ଜାହାଜ ତଳେ ୧୧ ଦିନ; ୩୨୦୦ କିମି ପଥ ଅତିକ୍ରାନ୍ତ କଲେ ୩ ଜଣ ଯାତ୍ରୀ

ନୂଆଦିଲ୍ଲୀ: ଜଳ ଜାହାଜର ତଳେ ଥିବା ‘ରଡର’ ଉପରେ ବସି ୩ ଜଣ ବ୍ୟକ୍ତି ୧୧ ଦିନରେ ୩୨୦୦ କିଲୋମିଟିର୍‌ ଯାତ୍ରା କରି ଏବେ ଚର୍ଚ୍ଚିତ ପାଲଟିଛନ୍ତି। ଜାହାଜର ଯେଉଁ ସ୍ଥାନରେ ଏହି ୩ ଜଣ ସାଥୀ ବସିଥିଲେ ସମୁଦ୍ର ଲହରି ପାଖାପାଖି ସେ ପର୍ଯ୍ୟନ୍ତ ଚାଲି ଆସୁଥିଲା। ଏପରି ବିପଦପୂର୍ଣ୍ଣ ଅବସ୍ଥାରେ ବି ସେ ଦୀର୍ଘ ୧୧ ଦିନ ବିତାଇ ଦେବା ଏବେ ସଭିଙ୍କୁ ଚକିତ କରିଛି। ବିନା ଅନୁମତିରେ ଲୁଚିଛପି ଯାତ୍ରା କରିଥିବା ଏହି ତିନି ଯାତ୍ରୀ ଖାଦ୍ୟାଭାବ, ଜଳାଭାବ ହେତୁ ଡିହାଇାଡ୍ରସନର ଶିକାର ହୋଇ ଅସୁସ୍ଥ ହୋଇପଡ଼ିଥି‌ଲେ। ସେମାନଙ୍କୁ ସ୍ପେନିସ୍ ତଟରକ୍ଷୀବାହିନୀ ଗିରଫ କରିଛି।

ଏହି ୩ ଜଣ ଯାତ୍ରୀ ନାଇଜେରିଆରୁ କନାରି ଆଇଲାଣ୍ଡ୍‌କୁ ଯାତ୍ରା କରିଥିବା ସୂଚନା ରହିଛି। ସେମାନେ ଏକ ତୈଳ ଟ୍ୟାଙ୍କ୍‌ର ଜାହାଜ ଆଲିଥିନି-୨ର  ‘ରଡର’ରେ ବସି ଯାତ୍ରା କରିଥିବା ଜଣାପଡ଼ିଛି । ଜାହାଜର ଏହି ଅଂଶଟି ପୂରା ତଳେ ପାଣିକୁ ସ୍ପର୍ଶ କରିଥାଏ। ତା’ ଉପରେ ବସି ଯାତ୍ରା କରିବା କେଉଁ ବି ଯାତ୍ରୀ ପାଇଁ ଅସମ୍ଭବ ମନେ ହେଉଥିବା ବେଳେ ଏହି ୩ ଜଣ ଯାତ୍ରୀ ସେଠାରେ ବସି ଯାତ୍ରା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ସ୍ପେନିସ୍‌ କୋଷ୍ଟ୍‌ ଗାର୍ଡ ଏହି ଫଟୋଟିକୁ ସୋମବାର ସେୟାର କରିଛି। ସେହି ଫଟୋରେ ସେମାନେ ‘ରଡର’ ଉପରେ ବସିଥିବାର ଦେଖିବାକୁ ମିଳିଛି। ୩ ଜଣଙ୍କଠାରୁ ସମୁଦ୍ର ଲହରି ମାତ୍ର ଅଳ୍ପ କିଛି ଫୁଟ୍ ଦୂର‌ରେ ପିଟି ହେଉଥିବା ଦେଖିବାକୁ ମିଳିଛି।

ଯେଉଁ ଜାହାଜରେ ଏହି ୩ ଜଣ ଯାତ୍ରା କରିଥିଲେ ସେହି ଜାହାଜଟି ନାଇଜେରିଆର ଲଗାସ ସହରରୁ ନଭେମ୍ବର ୧୭ ତାରିଖରେ ବାହାରିଥିଲା। ୧୧ ଦିନ ଧରି ନିରବଚ୍ଛିନ୍ନ ଭାବେ ଜାହାଜଟି ୩୨୦୦ କିଲୋମିଟର ଯାତ୍ରା କରି ସ୍ପେନ୍ ସୀମାରେ ପହଞ୍ଚିଥିଲା। ତେବେ କାମ ପାଇବା ଆଶାରେ ଏହି ଭଳି ହଜାର ହଜାର ଲୋକ ଲୁଚିଛପି ବିଭିନ୍ନ ଦେଶକୁ ପ୍ରବେଶ କରୁଛନ୍ତି।

 

ସମ୍ବନ୍ଧିତ ଖବର