ଏବେ ଆମେ ମଲ୍‌ଟିପ୍ଲେକ୍ସରେ ବସି ବିଳାସମୟ ଶୈଳୀରେ ସିନେମା ଉପଭୋଗ କରୁଛେ। କିନ୍ତୁ ସମୟ ଥିଲା ଦର୍ଶକ ଚାଳଘର ଚଟାଣରେ ଅଖା ପାରି କିଂବା କାଠବେଞ୍ଚ୍‌ରେ ବସି ସିନେମା ଦେଖୁଥିଲେ। ସମୟ ସ୍ରୋତରେ ଚାଳଘରୁ ଆମେ ଯାଇ ପହଞ୍ଚିଛେ ଅତ୍ୟାଧୁନିକ ଓ ଆରାମଦାୟକ ଥିଏଟର୍‌ରେ। ତେବେ ଅତୀତର ସିନେମା ହଲ୍‌ କିଭଳି ଥିଲା, ତାହା ମନେ ପକାଇଦିଏ ଢେଙ୍କାନାଳର ଅଶୀତିପର ‘କଥାଚିତ୍ର ହଲ୍’।

Advertisment

୧୯୩୮ ମସିହାରେ ରାଜ୍ୟର ତୃତୀୟ ସିନେମା ହଲ୍‌ ଢେଙ୍କାନାଳରେ ନିର୍ମାଣ ହୋଇଥିଲା। ହଲ୍‌ ବୋଇଲେ ଏକ ବଡ଼ ଚାଳଘର। ସେତେବେଳେ ନିର୍ବାକ୍ ଚଳଚ୍ଚିତ୍ର ଏହି ହଲ୍‌ରେ ପ୍ରଦର୍ଶିତ ହେଉଥିଲା। ଅର୍ଥାତ୍‌, ପରଦାରେ କେବଳ ଛବି ପ୍ରଦର୍ଶିତ ହେଉଥିଲା ଓ ବିଷୟବସ୍ତୁକୁ ପରଦା ପଛରେ ରହି ଅନ୍ୟ ଜଣେ ବର୍ଣ୍ଣନ‌ା କରୁଥିଲେ। ସମୟାନୁକ୍ରମେ ଚିତ୍ର ସହ କଥା ଆସିବା ପରେ ଫିଲ୍ମ ହଲ୍‌ ସ୍ଥାନାନ୍ତର ହେବା ସହ ତା’ର ନାମ ପରିବର୍ତ୍ତନ ହୋଇ ‘କଥାଚିତ୍ର’ ହୋଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସିନେପ୍ରେମୀ ସିନେମା ଦେଖିବାକୁ ଶଗଡ଼ରେ ଏଠାକୁ ଆସୁଥିଲେ। ସେ ସମୟର ସ୍ମୃତି ବହନ କରୁଥିବା ସେହି ସିନେମା ହଲ୍‌ ଏବେ ବି ଦଣ୍ଡାୟମାନ। ସେଠାରେ ବ୍ୟବହୃତ ମେସିନ୍‌ର କିଛି ଅଂଶ, ରିଲ୍‌, ଟିକେଟ ବହି, ଟୋକନ୍‌ ଆଦି ସଂରକ୍ଷିତ ହୋଇ ଭବିଷ୍ୟତ ପିଢ଼ି ପାଇଁ ରହିଛି।

ଚାରବାଟିଆରୁ ଢେଙ୍କାନାଳ ଏହି ସିନେମା ହଲ୍‌ ତିଆରି ପଛରେ ଏକ କାହାଣୀ ରହିଛି। ସେତେବେଳେ କଟକ ଚୌଦ୍ୱାର ଚାରବାଟିଆରେ ଏରୋଡ୍ରମ୍‌ ନିର୍ମାଣ କାର୍ଯ୍ୟ ଚାଲୁଥାଏ। ସେଠାରେ ଠିକାଦାର ଭାବେ କାର୍ଯ୍ୟ କରୁଥିଲେ ଢେଙ୍କାନାଳର ସମ୍ଭ୍ରାନ୍ତ ମିଶ୍ର ପରିବାରର କକେଇ ପୁତୁରା। କକେଇ କଟକର ଚକ୍ରଧର ମିଶ୍ର ଓ ପୁତୁରା ଢେଙ୍କାନାଳର ନାରାୟଣ ମିଶ୍ର। ନିର୍ମାଣ କାର୍ଯ୍ୟକୁ ଇଂରେଜମାନେ ସେଠାରେ ରହି ତଦାରଖ କରୁଥିଲେ। ମନୋରଞ୍ଜନ ପାଇଁ ଫିଲ୍ମ ଚଳାଇବାକୁ ସେମାନେ ପ୍ରସ୍ତାବ ଦେଇଥିଲେ। ଇଂରେଜମାନଙ୍କ ପରାମର୍ଶକ୍ରମେ ବିଲାତରୁ ପ୍ରୋଜେକ୍ଟର୍‌, ଡାଇନାମା, ଜେନେରେଟର୍‌ ଆଦି ଜାହାଜରେ ଆସିଲା। ଚଳଚ୍ଚିତ୍ରର ରିଲ୍‌ ବି ଜାହାଜରେ ଅଣାଯାଇ ପ୍ରଦର୍ଶିତ ହେଉଥିଲା। ଏରୋଡ୍ରମ୍‌ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ଆସିଥିବା ମେସିନ୍‌ଗୁଡ଼ିକୁ ଚକ୍ରଧରଙ୍କ ପରାମର୍ଶକ୍ରମେ ପୁତୁରା ନାରାୟଣ ମିଶ୍ର ଢେଙ୍କାନାଳ ନେଇଆସିଲେ। ୧୯୩୮ ମସିହାରେ ସହରର ମଝିଗଡ଼ ବା ବର୍ତ୍ତମାନର ଜବାହରଚୌକସ୍ଥିତ ନିଜ ଘର ପରିସରରେ ଥିବା ଏକ ଚାଳଘରେ ଚଳଚ୍ଚିତ୍ର ପ୍ରଦର୍ଶନ ବ୍ୟବସ୍ଥା କଲେ। ଚଳଚ୍ଚିତ୍ର ଦେଖିବାକୁ ଦୂରଦୂରାନ୍ତରୁ ବହୁ ଲୋକ ଆସୁଥିଲେ। ସେତେବେଳେ ଟି‌େକଟ୍‌ ଦର ଦୁଇ ଅଣା, ଚାରି ଅଣା, ଛଅ ଅଣା ଥିଲା। ଦର୍ଶକମାନଙ୍କ ପାଇଁ ଟିକେଟ୍‌ ମୂଲ୍ୟ ଅନୁଯାୟୀ ଅଖା, ଲମ୍ବା ବେଞ୍ଚ୍‌, ଚେୟାର୍‌ ଆଦିର ବ୍ୟବସ୍ଥା କରାଯାଉଥିଲା। ଧୀରେ ଧୀରେ ମିଶ୍ର ପରିବାରର ଏହି ଚଳଚ୍ଚିତ୍ର ଘର ‘ମିଶ୍ର ଟକିଜ୍‌’‌ରେ ପରିଣତ ହୋଇଗଲା। ସେତେବେଳେ କେବଳ ମୋସନ୍‌ ଫିଲ୍ମ ପ୍ରଦର୍ଶିତ ହେଉଥିଲା। ଫିଲ୍ମ କମ୍ପାନି ପକ୍ଷରୁ ଆସୁଥିବା ଚଳଚ୍ଚିତ୍ରର ବିଷୟବସ୍ତୁ ସମ୍ପର୍କିତ ବହିକୁ ଅନ୍ୟ ଜଣେ ପଢ଼ି ଶୁଣାଉଥିଲେ।

ମିଶ୍ର ଟକିଜ୍‌ରୁ କଥାଚିତ୍ର ହଲ୍‌
ପରବର୍ତ୍ତୀ ସମୟରେ ମିଶ୍ର ଟକିଜ୍‌ ବର୍ତ୍ତମାନର ଲକ୍ଷ୍ମୀବଜାରଠାରେ ଏକ ପଥର ତିଆରି ଖପର୍ଲି ଛାଉଣି ହଲ୍‌କୁ ଉଠିଗଲା। ଚିତ୍ର ସହିତ କଥା (ଛବି ଓ ଶବ୍ଦ) ମିଶିକରି ଆସିବାରୁ ଏହି ଫିଲ୍ମହଲ୍‌ର ନାମ ‘ମିଶ୍ର ଟକିଜ୍‌’ରୁ ବଦଳିଯାଇ ‘କଥାଚିତ୍ର ହଲ୍‌’ ହୋଇଗଲା। ଏହି ହଲ୍‌ ଭିତରେ କାଠରେ ଏକ ବାଲ୍‌କୋନି ନିର୍ମାଣ କରାଯାଇଥିଲା। ସେଥିରେ କେବଳ ରାଜାରାଣୀ, କଲେକ୍ଟର୍‌, ଏସ୍‌ପି, ଇଂରେଜ ଅଧିକାରୀ ଓ ମିଶ୍ର ପରିବାର ବସି ଫିଲ୍ମ ଦେଖୁଥିଲେ। ଫିଲ୍ମ ଆରମ୍ଭ ହେବା ପୂର୍ବରୁ ଲାଇଟ୍‌ ବନ୍ଦ ହେବା ସମୟରେ ରାଜାରାଣୀ କିଂବା ମିଶ୍ର ପରିବାର ସଦସ୍ୟ ଫିଲ୍ମ ହଲ୍‌ ଭିତରକୁ ପ୍ରବେଶ କରନ୍ତି, ଫିଲ୍ମ ଶେଷହେବା ସମୟରେ ଜାତୀୟ ସଙ୍ଗୀତ ଗାନ ବେଳେ ସେମାନେ ବାହାରି ଚାଲିଯାଇଥାନ୍ତି। ଫଳରେ ସେମାନଙ୍କୁ ହଲ୍‌ ବାହାରେ ଦେଖିବାର ସୁଯୋଗ ମିଳି ନ ଥାଏ। ଏହି ଫିଲ୍ମ ହଲ୍‌ରେ ଶେଷ ଫିଲ୍ମ ‘ଫାଗୁନ୍’ ୧୯୭୭ ମସିହାରେ ପ୍ରଦର୍ଶିତ ହୋଇଥିଲା। ତା’ ପରଠାରୁ ‘କଥାଚିତ୍ର’ ହଲ୍‌ ବନ୍ଦ ହୋଇଯାଇଥିଲା। ଓଡ଼ିଆ ଚଳଚ୍ଚିତ୍ର ‘ଭାଗ୍ୟ’ ଏଠାରେ ସର୍ବାଧିକ ୨ ମାସ ପର୍ଯ୍ୟନ୍ତ ଚାଲିଥିଲା। କୌତୂହଳର ବିଷୟ ହେଲା, ଫିଲ୍ମ ସରିବା ପରେ ମୂଳରୁ ଦେଖିପାରି ନ ଥିବା ଦର୍ଶକମାନଙ୍କୁ ସେମାନେ ଦେଖିପାରି ନ ଥିବା ଚଳଚ୍ଚିତ୍ରର ଅଂଶତକ ପୁଣିଥରେ ଦେଖିବାର ସୁଯୋଗ ସେଠାରେ ଦିଆଯାଉଥିଲା ବୋଲି ସ୍ୱର୍ଗତ ନାରାୟଣ ମିଶ୍ରଙ୍କ ସାନଭାଇ ମଦନମୋହନ ମିଶ୍ର (୯୦) ପ୍ରକାଶ କରିଛନ୍ତି। ଦୀର୍ଘକାଳ ଧରି ଜିଲ୍ଲାବାସୀଙ୍କୁ ମନୋରଞ୍ଜନ ଯୋଗାଉଥିବା ‘କଥାଚିତ୍ର’ ହଲ୍‌ଟି ଅଦ୍ୟାବଧି ଦଣ୍ଡାୟମାନ ଥିବା ବେଳେ ସେଥିରେ ବ୍ୟବହୃତ ଚଳଚ୍ଚିତ୍ର ଚାଳନାର ଯନ୍ତ୍ରାଂଶ, ଜେନେରେଟର୍‌, ପ୍ରୋଜେକ୍ଟର୍‌, ଫିଲ୍ମ ଟିକେଟ୍‌, ଷ୍ଟାମ୍ପ୍‌, ପୋଷ୍ଟର୍‌, ଫିଲ୍ମରିଲ୍‌, ରସିଦ ଆଦି ବହୁ ଜିନିଷ ତାଙ୍କର ନାତି ପର୍ଶୁରାମ ମିଶ୍ର ସଂରକ୍ଷିତ ରଖିଛନ୍ତି।