Advertisment

Agriculture: ବିପଦରେ ଚାଷ ଓ ଚାଷୀ

Advertisment

ଓଡ଼ିଶାର ଅର୍ଥନୀତି କୃଷି ଉପରେ ଆଧାରିତ। ଓଡିଶାର ପରିଚୟ କୃଷି। ଚଳିତ ବର୍ଷ ମଧ୍ୟ ରାଜ୍ୟ ରାଜନୀତି ଏବଂ ସରକାରୀ ଯୋଜନା କୃଷି କୈନ୍ଦ୍ରିକ ହୋଇଥିବା ନେଇ ଅନୁଭବ କରାଗଲା। ବୋନସ୍‌କୁ....

ଓଡ଼ିଶାର ଅର୍ଥନୀତି କୃଷି ଉପରେ ଆଧାରିତ। ଓଡିଶାର ପରିଚୟ କୃଷି। ଚଳିତ ବର୍ଷ ମଧ୍ୟ ରାଜ୍ୟ ରାଜନୀତି ଏବଂ ସରକାରୀ ଯୋଜନା କୃଷି କୈନ୍ଦ୍ରିକ ହୋଇଥିବା ନେଇ ଅନୁଭବ କରାଗଲା। ବୋନସ୍‌କୁ....

Untitled-12

ଓଡ଼ିଶାର ଅର୍ଥନୀତି କୃଷି ଉପରେ ଆଧାରିତ। ଓଡିଶାର ପରିଚୟ କୃଷି। ଚଳିତ ବର୍ଷ ମଧ୍ୟ ରାଜ୍ୟ ରାଜନୀତି ଏବଂ ସରକାରୀ ଯୋଜନା କୃଷି କୈନ୍ଦ୍ରିକ ହୋଇଥିବା ନେଇ ଅନୁଭବ କରାଗଲା। ବୋନସ୍‌କୁ ନେଇ ସର୍ବାଧିକ ଚର୍ଚ୍ଚା ଥିଲା। ପ୍ରାକୃତିକ ବିପର୍ଯ୍ୟୟ କ୍ଷତିଗ୍ରସ୍ତଙ୍କୁ ମଲମ ଦିଆଯିବ ବୋଲି କୁହାଗଲା। ବାସ୍ତବିକତା ହେଲା ଚାଷୀ ଆଜି ବି ତଳିତଳାନ୍ତ। ଆନ୍ଦୋଳନ ନ କଲେ ସାମାନ୍ୟତମ ହକ୍ ବି ଅପହଞ୍ଚ. ଏହା ସତ୍ତ୍ୱେ ଅନେକ ଚାଷୀ ଆଶା ର କିରଣ ହେଉଛନ୍ତି। ଭୋଜନ ଦେବା ସହିତ ପ୍ରତିକୂଳ ସ୍ଥିତିର ସାମନା କରୁଛନ୍ତି।

A fire : ଡ୍ୟାନ୍‌ସ ଫ୍ଲୋର୍‌ରୁ ହଠାତ୍ ନିଆଁ ଉଠିଥିଲା

ଲକ୍ଷେ ହେକ୍ଟରରେ ଜୈବିକ ଚାଷ

କେବଳ ଭୋକ ମାରିବା ପାଇଁ ନୁହେଁ ବିଷମୁକ୍ତ ଖାଦ୍ୟ ବି ଦରକାର। ସେଥିପାଇଁ ଜୈବିକ ଓ ପ୍ରାକୃତିକ ଚାଷର ଗୁରୁତ୍ବ ବଢ଼ିଛି। ରାଜ୍ୟର ସମୁଦାୟ ୬୨ ଲକ୍ଷ ହେକ୍ଟରରୁ ୧.୫ ଲକ୍ଷ ହେକ୍ଟର ଜମିରେ ଜୈବିକ ଚାଷ ହୋଇଥାଏ। ଏଥିରୁ ୪୭ ହଜାର ୫ ଶହ ହେକ୍ଟର ସରକାରୀ କାର୍ଯ୍ୟକ୍ରମରେ ଚାଷ କରୁଥିବା କହନ୍ତି ରାଜ୍ୟ କୃଷି ବିଭାଗର ଜୈବ ରସାୟନବିତ୍ ମାର୍କଣ୍ଡ ପ୍ରଧାନ। ବଜାର ଅଭାବ, ୩୧୦୦ ଏମ୍‌ଏସ୍‌ପି, ଜଳବାୟୁ ପରିବର୍ତ୍ତନ ଏବଂ ସରକାରୀ ନୀତି ଏଥିପାଇଁ ବାଧକ ସାଜିଛି। କୃଷି ବିଭାଗ ଅନୁସାରେ, ଜୈବିକ ଚାଷକୁ ପ୍ରୋତ୍ସାହନ ପାଇଁ ନୂତନ ଭାବରେ କାର୍ଯ୍ୟକାରୀ ହୋଇଛି ବଳଭଦ୍ର ଜୈବିକ ମିସନ୍‌। ଏହି ମିସନ୍‌ର ଅମୃତ ଅନ୍ନ ଯୋଜନାରେ ମହାପ୍ରଭୁ ଜଗନ୍ନାଥଙ୍କ କୋଠଭୋଗରେ ଜୈବିକ ଅନ୍ନ ଅର୍ପଣ କରାଯିବ। ସେଥିପାଇଁ ୨୨୦ ହେକ୍ଟରରେ ଗୋବିନ୍ଦ ଭୋଗ, ଝିଲି ଓ କଳାଜିରା ଧାନ ଏବଂ ୫୦ ହେକ୍ଟରରେ ମୁଗ ଚାଷ କରାଯାଉଛି। ଜନଜାତି ଅଞ୍ଚଳରେ ଆଜି ବି ପ୍ରାକୃତିକ ଓ ଜୈବିକ ଉପାୟରେ କଦଳୀ, ଅଦା, କାନ୍ଦୁଲ, ବିରି, ମୁଗ, ହରଡ଼, ହଳଦୀ, ଅଦା ଚାଷ କରାଯାଉଛି। ଚାଷୀ ସୁଦାମ ସାହୁ କହନ୍ତି, ଜୈବିକ ଚାଷ ବୃଦ୍ଧି ପାଇଁ ମାଟିରେ ୭ ପ୍ରତିଶତ ଜୈବିକ କାର୍ବନ ରହିବାର ଆବଶ୍ୟକତା ରହିଛି। କିନ୍ତୁ ରାଜ୍ୟର ବିଭିନ୍ନ ଅଞ୍ଚଳର ମାଟିରେ କାର୍ବନ ପରିମାଣ ୦.୩ରୁ ୦.୫ ପ୍ରତିଶତ ରହିଛି।

Digital world: ଦୁର୍ଗମ ଅଞ୍ଚଳରୁ ଡିଜିଟାଲ୍‌ ଦୁନିଆ

ଏମ୍‌ଏସ୍‌ପି ଝଡ

ଚଳିତ ବର୍ଷ କେନ୍ଦ୍ର ସରକାର ଏମ୍‌ଏସ୍‌ପିକୁ ୨୩୦୦ରୁ ୨୩୬୯ ଟଙ୍କାକୁ ବୃଦ୍ଧି କରିଛନ୍ତି। ଅର୍ଥାତ୍‌ ବୋନସ ମିଶାଇଲେ ଓଡ଼ିଶା ଚାଷୀ ୩୧୬୯ ପାଇବା କଥା। କିନ୍ତୁ ସରକାର ପୂର୍ବବତ୍‌ ୩୧୦୦ ଦେଉଥିବାରୁ ବିଧାନସଭା ଗୃହ ଭିତରେ ବିରୋଧୀ ଏବଂ ବାହାରେ ଚାଷୀ ସଙ୍ଗଠନ ପ୍ରଶ୍ନ କରିଛି। ଏମ୍‌ଏସ୍‌ପି ଚାଷ ଓ ଚାଷୀଙ୍କ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଅଟେ। ଚାଷୀଙ୍କୁ କୃଷିଜାତ ଦ୍ରବ୍ୟ ବିକ୍ରି ସଙ୍କଟରୁ ରକ୍ଷା ପାଇଁ ଝା କମିଟି ରିପୋର୍ଟ ଆଧାରରେ କୃଷିଜାତ ପ୍ରାଇସ୍‌ କମିସନ୍‌ ଗଠନ ହୋଇଥିଲା। ୧୯୮୫ ମସିହାରେ ଏହା କୃଷି ଖର୍ଚ୍ଚ ଓ ପ୍ରାପ୍ୟ କମିସନ୍‌ ଭାବରେ ପରିଚିତ ହେଲା। ସବୁଜ ବିପ୍ଳବ ବେଳେ ଧାନ ଓ ଗହମର ଏବଂ ବର୍ତ୍ତମାନ ୨୩ଟି ଫସଲରେ ଏମ୍‌ଏସ୍‌ପି ଘୋଷଣା କରାଯାଉଛି। କୃଷିଜାତ ପ୍ରାଇସ୍‌ କମିସନ୍‌ ପକ୍ଷରୁ ହାରାହାରି ଖର୍ଚ୍ଚ ଓ ପାରିବାରିକ ଖର୍ଚ୍ଚକୁ ହିସାବକୁ ନିଆଯାଇ ଏମ୍‌ଏସ୍‌ପି ଆକଳନ ହୁଏ। ଏଠାରେ ବିହନ, ସାର, କୀଟନାଶକ, କୃଷି ଶ୍ରମିକ, ତେଲ ଓ ଅଣପ୍ରାପ୍ୟ ପାରିବାରିକ ଶ୍ରମ ହିସାବକୁ ନିଆଯାଏ। ସ୍ବାମୀନାଥନ୍‌ କମିସନ୍‌ ଅନୁସାରେ, ସି୨ +ଜମି ଭଡ଼ାକୁ ଆକଳନ କରି ଏମ୍‌ଏସ୍‌ପି ଆକଳନ କରିଥାଏ। ଏଠାରେ ସି୨ (ଜମି ଭଡ଼ା, ପୁଞ୍ଜିର ସୁଧ ଓ ଯନ୍ତ୍ର ବ୍ୟବହାର ଯୋଗୁଁ ମୂଲ୍ୟ ହ୍ରାସ)କୁ ହିସାବକୁ ନିଆଯାଏ।
ଇ-ନାମ, କୃଷକ ବଜାର, ଏଫ୍‌ପିଓ ଜରିଆରେ ଚାଷୀଙ୍କୁ ବଜାର ସହିତ ଯୋଡ଼ା ଯାଉଛି। ନୂତନ କୃଷି ନୀତିରେ ଓସାମ ବୋର୍ଡକୁ ସୁଦୃଢ଼ କରାଯାଉଛି। ନବରଙ୍ଗପୁର ମକା, କଳାହାଣ୍ଡିର କପା, ସମ୍ବଲପୁରର ଲଙ୍କା, କନ୍ଧମାଳର ହଳଦୀ, କୋରାପୁଟର ଅଦା ବିକ୍ରି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। କିନ୍ତୁ ପରିବା ପାଇଁ ଆଜି ବି ବଜାର ଅଭାବ ରହିଛି। ଲକ୍ଷ୍ୟ ଅନୁସାରେ, ଶୀତଳଭଣ୍ଡାର ନିର୍ମାଣ ନ ହେବାରୁ ବାହାର ରାଜ୍ୟର ପରିବା ଓଡ଼ିଶା ପରିବା ବଜାରକୁ କବ୍‌ଜା କରିଛି।

ଚାଷରେ ଯୁବକ ରହିବେ

୨୦୨୪ ମସିହା ସ୍ବାଧୀନତା ଦିବସରେ ମୟୂରଭଞ୍ଜ ଜିଲ୍ଲାର ୪୧ ବର୍ଷୀୟ ଯୁବଚାଷୀ କାର୍ତ୍ତିକେଶ୍ବର ନାଏକଙ୍କୁ ରାଷ୍ଟ୍ରପତି ଆଟ୍‌ ହୋମ୍‌ ଗେଷ୍ଟ୍‌ ପାଇଁ ଆମନ୍ତ୍ରଣ କରିଥିଲେ। ବାମରାର ଚାଷୀ ସନ୍ଦୀପ ଖଣ୍ଡେଲୱାଲ ବହୁରାଷ୍ଟ୍ରୀୟ କଂପାନି ଚାକିରି ଛାଡ଼ି ନିଜ ଗାଁରେ ଚାଷ କରୁଛନ୍ତି। ଏହା କେବଳ ଉଦାହରଣ ମାତ୍ର। ରାଜ୍ୟରେ ଏଭଳି ଅନେକ ଯୁବକ ଅଛନ୍ତି ଯେଉଁମାନେ ଲୋଭନୀୟ ଚାକିରି ଛାଡ଼ି ଚାଷକୁ ବୃତ୍ତି କରୁଛନ୍ତି। କିନ୍ତୁ ଅନ୍ୟଦିଗରେ ଏକ ବିରାଟ ଗୋଷ୍ଠୀ ଚାଷ ଛାଡ଼ି ବାହାରେ ଦାଦନ ଶ୍ରମିକ ମଧ୍ୟ ହେଉଛନ୍ତି। କୃଷି ଉଦ୍ୟୋଗ, ଡିଜିଟାଲ୍‌ ଓ ସ୍କିଲ୍‌ ସମେତ ଆହୁରି ଅନେକ ଯୋଜନାରେ ଯୁବକଙ୍କୁ ଆକର୍ଷିତ ପାଇଁ ଚେଷ୍ଟା କରାଯାଉଛି।

Untitled-13

ପାଣି ଅଭାବ ସ୍ଥାନରେ ସମନ୍ବିତ ଚାଷ

ସମ୍ବଲପୁର ଜିଲ୍ଲା କଳାମାଟି ପଞ୍ଚାୟତର ରଞ୍ଜନ ପାଣିଗ୍ରାହୀ। ଯିଏକି ପାଣି ଅଭାବ ସ୍ଥାନରେ ଅଢ଼େଇ ଏକର ଜମିରେ ଧାନ, ୨ ଏକର ଜମିରେ ପୋଟଳ, ଭେଣ୍ଡି, ଆଳୁ, ମୂଳା, ବାଦାମ, କଲରା, ଫୁଲକୋବି ଭଳି ପରିବା ସହିତ ଗୋପାଳନ, କୁକୁଡ଼ା ପାଳନ, ମାଛଚାଷ କରୁଛନ୍ତି। ଏହାକୁ ଆହୁରି ସମ୍ପ୍ରସାରଣର ଲକ୍ଷ୍ୟ ରଖନ୍ତି। ରଞ୍ଜନ କହନ୍ତି, ସମନ୍ବିତ ଚାଷ ପାଇଁ ସରକାରୀ ଯୋଜନା ରହିଛି। କିନ୍ତୁ ଏଥିପାଇଁ ବହୁତ ହଇରାଣ ହେବାକୁ ପଡ଼େ। ତେଣୁ ସରକାରୀ ରିହାତିର ଆଶା ରଖି ନାହାନ୍ତି। ନିଜ ଉଦ୍ୟମରେ ଆଗେଇ ଚାଲିଛନ୍ତି।

ଛୋଟ ଜିଲ୍ଲାର ଆଗୁଆ ଚାଷୀ ରୀନା

ଗୋପାଳନ ଓ କୁକୁଡ଼ା ପାଳନ ସହିତ ଧାନ, ମହୁ ଏବଂ ପରିବା ଚାଷରୁ ଲକ୍ଷାଧିକ ଆୟ କରିଥିବା ଚାଷୀ ହେଉଛନ୍ତି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ୍‌ ପାଳକୁଦର ଗାଁର ରୀନା ଦ୍ବିବେଦୀ। ୨୦୦୯ ମସିହାରେ ସେ ୨ଟି ଗାଈରୁ ଗୋପାଳନ ଆରମ୍ଭ କରି ଏବେ ୩୬ରେ ପହଞ୍ଚିଛି। ୨୦୦ରୁ ଅଧିକ ଦେଶୀ କୁକୁଡ଼ା ସହିତ ୩୦୦ରୁ ଅଧିକ ଛେଳି ପାଳନ କରି ମାସକୁ ଦେଢ଼ଲକ୍ଷ ଟଙ୍କା ଆୟ କରୁଛନ୍ତି।

ଚାଷୀ କଣ କେବଳ ପୁରୁଷ

ପହ୍ଲା ରୁଆ, ଲଟାବଛା, ସାର, ପାଣି ସିଞ୍ଚନ। ମଣ୍ଡିକୁ ଯାଇ ଧାନ ବିକ୍ରି ପର୍ଯ୍ୟନ୍ତ; ଏଭଳି କୌଣସି କାର୍ଯ୍ୟ ନାହିଁ ଯାହା କରେ ନାହିଁ। ୨୨ ବର୍ଷ ଧରି ଏକାକୀ ୩୦ ଏକର ଜମିରେ ଚାଷ କରି ଦୁଇ ଝିଅଙ୍କୁ ଅଧ୍ୟାପିକା ଓ ଇଞ୍ଜିନିୟର କରିଛି। ଏହା କହିଛନ୍ତି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଉଚକାପାଟ ଚାଷୀ ସୌଦାମିନୀ ନାଏକ।। ଏହି ବ୍ଲକର ବୈଜୟନ୍ତୀ ନାଏକ, ଶାନ୍ତି ସୁରିନ, ଯତ୍ନପ୍ରଭା ଚୌଧୁରୀ, ହେମକାନ୍ତି ରାଉତଙ୍କ ଭଳି ଅସଂଖ୍ୟ ମହିଳା ଚାଷୀ ରୋଗପୋକ, ହାତୀ ଉପଦ୍ରବ, ମରୁଡ଼ି ଆଦିର ମୁକାବିଲା କରି ମାଟିରୁ ଫସଲ ଫଳାଉଛନ୍ତି। ବରଗଡ଼ ଜିଲ୍ଲା ସରଗିପାଲିର ରଜନୀ ସାହୁ ଜୈବିକ ଚାଷୀ ଭାବରେ ଉଦାହରଣ ସୃଷ୍ଟି କରିଛନ୍ତି। ମହିଳା ଚାଷୀ କେବଳ ଚାଷ କରି ନାହାନ୍ତି, ସୁନାମ ଆଣିଛନ୍ତି। କମଳା ପୂଜାରୀ, ସାବରମତୀ ପଦ୍ମଶ୍ରୀ ପାଇଛନ୍ତି। ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଅବସରରେ ଜି୨୦ ସମ୍ମିଳନୀରେ ଜାତିସଂଘର ପ୍ରସ୍ତାବ ଅନୁସାରେ କୋରାପୁଟ ଜିଲ୍ଲାର ରାଇମତି ଘୁରିଆ ଏବଂ ସୁବାସା ମୋହନ୍ତା ଅଂଶଗ୍ରହଣ କରିଥିଲେ। ଏହି ମହିଳାମାନେ ଚାଷୀର ମାନେ କେବଳ ପୁରୁଷ ନୁହେଁ ବୋଲି ପ୍ରମାଣିତ କରିଛନ୍ତି। ୨୦୧୧ ଜନଗଣନା ଅନୁସାରେ, ରାଜ୍ୟର ୫୭ ପ୍ରତିଶତ ମହିଳା ଚାଷ କାର୍ଯ୍ୟରେ ସଂପୃକ୍ତ ଅଛନ୍ତି। ଏଥିରୁ ୩୨.୫ ଲକ୍ଷ ମହିଳା କୃଷି ଶ୍ରମିକ ଅଟନ୍ତି। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କୃଷି ବିଭାଗ ପକ୍ଷରୁ କୃଷି ନୀତି, ବଜାର, ଯୋଜନା, ପ୍ରଯୁକ୍ତିରେ ମହିଳାଙ୍କ ଅଂଶୀଦାରକୁ ବଢ଼ାଇବା ପାଇଁ ଜେଣ୍ଡର ରେସ୍‌ପନସିଭ୍‌ ସେଲର ଉଦ୍‌ଘାଟନହୋଇଛି। ଜାତିସଂଘ ପକ୍ଷରୁ ୨୦୨୬ ମସିହାକୁ ମହିଳା ଚାଷୀଙ୍କ ବର୍ଷ ଭାବେ ଘୋଷଣା କରାଯାଇଛି।

Untitled-16

କୃଷି ଯନ୍ତ୍ରର ବ୍ୟବହାର କେତେ 

କୃଷି ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ନରେନ୍ଦ୍ର ପଣ୍ଡାଙ୍କ ଅନୁସାରେ, ୧୦ ବର୍ଷ ପୂର୍ବରୁ ଓଡ଼ିଶାର କୃଷି ଯାନ୍ତ୍ରିକୀକରଣ ଥିଲା ହେକ୍ଟର ପିଛା ମାତ୍ର ୦.୬୦ କିଲୋୱାଟ୍‌। ୨୦୨୩ ମସିହାରେ ୨.୪୮ କିଲୋୱାଟ୍‌ ଏବଂ ବର୍ତ୍ତମାନ ସୁଦ୍ଧା ୨.୬୦ କିଲୋୱାଟ୍‌ ପର୍ଯ୍ୟନ୍ତ ପହଞ୍ଚିବା ନେଇ ଅନୁମାନ ରହିଛି। ୨୦୨୪ ମସିହାରେ ରାଜ୍ୟରେ ୬୧ ହଜାରରୁ ଅଧିକ ଚାଷୀ ୭୭ ହଜାର ୬୬୨ ମେସିନ୍‌ କିଣିଛନ୍ତି। କମ୍‌ ଖର୍ଚ, କମ୍‌ ପରିଶ୍ରମ, ଅଧିକ ଅମଳର ଲକ୍ଷ୍ୟ ନେଇ କୃଷି ଯାନ୍ତ୍ରିକୀକରଣକୁ ଗୁରୁତ୍ବ ଦିଆଯାଇଛି। ଚଳିତ ବର୍ଷ ଏହା ଆହୁରି ବଢିବ। ସେଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବରୁ ଯେଉଁ ଦେଶୀ ଲଙ୍ଗଳରେ ଚାଷ କରୁଥିଲେ ବର୍ତ୍ତମାନ ରୋଟାଭେଟର କିମ୍ବା ପାୱାରଟିଲର ବ୍ୟବହାର କରୁଛନ୍ତି।

Untitled-15

ତାରପୋଲିନ ତଳେ ଧାନ ବିକ୍ରି

ନିୟମ ଅନୁସାରେ, ପ୍ରତ୍ୟେକ ମଣ୍ଡିରେ ଗୋଦାମ, ପିଣ୍ଡି, ଶୌଚାଳୟ, ଇଣ୍ଟରନେଟ୍‌ ସମେତ ସବୁ ପ୍ରକାର ସୁବିଧା ରହିବା ଉଚିତ। ବରଗଡ଼ ଜିଲ୍ଲାର ୩ ଆର୍‌ଏମ୍‌ସିରେ ସମୁଦାୟ ୨୦୦ କୋଟି କୋଟି ଟଙ୍କା ପଡ଼ିରହିଛି। ଏହା ସତ୍ତ୍ବେ ଏଠାରେ ୧୦ ହଜାର କ୍ବିଣ୍ଟାଲ ଧାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ୭୦ ସ୍ଥାନରେ ଖୋଲା ଆକାଶ ତଳେ ଧାନ ବିକ୍ରି ହେଉଛି। ମାସମାସ ଧରି ଧାନ ଅବିକ୍ରି ହୋଇ ପଡ଼ି ରହେ। ଚଳିତ ବର୍ଷ ଆରମ୍ଭରୁ ହିଁ ସମସ୍ୟା ରହିଛି। 

ରମେଶ ମହାପାତ୍ର, ବରଗଡ଼

ଅଖା ମିଳୁନି

ଯେତେ ସଂଖ୍ୟାରେ ଚାଷୀ ଧାନ ବିକ୍ରି ପାଇଁ ଆଗ୍ରହଦେଖାଉଛନ୍ତି, ସେହି ଅନୁଯାୟୀ ସୁବିଧା ନାହିଁ। ବଳକା ଧାନ ବିକ୍ରି ବ୍ୟବସ୍ଥା କରାଯାଉ ନାହିଁ। ଚାଷୀଙ୍କୁ ଅଖା କି ଟଙ୍କା ମିଳୁ ନାହିଁ। ଆଜିବି ମଣ୍ଡିରେ ମିଲର ହିଁ ସର୍ବେସର୍ବା। ଟୋକ୍‌ନ ତାରିଖ ଅନୁଯାୟୀ ଧାନ ବିକ୍ରିର ସୁଯୋଗ ନାହିଁ। ଟୋକନ ଲାପ୍ସ ହୋଇଯାଉଛି। ବିକ୍ରି ତାରିଖ ସମ୍ପ୍ରସାରଣ କଲେ ବି ଚାଷୀ ହଇରାଣ ହେଉଛି। 

ରଶ୍ମିରଞ୍ଜନ, ଜଗତସିଂହପୁର

ହଳଦୀ ପାଇଁ ବ୍ୟବସ୍ଥିତ ବଜାର ନାହିଁ

ହଳଦୀ ମଣ୍ଡି ନାହିଁ। ଦାରିଙ୍ଗବାଡ଼ିରେ ୧୨ ହଜାର ମେଟ୍ରି୍‌କ ଟନ୍‌ ହଳଦୀ ଉତ୍ପାଦନ ହେଉଛି। ସେଥିରୁ ମାତ୍ର ୨ ପ୍ରତିଶତ ସରକାରୀ ପ୍ରଚେଷ୍ଟାରେ ଏକ ବ୍ୟବସାୟିକ ଅନୁଷ୍ଠାନ ସଂଗ୍ରହ କରିଥାଏ। ହିସାବ ଅନୁଯାୟୀ ଚାଷୀଙ୍କୁ କେଜି ପିଛା ୧୨୫ ଟଙ୍କା ମିଳିଲେ ଲାଭ ହୁଅନ୍ତା। କିନ୍ତୁ ହଳଦୀର ଚାହିଦା ଥାଇ ମଧ୍ୟ ବ୍ୟବସ୍ଥିତ ବଜାର ଅଭାବରୁ ଚାଷୀଙ୍କୁ କେଜି ପିଛା ମାତ୍ର ୧୦୦ ଟଙ୍କା ମିଳି ପାରୁଛି। 

କୈଳାସ ଚନ୍ଦ୍ର ଦଣ୍ଡପାଟ, କନ୍ଧମାଳ

ପ୍ରାକୃତିକ ବିପର୍ଯ୍ୟୟର ମାଡ଼

୧୯୭୦ ମସିହାରୁ ୨୦୨୫, ଏଭଳି କୌଣସି ବର୍ଷ ନାହିଁ ଯେବେ ଓଡ଼ିଶାର କୌଣସି ନା କୌଣସି ସ୍ଥାନ ବନ୍ୟା, ବାତ୍ୟା, ମରୁଡ଼ି, ଗ୍ରୀଷ୍ମପ୍ରବାହ, ଘୂର୍ଣ୍ଣିଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇ ନାହିଁ। ଓଡ଼ିଶା କୃଷି ରିପୋର୍ଟରେ ଏହା ସ୍ପଷ୍ଟ କରାଯାଇଛି। ଏଥିଯୋଗୁଁ ଚାଷୀ ହିଁ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛି। ସେଥିରେ ପୁଣି ବନ୍ୟଜନ୍ତୁ ଉପଦ୍ରବ କ୍ଷତିକୁ ଆହୁରି ବଢ଼ାଉଛି।

ସମୁଦ୍ର ପାଣିରେ ଫସଲ ନଷ୍ଟ

ଗତବର୍ଷ ପରେ ଚଳିତ ବର୍ଷ ମଧ୍ୟ ବନ୍ୟାରେ ଫସଲ ନଷ୍ଟ ହୋଇଗଲା। ଇନ୍‌ପୁଟ୍‌ ସବ୍‌ସିଡି କିମ୍ବା ପ୍ରଧାନମନ୍ତ୍ରୀ ଫସଲ ବୀମା କୌଣସିଟି କାମ କରୁନି। ପ୍ରକୃତରେ ବଳଙ୍ଗ, ଗଙ୍ଗାହାର ନଦୀ ଓ ସୋନ ଏହି ତିନି ନଦୀ ମଝିରେ ରେମୁଣା ବ୍ଲକ ବୋଡ଼ପାଲ। ତେଣୁ ପ୍ରତିବର୍ଷ ଏହି ଅଞ୍ଚଳକୁ ପାଣି ମାଡ଼େ। ସମୁଦ୍ର ଜୁଆରରେ ଫସଲ ନଷ୍ଟ ହୋଇଯାଏ।
 

ଦାମୋଦର ବିଶ୍ବାଳ, ବାଲେଶ୍ବର

ବୀମା ଥାଇ ବି ଲାଭ ହେଲାନି

ବର୍ଷାରେ ୭ ଏକର ଯାକ ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ଠିକ୍‌ ଥୋଡ଼ ବାହାରିବା ବେଳକୁ ଏତେ ବର୍ଷା ହେଲା ଯେ ଧାନ ପୋଲା ହୋଇଗଲା। ସମସ୍ତଙ୍କୁ ଜଣାଇଲି କିଛି ଫାଇଦା ହୋଇ ନାହିଁ। ଇନ୍‌ପୁଟ୍‌ ସବ୍‌ସିଡି କି ବୀମା କିଛି ବି ମିଳିଲା ନାହିଁ।

ଉମା ରଣା, କୋରାପୁଟ

ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାର

ଧାନଚାଷରେ ଝାଳବୁହା ପରିଶ୍ରମ କରି ମଧ୍ୟ ବର୍ଷା ଅଭାବରୁ ଫସଲ ନଷ୍ଟ ହୋଇଗଲା। ଋଣ ବୋଝ ଚିନ୍ତାରେ ବାପା ଜାନୁଆରି ମାସରେ ଆତ୍ମହତ୍ୟା କଲେ।  ଆଜି ବର୍ଷେ ପରେ ପରିବାରର ସ୍ଥିତି କହିଲେ, କମ ବୟସରେ ଭାଇ ଉପରେ ଚାଷର ବୋଝ ପଡ଼ିଛି। ମା’ଙ୍କୁ ବିଧବା ଭତ୍ତା ବି ମିଳିପାରିଲା ନାହିଁ। ସେହି ବର୍ଷ ବର୍ଷାଭାବ, ରୋଗପୋକ ଯୋଗୁଁ ଫସଲ ଉତ୍ପାଦନ ପ୍ରାୟ ୫୦ ପ୍ରତିଶତ କମିଗଲା। ଗାଁର ଅଧିକାଂଶ ଚାଷୀଙ୍କ ଫସଲ ଉତ୍ପାଦନ କମି ଯାଇଥିଲେ ମଧ୍ୟ କେହି ବି ଇନ୍‌ପୁଟ୍‌ ସବ୍‌ସିଡି ପାଇଲେ ନାହିଁ।

ଦେବକୀ ଭୋଇ, ବୈରାଗୀପାଲି, ଯୁଯୁମୁରା, ସମ୍ବଲପୁର

ବାତ୍ୟା ପରେ ଅଦିନିଆ ବର୍ଷାର ମାଡ଼

ଫାଇଲିନ୍‌, ଫନି, ହୁଡ୍‌ହୁଡ୍‌ ଏଭଳି କୌଣସି ବାତ୍ୟା ନାହିଁ, ଯେଉଁଥିରେ ଫସଲ ନଷ୍ଟ ହୋଇ ନାହିଁ। ଫସଲ ରୁଆ ହୋଇ ନ ଥିବାରୁ କିଛି ଦିନ ପୂର୍ବର ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟ ହେଲା। ଏହା ଏକ ସ୍ବଳ୍ପ ବୃଷ୍ଟି ଅଞ୍ଚଳ। ଅଧିକାଂଶ ସମୟରେ ବର୍ଷା ହୁଏ ନାହିଁ, ଅଚାନକ ଅଦିନିଆ ବର୍ଷା ହୋଇ ଏଭଳି ଦଶା କରେ। ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ପ୍ରିମିୟମ ଦାଖଲ ହେଉଛି କିନ୍ତୁ କେବେ ମଧ୍ୟ କ୍ଷତିପୂରଣ ମିଳୁ ନାହିଁ।

ଅଶୋକ ବିଶୋଇ, ଗଞ୍ଜାମ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe