ନାଁ ପଛର କଥା: ମନ୍ଦିରରୁ ଅଞ୍ଚଳ ନାଁ ହେଲା ଚିନ୍ତାମଣିଶ୍ବର

ଚିନ୍ତାମଗ୍ନ ମା’ ପାର୍ବତୀ, ଶିବଙ୍କୁ ଖୋଜୁଥିବାରୁ ମନ୍ଦିର ନାମ ‘ଚିନ୍ତାମଣିଶ୍ବର’

ଭୁବନେଶ୍ବର: ଦିନେ ମା’ ପାର୍ବତୀ ଭଗବାନ ଶିବଙ୍କ ଅନ୍ବେଷଣରେ ଗନ୍ଧବତୀ ନଦୀ ତଟରେ ଘୂରି ବୁଲିଥିଲେ। ଦୁଇ ଦିନ ଲଗାତାର ଖୋଜିବା ପରେ ଭଗବାନଙ୍କୁ ନ ପାଇ ମା’ ଚିନ୍ତାମଗ୍ନ ହୋଇପଡ଼ିଥିଲେ। କ୍ଳାନ୍ତ ଓ ଚିନ୍ତାଗ୍ରସ୍ତ ମା’ ନଦୀ ନିକଟସ୍ଥ ଏକ ବଟବୃକ୍ଷ ତଳେ ରାତ୍ରିଯାପନ କରିଥିଲେ। ନିଜ ଈଶ୍ବରଙ୍କ ଚିନ୍ତାରେ ଚିନ୍ତାମଗ୍ନ ମା’ ସେଠାରେ ରହିଥିବାରୁ ସେଠାରେ ଶିବଙ୍କୁ ‘ଚିନ୍ତାମଣିଶ୍ୱର’ ଭାବେ ପ୍ରତିଷ୍ଠିତ କରି ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା। ଏହି ମର୍ମରେ ଚିନ୍ତାମଣିଶ୍ବର ମନ୍ଦିର ଗଠନ ହୋଇଥିବା ବେଳେ ମନ୍ଦିରର ନାମକୁ ନେଇ ୧୯୫୮ରେ ସେଠାରେ ସ୍ଥାପିତ ଜନବସତି ନାମ ‘ଚିନ୍ତାମଣିଶ୍ବର’ ରଖାଯାଇଥିଲା। ତେବେ ଆଜି ଆସନ୍ତୁ ଜାଣିବା ଚିନ୍ତାମଣିଶ୍ବର ମନ୍ଦିର, ଏହାର ମାହାତ୍ମ୍ୟ ଓ ଚିନ୍ତାମଣିଶ୍ବର ଅଞ୍ଚଳ ଗଠନ ପଛର ଇତିହାସ। ଭୁବନେଶ୍ବର ପୁରୁଣା ଷ୍ଟେସନ୍ ବଜାର ସନ୍ନିକଟ କଟକ-ପୁରୀ ଜାତୀୟ ରାଜପଥରୁ ବାହାରିଥିବା ଚିନ୍ତାମଣିଶ୍ୱର ରାସ୍ତା ଯାଇ ଶେଷ ହୋଇଛି ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ପ୍ରସିଦ୍ଧ ଚିନ୍ତାମଣିଶ୍ୱର ମନ୍ଦିର ନିକଟରେ। ମନ୍ଦିର ଚତୁଃର୍ପାଶ୍ୱ ଅଞ୍ଚଳ ଚିନ୍ତାମଣିଶ୍ୱର ନାମରେ ପରିଚିତ। ଗୋଟିଏ ପଟରେ ବିଜେବି ନଗର ତ’ ଅନ୍ୟପଟେ ରହିଛି ଲକ୍ଷ୍ମୀସାଗର।
ପୌରାଣିକ ଯୁଗରେ ଭୁବନେଶ୍ୱରର ନାମ ଥିଲା ଏକାମ୍ରକ୍ଷେତ୍ର। ସମଗ୍ର ଅଞ୍ଚଳଟି ଘଞ୍ଚ ଅରଣ୍ୟରେ ପରିପୂର୍ଣ୍ଣ ଥିଲା।

ବିନ୍ଧ୍ୟ ପର୍ବତମାଳାରୁ ବାହାରିଥିବା ପୁଣ୍ୟତୋୟା ଗଙ୍ଗସିନ୍ଧୁ ଏକାମ୍ର କ୍ଷେତ୍ରରେ ସମତଳ ଅଞ୍ଚଳରେ ପ୍ରବାହିତ ହୋଇ ପରେ ‘ଗନ୍ଧବତୀ’ ନାମ ଧାରଣ କରିଥିଲା। ନଦୀର ପଶ୍ଚିମ ତଟରେ ଥିବା ଏକାମ୍ର ବନ ଖଣ୍ଡଗିରି ପର୍ଯ୍ୟନ୍ତ ବିସ୍ତାରିତ ଥିଲା। ଏକାମ୍ରର ବନାଞ୍ଚଳରେ ବିକ୍ଷିପ୍ତ ଭାବେ ଜନବସତିମାନ ଥିଲା। ଚିରସ୍ରୋତା ଗଙ୍ଗସିନ୍ଧୁ ନଦୀ ପ୍ରବାହିତ ହୋଇ, ସମଗ୍ର ଅଞ୍ଚଳକୁ ଶସ୍ୟଶ୍ୟାମଳା କରି ରଖିଥିଲା। ଏକାମ୍ରର ଅଧିବାସୀମାନେ ସେତେବେଳେ ‘ଗନ୍ଧବତୀ’କୁ ନଦୀ ରୂପରେ ନୁହେଁ, ଦେବୀ ଭାବବୋଧରେ ଗ୍ରହଣ କରୁଥିଲେ। ଜନବସତିର ଜଳ ନିଷ୍କାସନ ଓ ଭୂତଳ ଜଳ ସନ୍ତୁଳନ ରକ୍ଷା କରିବାରେ ମୁଖ୍ୟ ଭୂମିକା ନେଉଥିବା ପୁରାଣ ପ୍ରସିଦ୍ଧ ଏହି ନଦୀ ଅସ୍ତିତ୍ବ ହରାଇ ଏବେ ନର୍ଦ୍ଦମାବାହୀ ନାଳରେ ପରିଣତ ହୋଇଛି। ସମସ୍ତ ସରକାରୀ ନଥିପତ୍ରରେ ଏହାକୁ ଏବେ ‘ଗଙ୍ଗୁଆ ନାଳ’ ଭାବେ ଦର୍ଶାଯାଉଛି।

କୁଷ୍ଠ ରୋଗୀ ବ୍ୟାଧି ମୁକ୍ତି ପାଇଁ ଅଧିଆ ପଡ଼ୁଥିଲେ

ସଂସ୍କୃତି ଗବେଷକ ଗୋଲକ ବିହାରୀ ସିଂହ କହିଛନ୍ତି, ସେହି ପୁରାଣ ବର୍ଣ୍ଣିତ ଏହି ନଦୀର ପଶ୍ଚିମ ତଟରେ ଅଧିଷ୍ଠିତ ଶ୍ରୀ ଶ୍ରୀ ଚିନ୍ତାମଣିଶ୍ୱର। କିମ୍ବଦନ୍ତୀ ଅଛି, ଏକାମ୍ର କାନନ, ଯୋଗେଶ୍ୱର ଶିବଙ୍କ ପରମ ଗୋପନୀୟ ବାସସ୍ଥଳୀ ଥିଲା। କୈଳାସ, କେଦାର ଓ କାଶୀ କ୍ଷେତ୍ରକୁ ଛାଡ଼ି ପାର୍ବତୀଙ୍କ ଅଗୋଚରରେ ସେ ଏଠାକୁ ଆସି ଯୋଗାରୂଢ଼ ହୋଇଥିଲେ। ତାଙ୍କ ଅନୁସନ୍ଧାନରେ ଆସିଥିବା ଦେବୀ ପାର୍ବତୀ ଏଠାକାର ରମଣୀୟ ପରିବେଶ ସଂଦର୍ଶନ କରି ବିମୋହିତ ହୋଇପଡ଼ିଥିଲେ। ବନାନୀ ମଧ୍ୟରେ ଦୁଇଦିନ ଭ୍ରମଣ କରିବା ପରେ ଶିବଙ୍କୁ ନ ପାଇ ସେ ଏକ ବଟବୃକ୍ଷ ମୂଳରେ ଗଭୀର ଚିନ୍ତାରେ ରାତ୍ରି ଯାପନ କରିଥିଲେ। ସେବେଠାରୁ ସେହି ସ୍ଥାନରେ ଚିନ୍ତାମଣିଶ୍ୱର ପ୍ରତିଷ୍ଠିତ ହୋଇ ପୂଜା ପାଉଛନ୍ତି। ପୂର୍ବେ ଭୁବନେଶ୍ୱର ଆଖପାଖର ବହୁ ଲୋକ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଥିଲେ। ସେଥିରୁ ମୁକ୍ତି ପାଇବା ପାଇଁ କୁଷ୍ଠ ରୋଗୀମାନେ ଏହି ମନ୍ଦିରରେ ଅଧିଆ ପଡ଼ୁଥିଲେ। ସ୍ଥାନୀୟ ଜନମାନସରେ ବିଶ୍ୱାସ ଥିଲା ଯେ, ଏହି ଶିବଲିଙ୍ଗ ପାଖରେ ମାନସିକ ରଖି ଶରଣାପନ୍ନ ହେଲେ କୁଷ୍ଠ ବ୍ୟାଧିରୁ ମୁକ୍ତି ମିଳେ। ତେଣୁ ଏହି ଲିଙ୍ଗ ବିଗ୍ରହ ‘ମୁକ୍ତି ଚିନ୍ତାମଣିଶ୍ୱର’ ନାମରେ ଲୋକମୁଖରେ ପରିଚିତ। ରାଜଧାନୀ ପ୍ରତିଷ୍ଠା ପରେ ଜନ ସଂଖ୍ୟା ବୃଦ୍ଧି ପାଇବା ସହ ବାହାରୁ ଆସି ଚାକିରି ଓ ବ୍ୟବସାୟ କରୁଥିବା ଲୋକମାନେ ଏଠାକାର ବୁଦୁବୁଦିଆ ଜଙ୍ଗଲ ତଥା ଚାଷ ଜମିରେ କାଁ ଭାଁ ଘର ତିଆରି କରିବାକୁ ଲାଗିଲେ। ୧୯୫୮ ମସିହାରେ ଏଠାରେ ବସତି ସ୍ଥାପନ ଆରମ୍ଭ ହୋଇ ସମୟକ୍ରମେ ଏକ ବିକଶିତ ଅଞ୍ଚଳ ଭାବେ ପରିଚିତ ଲାଭ କରିବାକୁ ଲାଗିଲା। ସ୍ଥାନୀୟ ଲୋକମାନେ ସ୍ଥାନଟିକୁ ବିଦ୍ୟମାନ ଦେବ ମନ୍ଦିର ଆଧାରରେ ‘ଚିନ୍ତାମଣିଶ୍ୱର’ ନାମରେ ନାମିତ କରିଥିଲେ।

ସମ୍ବନ୍ଧିତ ଖବର