ବିଶ୍ବର ଦ୍ରୁତତମ କ୍ୟାମେରା: ସେକେଣ୍ଡକୁ ୧୫୬ ଟ୍ରିଲିଅନ୍‌ ଫଟୋ

କାନାଡାର ଆଇଏନ୍‌ଆରଏସ୍‌ ଏନର୍ଜି ମାଟେରିଅକ୍ସ ଟେଲିକମ୍ୟୁନିକେସନ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ବିଶ୍ବର ଦ୍ରୁତତମ କ୍ୟାମେରା ବିକଶିତ କରାଯାଇଛି। ଏହାର ଫଟୋ ଉଠାଇବାର କ୍ଷମତା ହେଉଛି ସେକେଣ୍ଡକୁ ୧୫୬.୩ ଟ୍ରିଲିଅନ୍‌ ଫ୍ରେମ୍‌। ଆମେ ବ୍ୟବହାର କରୁଥିବା ସ୍ମାର୍ଟଫୋନ୍‌ରେ ଖଞ୍ଜାଯାଇଥିବା କ୍ୟାମେରା ସେକେଣ୍ଡକୁ ମାତ୍ର କେଇ ଶହ ଫ୍ରେମ୍‌ ଫଟୋ ଉଠାଇବାକୁ ସକ୍ଷମ। ସେହିପରି ବ୍ୟାବସାୟିକ ସିନେମାଟିକ୍‌ କ୍ୟାମେରାଗୁଡ଼ିକରେ ସେକେଣ୍ଡକୁ କେଇ ହଜାର ଫ୍ରେମ୍‌ର ଫଟୋ ଉଠାଯାଇପାରୁଥିଲା ବେଳେ ଉକ୍ତ କ୍ୟାମେରା ସେକେଣ୍ଡକୁ ଏକ ଟ୍ରିଲିଅନ୍‌ ବା ଏକ ଲକ୍ଷ କୋଟି ଫ୍ରେମ୍ ଚିତ୍ର ଉତ୍ତୋଳନ କରିପାରିବ। ଏଥିରୁ ଏହି କ୍ୟାମେରାର ଅକଳ୍ପନୀୟ କାର୍ଯ୍ୟଦକ୍ଷତା ଅନୁମେୟ। ଉକ୍ତ ପ୍ରତିଷ୍ଠାନର ଗବେଷକମାନେ ୨୦୧୪ରେ କମ୍ପ୍ରେସ୍‌ଡ ଅଲ୍‌ଟ୍ରାଫାଷ୍ଟ ଫଟୋଗ୍ରାଫି (ସିୟୁପି) ନାମକ ଜ୍ଞାନକୌଶଳରେ ସେକେଣ୍ଡକୁ ଶହେ ବିଲିଅନ୍‌ ବା ଦଶ ହଜାର କୋଟି ଫ୍ରେମ୍‌ର ଫଟୋ ଉଠାଇପାରୁଥିବା ଅନ୍ୟତମ ଦ୍ରୁତ କ୍ୟାମେରା ବିକଶିତ କରିଥିଲେ।

ପରେ ୨୦୨୦ରେ ସେମାନେ କମ୍ପ୍ରେସ୍‌ଡ ଅଲ୍‌ଟ୍ରାଫାଷ୍ଟ ସ୍ପେକ୍ଟ୍ରାଲ୍‌ ଫଟୋଗ୍ରାଫି (ସିୟୁଏସ୍‌ପି) ନାମକ ଜ୍ଞାନକୌଶଳ ଉପଯୋଗରେ ତା’ଠାରୁ ଆଉ ଏକ ଦ୍ରୁତତର କ୍ୟାମେରା ବିକଶିତ କରିଥିଲେ, ଯେଉଁଥିରେ ସେକେଣ୍ଡକୁ ୭୦ ଟ୍ରିଲିଅନ୍‌ ଫ୍ରେମ୍‌ର ଫଟୋ ଉଠାଇବା ସମ୍ଭବ ହୋଇଥିଲା। ‘ସ୍ବେପ୍ଟ-କୋଡେଡ୍‌ ଆପାର୍ଚର ରିଅଲ୍-ଟାଇମ୍‌ ଫେମ୍‌ଟୋଫଟୋଗ୍ରାଫି’ (ସ୍କାର୍ଫ) ନାମକ ଏହି କ୍ୟାମେରା କୌଣସି ପଦାର୍ଥ ବା ଜୀବନ୍ତ କୋଷ ଭିତରେ ଶବ୍ଦଠାରୁ ଅଧିକ ବେଗରେ ଗତି କରୁଥିବା ତରଙ୍ଗର ଫଟୋ ଉଠାଇପାରିବ। ଏହି ନୂତନ ଜ୍ଞାନକୌଶଳର ସ୍କାର୍ଫ କ୍ୟାମେରା ବିଶେଷ କରି ପଦାର୍ଥ ବିଜ୍ଞାନ, ଜୀବବିଜ୍ଞାନ, ରସାୟନ ବିଜ୍ଞାନ ଓ ଯାନ୍ତ୍ରିକ ବିଜ୍ଞାନ କ୍ଷେତ୍ରକୁ ଉନ୍ନତ କରିବାରେ ସହାୟକ ହେବ ବୋଲି ଏହାର ଉଦ୍ଭାବକମାନେ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର