ଏହି ବର୍ଷ ବାତ୍ୟାକୁ ଆଳ କରି ବନ୍ଦ କରିଦେଲେ ଡଟ୍‌ ଫେଷ୍ଟ୍‌

ଭୁବନେଶ୍ବର: ଏଥର ସବୁ ବର୍ଷ ଡଟ୍‌ ଫେଷ୍ଟ୍‌। ଗତବର୍ଷ ବିଡିଏ ପକ୍ଷରୁ ଆୟୋଜିତ ଭୁବନେଶ୍ବର ସିଟି ଫେଷ୍ଟିଭାଲ୍‌ ତଥା ଡଟ୍‌ ଫେଷ୍ଟ୍‌ ମଞ୍ଚରେ ଅତିଥିଙ୍କ ମୁହଁରୁ ଏକଥା ଶୁଣି ପ୍ରଦର୍ଶନୀ ପଡ଼ିଆରେ ଉପସ୍ଥିତ ଦର୍ଶକଙ୍କ ମନ କୁଣ୍ଢେମୋଟ ହୋଇଯାଇଥିଲା। ମାତ୍ର ଦର୍ଶକମାନଙ୍କୁ ଏଥର ଡଟ୍‌ ଫେଷ୍ଟ୍‌ ଦେଖିବାର ସୁଯୋଗ ମିଳିବ ନାହିଁ। ବାତ୍ୟା ଫନି ଯୋଗୁଁ ଏପରି ବୃହତ୍‌ ପର୍ବ ଆୟୋଜନ କରାଯିବ ନାହିଁ ବୋଲି ବିଡିଏ ନିଷ୍ପତ୍ତି ନେଇଛି। ପ୍ରଶ୍ନ ଉଠୁଛି, ଭୁବନେଶ୍ବର ଅପେକ୍ଷା ପୁରୀ ବାତ୍ୟା ଫନିରେ ବେଶି କ୍ଷତିଗ୍ରସ୍ତ ହୋଇଥିଲା। ଅଥଚ ସେଠାରେ ଯେତେବେଳେ ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ ନାଁରେ ମାସେ ବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରୁଛି, ତେବେ ଏଠାରେ ବାତ୍ୟାକୁ ଆଳ କରିବାର ଅର୍ଥ କ’ଣ? ଏନେଇ ବିଡିଏ ପକ୍ଷରୁ ସିଟି ଫେଷ୍ଟିଭାଲ୍‌ ଆୟୋଜନ ପାଇଁ ଇଭେଣ୍ଟ୍‌ ମ୍ୟାନେଜ୍‌ମେଣ୍ଟ୍‌ ଏଜେନ୍‌ସିକୁ ଦାୟିତ୍ବ ଦେବା ପାଇଁ ନଭେମ୍ବର ପ୍ରଥମ ସପ୍ତାହରୁ ପ୍ରକ୍ରିୟା ଆରମ୍ଭ କରିସାରିଥିଲା। ଆର୍ଥିକ ପ୍ରସ୍ତାବ ବି ଦିଆଯିବାର ଥିଲା। ମାତ୍ର ରାଜ୍ୟ ସରକାର ଏହି ଉତ୍ସବ ନ କରିବା ପାଇଁ ନିର୍ଦେଶ ଦେବା ପରେ ଡଟ୍‌ ଫେଷ୍ଟ୍‌କୁ ପ୍ରତୀକ୍ଷା କରିଥିବା ଦର୍ଶକ ନିରୁତ୍ସାହିତ ହୋଇଛନ୍ତି। ବିଡିଏ ଉପାଧ୍ୟକ୍ଷ ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି, ଚଳିତ ବର୍ଷ ଫନି ଯୋଗୁଁ ରାଜଧାନୀରେ ବ୍ୟାପକ କ୍ଷତି ହୋଇଛି। ଗଛପତ୍ର ବ୍ୟାପକ ଉପୁଡ଼ି ପଡ଼ିବା ସହ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେଣୁ ସରକାରଙ୍କ ନିର୍ଦେଶ ମୁତାବକ ଆମେ ଚଳିତ ବର୍ଷ ଏହି ଉତ୍ସବ ଆୟୋଜନ କରିବୁ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର