ବ୍ରିଟେନର ନୂଆ ରାଜା: କ’ଣ ରହିଛି ପ୍ରକ୍ରିୟା, କିପରି ଆରୋହଣ କରନ୍ତି ସିଂହାସନ

ନୂଆ ଶାସକ ରାଜଗାଦିରେ ବସିବାକୁ ନେଇ ରହିଛି ଏକ ଲମ୍ବା ପ୍ରକ୍ରିୟା। ନିୟମ ଅନୁସାରେ ରାଣୀଙ୍କ ମୃତ୍ୟୁ ପରେ ଆପେ ଯୁବରାଜ ଚାର୍ଲସ୍ ରାଜା ହେବେ। ତେବେ ରାଣୀଙ୍କ ମୃତ୍ୟୁର ୨୪ ଘଣ୍ଟା ଭିତରେ ଆକ୍‌ସେସନ୍ କାଉନ୍‌ସିଲ୍ ବା ‘ଯୋଗଦାନ ପରିଷଦ’ ବୈଠକ ଡକାଯିବ ଓ ସେହି ବୈଠକ ସେଣ୍ଟ୍ ଜେମ୍‌ସଙ୍କ ପ୍ରାସାଦରେ ଅନୁଷ୍ଠିତ ହେବ। ପ୍ରାଇଭି କାଉନ୍‌ସିଲରମାନଙ୍କ ଦ୍ବାରା ସେହି ପରିଷଦ ଗଠନ କରାଯିବ। ନୋର୍ମାନ ଯୁଗଠାରୁ ଏହି ପରିଷଦ ରାଜାଙ୍କୁ ପରାମର୍ଶ ଦେବାର ପରମ୍ପରା ପ୍ରଚଳିତ ରହିଛି। ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କ ସମେତ ସେଥିରେ ୬୭୦ ବରିଷ୍ଠ ରାଜନେତା ରହିଛନ୍ତି। ସେଥିରେ ଚର୍ଚ ଅଫ ଲଣ୍ଡନର ବିଶପମାନେ ରହିବେ। କ୍ୟାଣ୍ଟବରିର ଆର୍କବିସପଙ୍କ ସମେତ ହାଉସ୍‌ ଅଫ୍ ଲର୍ଡସ୍‌ରେ ସେମାନେ ଏକତ୍ରୀତ ହେବେ। ଲଣ୍ଡନର ଲର୍ଡ ମେୟର, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ୧୪ ଜଣ ଉଚ୍ଚାୟୁକ୍ତ ମଧ୍ୟ ପରିଷଦରେ ବସିବେ। ଏହାର ବର୍ତମାନର ସଭାପତି ହେଉଛନ୍ତି ପେନି ମୋରଡଣ୍ଟ୍‌। ଯୋଗଦାନ ପରିଷଦକୁ ଦୁଇ ଭାଗରେ ଭାଗ କରାଯାଇଛି। ପ୍ରଥମ ଭାଗରେ ଲର୍ଡ ପ୍ରେସିଡେଣ୍ଟ ଶାସକଙ୍କ ମୃତ୍ୟୁ ବିଷୟରେ ଘୋଷଣା କରିବେ ଓ ପରିଷଦର କିରାଣି ନୂଆ ଶାସକ ଶାସନ ଗାଦିରେ ଅଧିଷ୍ଠିତ ହେବା ବିଷୟରେ ଘୋଷଣା କରିବେ। ଏହାପରେ ପ୍ରୋକ୍ଲାମେସନ ଗ୍ୟାଲେରିରୁ ଅଭିଭାଷଣ ପଢ଼ାଯିବ। ତାଙ୍କ ପାଖରେ ପାରମ୍ପରିକ ପୋଷାକ ପରିଧାନ କରିଥିବା ଅଧିକାରୀ ରହିବେ। ତା’ ପରେ ତୋପ ସଲାମୀ ପ୍ରଦାନ କରାଯିବ। ଏହା ପରେ ଦେଶର ପ୍ରମୁଖ ସହରଗୁଡ଼ିକରେ ସେହି ଅଭିଭାଷଣକୁ ପଢ଼ାଯିବ। ‘ଦି କୁଇନ ଇଜ୍‌ ଡେଡ୍‌। ଲଙ୍ଗ ଲିଭ୍ କିଙ୍ଗ (ରାଣୀଙ୍କ ମୃତ୍ୟୁ ଘଟିଛି, ରାଜା ଦୀର୍ଘଜୀବୀ ହୁଅନ୍ତୁ) ଶୁଣିବାକୁ ମିଳିବ। ପରମ୍ପରା ଅନୁସାରେ ନୂଆ ରାଜାଙ୍କୁ କିଛି ସ୍ମରଣୀୟ କଥା କହିବାକୁ ପଡ଼ିବ ଯାହାକୁ ପରେ ସରକାରଙ୍କ ରେକର୍ଡ ‘ଲଣ୍ଡନ ଗେଜେଟ୍‌’ରେ ସାମିଲ କରାଯିବ।

ତାଙ୍କ ନାମ କିଙ୍ଗ୍‌ ଚାର୍ଲସ୍‌ ତୃତୀୟ ରହିବ ବୋଲି କିଛି ସଠିକତା ନାହିଁ। ଇଂରେଜ ଶାସକମାନେ ନିଜ ନାମ ନିଜେ ଚୟନ କରିଥାନ୍ତି। ନୂଆ ରାଜା ନିଜ ନାମକୁ ବ୍ୟବହାର କରିବାକୁ କୁଣ୍ଠା ପ୍ରକାଶ କରିଥାନ୍ତି। ଓଲିଭର କ୍ରୋମୱେଲଙ୍କ ସମୟରେ ପୂର୍ବର କିଙ୍ଗ୍‌ ଚାର୍ଲସ୍‌ଙ୍କ ୧୬୪୯ରେ ମୁଣ୍ଡକାଟ କରାଯାଇଥିଲା। ରାଜା ଏଡ୍‌ୱାର୍ଡ ସପ୍ତମ ଏଡ୍‌ୱାର୍ଡ ନାମକୁ ଚୟନ କରିଥିଲେ ମଧ୍ୟ ପରିବାର ବର୍ଗଙ୍କ ମଧ୍ୟରେ ଡେଭିଡ୍‌ ଭାବେ ପରିଚିତ ଥିଲେ। ଚାର୍ଲସ୍‌ଙ୍କ ମା’ କିନ୍ତୁ ଏଲିଜାବେଥ୍‌ ନାମକୁ ରଖିଥିଲେ।

ରାଜା ଭାବେ ଚାର୍ଲସ୍‌ଙ୍କ ପାଖରେ ସୀମିତ କ୍ଷମତା ରହିବ। କେବଳ ଆଳଙ୍କାରିକ କ୍ଷମତା ତାଙ୍କ ପାଖରେ ରହିବ। ରାଜନୀତିରେ ସେ ନିରପେକ୍ଷ ରହିବେ। ବିଭିନ୍ନ ପ୍ରସଙ୍ଗରେ ଖୋଲା ମତ ଦେବାକୁ ପସନ୍ଦ କରୁଥିବା ଚାର୍ଲସ୍‌ଙ୍କ ପାଇଁ ଏହା କଷ୍ଟକର ହୋଇପାରେ। ସେ ପ୍ରଧାନମନ୍ତ୍ରୀଙ୍କୁ ଆନୁଷ୍ଠାନିକ ନିଯୁକ୍ତି ଦେବେ। ସେ ଏଭଳି ଜଣେ ଲୋକଙ୍କୁ ନିଯୁକ୍ତି ଦେବେ ଯିଏ ସଂସଦର ସଦସ୍ୟମାନଙ୍କ ସମର୍ଥନ ଉପଭୋଗ କରିବେ। କୌଣସି ଶାସକ ସରକାରଙ୍କୁ ଗାଦିଚ୍ୟୁତ କରିପାରିବେ। ପ୍ରତିବର୍ଷ ସଂସଦ ଆରମ୍ଭ ହେବା ଦିବସରେ ଚାର୍ଲସ୍‌ ଯୋଗ ଦେବେ। କିନ୍ତୁ ସେ ଯେଉଁ ଅଭିଭାଷଣ ପଢ଼ିବେ ତାହାକୁ ତାଙ୍କ ମନ୍ତ୍ରୀମାନେ ଲେଖିବେ। ସେ ଯେଉଁ ସରକାରୀ କାଗଜପତ୍ର ଦେଖିବାକୁ ଚାହିବେ ତାହା ଦେଖିପାରିବେ। ବିଦେଶୀ ଅତିଥିଙ୍କୁ ଆତିଥେୟତା ଦେଇପାରିବେ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ସାପ୍ତାହିକ ବୈଠକ କରିପାରିବେ। ସେ ହେବେ ସଶସ୍ତ୍ର ବାହିନୀର ମୁଖ୍ୟ। ବ୍ରିଟେନ୍‌ର ସେନା ସରକାରଙ୍କୁ ନେଇ ଶାସକଙ୍କୁ ଦୃ‌ଷ୍ଟିରେ ରଖି ଶପଥ ନେବେ।

୧୯୯୭ରେ ଏକ କାର୍ ଦୁର୍ଘଟଣାରେ ୱେଲ୍‌ସର ଯୁବରାଣୀ ଡାଏନାଙ୍କ ମୃତ୍ୟୁ ହେବା ପରେ ଡଚ୍‌ର ଯୁବରାଣୀ କାମିଲା ଚାର୍ଲସ୍‌ଙ୍କ ଦ୍ବିତୀୟ ପତ୍ନୀ ହୋଇଥିଲେ। ସେ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି। ୨୦୨୨ରେ ରାଣୀ ଏଲିଜାବେଥ୍‌ ତାଙ୍କୁ ରାଣୀ କାମିଲା ମାନ୍ୟତା ଦେଇଥିଲେ। ଯେଉଁଦିନ ଯୁବରାଜ ଚାର୍ଲସ୍ ରାଜା ହେବେ କେବଳ ସେହିଦିନକୁ ବାଦ ଦେଲେ ଅନ୍ୟ ଦିନଗୁଡ଼ିକ ସରକାରୀ କୋଠାରେ ପତାକା ଅର୍ଦ୍ଧନମିତ ରହିବ।

ସମ୍ବନ୍ଧିତ ଖବର