ଜୀବନ-ମନ୍ତ୍ର: ସାବିତ୍ରୀ; ତତ୍ତ୍ୱ ଓ ବ୍ରତ

ଜ୍ୟେଷ୍ଠ ଅମାବାସ୍ୟା ‘ସାବିତ୍ରୀ ଅମାବାସ୍ୟା’ ଭାବରେ ଖ୍ୟାତ ଏବଂ ପ୍ରତି ଓଡ଼ିଆ ଘରେ ଏହା ସଧବା ସ୍ତ୍ରୀମାନଙ୍କର ଏକ ପବିତ୍ର ବ୍ରତ ରୂପେ ପାଳିତ ହୁଏ। ଏହାର ମୂଳଉତ୍ସ ପ୍ରାଚୀନତମ ବୈଦିକ କାହାଣୀ ‘ସାବିତ୍ରୀ-ସତ୍ୟବାନ-ସମ୍ବାଦ’। ବ୍ୟାସଦେବଙ୍କ ‘ମହାଭାରତ’ରେ ଏହାର ବିସ୍ତାରିତ କଥାରୂପ ବର୍ଣ୍ଣିତ ହୋଇଛି। କିନ୍ତୁ ଆମ ଦେଶର ଋଷିକବି ଶ୍ରୀଅରବିନ୍ଦ ତାଙ୍କ ଅନୁପମ ଇଂରାଜୀ ମହାକାବ୍ୟ ‘ସାବିତ୍ରୀ, ଏ ଲିଜେଣ୍ଡ୍ ଆଣ୍ଡ୍ ଏ ସିମ୍ବଲ’(ସାବିତ୍ରୀ: ଏକ କିଂବଦନ୍ତୀ ଏବଂ ଏକ ପ୍ରତୀକ)ରେ ଏହାକୁ ଏକ ଅତ୍ୟୁଚ୍ଚ ସୋପାନକୁ ଉନ୍ନୀତ କରି ଦେଇଛନ୍ତି।

ଶ୍ରୀଅରବିନ୍ଦଙ୍କର ଏହି ମହାକାବ୍ୟରେ ବୈଦିକ ଓ ପୌରାଣିକ ସାବିତ୍ରୀ-ସତ୍ୟବାନ ଉପାଖ୍ୟାନ ପ୍ରତୀକ ରୂପେ ଉପସ୍ଥାପିତ। ଏହାର ବାର୍ତ୍ତା ହେଉଛି- ମାନବ ଅମୃତ-ପୁତ୍ର। ମୃତ୍ୟୁ ତା’ର ଅନିବାର୍ଯ୍ୟ ନିୟତି। ତାହା ସତ୍ତ୍ୱେ, ନିୟତିର ସେହି ଅନିବାର୍ଯ୍ୟତାକୁ ସେ ଲଙ୍ଘନ କରିପାରେ। ‘ସାବିତ୍ରୀ: କଥା ଓ କାବ୍ୟ’ ପୁସ୍ତକରେ ଏହାର ଭାଷାନ୍ତର ଓ ବ୍ୟାଖ୍ୟା କରିଛନ୍ତି ସୌଦାମିନୀ ନନ୍ଦ। ତାହାର ‘ପ୍ରବେଶିକା’ରେ ସେ କହିଛନ୍ତି, “ମର୍ତ୍ତ୍ୟଭୂମିରେ ଅମୃତପୁତ୍ର ମାନବକୁ ମୃତ୍ୟୁରୂପକ ଅନିବାର୍ଯ୍ୟ ନିୟତିକୁ ଲଙ୍ଘନ କରି ଅମର ଜୀବନ ପ୍ରତିଷ୍ଠା କରିବାକୁ ହେବ। ପୁଣି ସୃଷ୍ଟିବକ୍ଷରେ ଚରମ ଜଡ଼ ନିଶ୍ଚେତନାକୁ ପରମପୂର୍ଣ୍ଣ ଚେତନ ସତ୍ତାରେ ରୂପାନ୍ତରିତ ହେବାକୁ ହେବ। ବିବର୍ତ୍ତନର ଧାରାରେ ପୃଥିବୀର ଆତ୍ମା ଏଥିପାଇଁ ଆସ୍ପୃହାୟିତ ଓ ନିରନ୍ତର ପ୍ରୟାସରତ। ସାବିତ୍ରୀ ମୃତ୍ୟୁବିଜୟ କାବ୍ୟ, ଜୀବନକାବ୍ୟ; ସବୁ ପରେ କିନ୍ତୁ ପ୍ରେମକାବ୍ୟ। ମାନବୀୟ ପ୍ରେମର ସର୍ବୋଚ୍ଚ ଉତ୍ତରଣ ଏବଂ ରୂପାନ୍ତରଣ ସ୍ୱରୂପଟି ଏଥିରେ ସାଂକେତିତ।” ମନୋଜ ଦାସ ମଧ୍ୟ ଏହାର ଓଡ଼ିଆ ପଦ୍ୟାନୁବାଦ କରିଛନ୍ତି। ଶ୍ରୀଅରବିନ୍ଦଙ୍କ ଭୂମିକାର ଓଡ଼ିଆ ଗଦ୍ୟାନୁବାଦରେ ସେ କହିଛନ୍ତି, “ମହାଭାରତରେ ସତ୍ୟବାନ ଓ ସାବିତ୍ରୀଙ୍କ କାହାଣୀ ଦାମ୍ପତ୍ୟପ୍ରେମ ମୃତ୍ୟୁଜୟ କରିବାର ଗଳ୍ପ ଭାବରେ ବିବୃତ ହୋଇଛି।… ସତ୍ୟବାନ ହେଲେ ନିଜ ଭିତରେ ସତ୍ତାର ଦିବ୍ୟସତ୍ୟ ଧାରଣ କରୁଥିବା ଆତ୍ମା, କିନ୍ତୁ ମୃତ୍ୟୁ ଏବଂ ଅଜ୍ଞାନର ଆୟତ୍ତ ମଧ୍ୟକୁ ଅବତରିତ; ସାବିତ୍ରୀ ହେଲେ ଦିବ୍ୟ ବାକ୍‌, ସୂର୍ଯ୍ୟଙ୍କର କନ୍ୟା, ପରମସତ୍ୟର ଦେବୀ ଯିଏ ଅବତରଣ କରିଛନ୍ତି ଏବଂ ରକ୍ଷା କରିବାକୁ ଜନ୍ମଗ୍ରହଣ କରିଛନ୍ତି।”

ଓଡ଼ିଆ ସାବିତ୍ରୀବ୍ରତ କଥାରେ କିନ୍ତୁ ଏ ସବୁ ତତ୍ତ୍ୱର ଗଭୀରତା ନାହିଁ। ଏ ବ୍ରତକଥାର ବାର୍ତ୍ତା ହେଉଛି- ଜ୍ୟେଷ୍ଠ ଅମାବାସ୍ୟା ଦିନ ଯିଏ ସାବିତ୍ରୀଙ୍କ ନାମ ସ୍ମରଣ କରି ବ୍ରତ କରିବ, ସେ ଜନ୍ମେ ଜନ୍ମେ ସଧବା ରହିବ। ପତିପରାୟଣା ଓ ପୁତ୍ରବତୀ ହୋଇ ଅନ୍ତିମକାଳରେ ବୈକୁଣ୍ଠ ପୁରକୁ ଯିବ।

‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :- [email protected]

ସମ୍ବନ୍ଧିତ ଖବର