କୁ ବାହା ହେବାକୁ ଚାହୁଥିଲା। ଏଥିପାଇଁ ସେ ପୂର୍ବରୁ ମହିଳାଙ୍କୁ ସିଧାସଳଖ ପ୍ରସ୍ତାବ ଦେଇଥିଲା। ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ବାଧ୍ୟ କରୁଥିଲା। କିନ୍ତୁ ମହିଳାଜଣକ ରାଜି ହୋଇନଥିଲେ ଏବଂ ଲୋକ ଲଜ୍ଜାକୁ ଡରି ଏକଥା କାହାକୁ କହିନଥିଲେ। ଘଟଣା ଦିନ ସନ୍ଧ୍ୟାରେ ମହିଳାଙ୍କ ସ୍ବାମୀ ଘରେ ନଥିବା ସୁଯୋଗରେ ମୌସମ୍‌ ତାଙ୍କ ଘରକୁ ଆସିଥିଲା। ସ୍ବାମୀକୁ ପରେ ଛାଡ଼ପତ୍ର ଦେବାକୁ କହି ତା ସହିତ ଯିବାକୁ ବାଧ୍ୟ କରିଥିଲା। ମହିଳାଜଣକ ଭୟରେ ପାଟି କରିବାରୁ ମୌସମ୍‌ ପାଖରେ ଲୁଚାଇ ରଖିଥିବା ଛୁରି ବାହାର କରି ଭୁସି ଦେଇଥିଲା। ସୌଭାଗ୍ୟକୁ ଛୁରି ମହିଳାଙ୍କ ପେଟରେ ବାଜିଥିଲେ ବି ବଡ଼ଧରଣର କ୍ଷତ ହୋଇନଥିଲା। ପଡ଼ୋଶୀମାନେ ଧାଇଁ ଆସିବାରୁ ମୌସମ୍‌ ସେଠାରୁ ପଳାଇଥିଲା। ଅଭିଯୋଗ ପାଇ ଇନ୍‌ଫୋସିଟି ଥାନା ପୁଲିସ ମୌସମ୍‌କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର