୭ରେ ୮ଟି ଜିଲ୍ଲାରେ ୬ ଘଣ୍ଟିଆ ବନ୍ଦ ପାଳିବ କୁଡ଼ୁମୀ ସେନା

ଭୁବନେଶ୍ୱର :୧୯୫୬ ମସିହା ପୂର୍ବରୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ ଥିବା କୁଡ଼ୁମୀ(ମହାନ୍ତ) ସମ୍ପ୍ରଦାୟଙ୍କୁ ଏହି ତାଲିକାରୁ ବାଦ୍‌ ଦିଆଯାଇଛି। ଫଳରେ ରାଜ୍ୟର ଆଦିବାସୀ ବହୁଳ ଜିଲ୍ଲାରେ ଥିବା ୨୫ ଲକ୍ଷ କୁଡ଼ୁମୀ ସମ୍ପ୍ରଦାୟର ଲୋକ ମୌଳିକ ଅଧିକାର ହରାଇଛନ୍ତି। ଏଣୁ ପୁଣି ଥରେ ସେମାନଙ୍କୁ ଏହି ବର୍ଗରେ ସାମିଲ କରିବା ପାଇଁ ଓଡ଼ିଶା କୁଡ଼ୁମୀ ସେନା ଆନ୍ଦୋଳନ ଜାରି ରଖିଛି। ଏହି ଦାବିରେ ଆସନ୍ତା ୭ ତାରିଖରେ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର, ଢ଼େଙ୍କାନାଳ, ସମ୍ବଲପୁର, ଦେବଗଡ଼ ଓ ବାଲେଶ୍ୱର ଏଭଳି ୮ଟି ଜିଲ୍ଲାରେ ସେନା ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ୮ଟି ଜିଲ୍ଲାରେ ସେନା ବନ୍ଦ ପାଳନ କରିବ। ଜିଲ୍ଲାର ସମସ୍ତ କୁଡ଼ୁମୀ ସମ୍ପ୍ରଦାୟ ରାଜରାସ୍ତାରେ ବସି ନିଜ ନିଜର ପାରିବାରିକ ବେଉସା କରିବେ। ରାସ୍ତା ଉପରେ ଖାଦ୍ୟପେୟ ବି ହେବ। ୬ ଘଣ୍ଟା ପାଇଁ ରାଜରାସ୍ତାକୁ ଏହି କୁଡ଼ୁମୀମାନେ ନିଜର ଘର କରିବେ। ଏହା କେବଳ ଏକ ଝଲକ ହେବ। ଆଗାମୀ ଦିନରେ ସରକାର ନ ଚେତିଲେ ଭୋଟ ବର୍ଜନ କରାଯିବା ସହ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି କୁଡ଼ୁମୀ ସେନା ରାଜ୍ୟ ସଭାପତି ଜୈମୁନୀ କୁମାର ମହାନ୍ତ। ସ୍ଥାନୀୟ ନେହେରୁ ଯୁବ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ସରକାରଙ୍କୁ ସେନା ଦୋଷୀ କରିଛି। ରାଜ୍ୟ ସରକାର ଏହାକୁ ସୁପାରିସ୍‌ କରିବା ପରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ। ରାଜ୍ୟ ସରକାର ସୁପାରିସ୍‌ କରୁନଥିବାରୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଦୋଷ ଦେଇ ଖସି ଯାଉଛନ୍ତି। ପଶ୍ଚିମବଙ୍ଗରେ କୁଡ଼ୁମୀ ବିକାଶ ପରିଷଦ ସରକାର ଗଠନ କରିଥିବା ବେଳେ ସାଂସ୍କୃତିକ ବିକାଶ ପାଇଁ ଝୁମର ଏକାଡ଼େମି ଗଠିତ ହୋଇଛି। କୁଡ଼ୁମାଲୀ ଭାଷାକୁ ଦ୍ୱିତୀୟ ଭାଷାର ମାନ୍ୟତା ମଧ୍ୟ ମିଳିଛି। ତା ସହିତ ଏହି ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜାତି ବର୍ଗରେ ସାମିଲ କରିବା ପାଇଁ ପଶ୍ଚିମବଙ୍ଗ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ କରି ସାରିଛନ୍ତି। କିନ୍ତୁ ଓଡ଼ିଶାରେ ସରକାର ନ ଶୁଣିବା ଦୁର୍ଭାଗ୍ୟଜନକ ବୋଲି ସାଧାରଣ ସମ୍ପାଦକ ଚନ୍ଦନ ମହାନ୍ତ, ଛାତ୍ର ସଭାପତି ମିହିର ମହାନ୍ତ, ଛାତ୍ର ଉପସଭାପତି ନିହାର ମହାନ୍ତ ପ୍ରମୁଖ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର