ଜୟ ଶ୍ରୀରାମ ନାରାରେ କମ୍ପିଲା ସହର: ଆକାଶଛୁଆଁ ଉତ୍ସାହ

ଅଟକାଇ ପାରିଲାନି ଖରା: ଭକ୍ତ-ଭଗବାନ ଏକାକାର

ଭୁବ‌ନେଶ୍ବର: ‘ଜୟ ଶ୍ରୀ ରାମ’ ନାମରେ ପ୍ରକମ୍ପିତ ହେଉଥିଲା ପରିବେଶ। ହୋମଯଜ୍ଞ, ଆଳତି, ସଂକୀର୍ତ୍ତନରେ ଚଳଚଞ୍ଚଳ ହୋଇପଡ଼ିଥିଲା ମନ୍ଦିର ପରିସର। ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଥିଲା। ପ୍ରବଳ ଖରା ସତ୍ତ୍ବେ ସହରରେ ଥିବା ରାମମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ରହିଥିଲା। ରାଜଧାନୀରେ ଆଜି ଭକ୍ତିମୟ ପରିବେଶରେ ବିଭିନ୍ନ ସ୍ଥାନରେ ଧୁମ୍‌ଧାମରେ ରାମନବମୀ ପାଳିତ ହୋଇଯାଇଛି। ୟୁନିଟ୍‌-୩ ସ୍ଥିତ ଶ୍ରୀରାମ ମନ୍ଦିରରେ ଭୋର ୫ଟାରୁ ଠାକୁରଙ୍କୁ ଦର୍ଶନ ପାଇଁ ଭକ୍ତମାନେ ଜମା ହୋଇଥିଲେ। ଠାକୁରଙ୍କ ରୀତିନୀତିରେ ପୂଜାର୍ଚ୍ଚନା ହୋଇଥିବା ବେଳେ ଭଜନ ଓ ସଂକୀର୍ତ୍ତନରେ ଭାବବିହ୍ବଳ ହୋଇପଡ଼ିଥିଲେ ଶ୍ରଦ୍ଧାଳୁ। କିଏ ରାମ ନାମ ଜପୁଥିଲେ ତ ଆଉ କିଏ ଶ୍ରୀରାମ ସ୍ତୁତି ଶ୍ରୀ ରାମ ଚନ୍ଦ୍ର କୃପାଳୁ ଭଜୁମନ ଗାଉଥିଲେ। ଆଉ କିଛି ଭକ୍ତ ଧ୍ୟାନମଗ୍ନରେ ବସି ପ୍ରାର୍ଥନା କରୁଥିଲେ। ଭକ୍ତ ଓ ଭଗବାନ ଏକାକାର ହୋଇଯାଇଥିଲେ। କୁନି ପିଲାମାନେ ହନୁମାନ ଓ ରାମ ବେଶଭୂଷାରେ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଦିନ ବଢ଼ିବା ସହିତ ସହରର ତାତି ବଢ଼ିଥିଲା, ଏତିକି ମଧ୍ୟରେ ପୂର୍ବାହ୍ନ ୧୦ଟା ବେଳକୁ ରାମମନ୍ଦିର ଛକରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଥିଲା। ୟୁନିଟ୍‌-୩ ଶ୍ରୀରାମ ମନ୍ଦିରରେ ଭୋର ସାଢ଼େ ୫ଟାରେ ମଙ୍ଗଳ ଆଳତି ପରେ ଭକ୍ତମାନେ ଠାକୁରଙ୍କୁ ଦର୍ଶନ ପାଇଥିଲେ। ସକାଳ ୭ଟାରେ ଶୃଙ୍ଗାର ଆଳତି, ସାଢ଼େ ୯ଟାରେ ରାମଚରିତ ମାନସ ନବାହ୍ନ ପରାୟଣ, ମଧ୍ୟାହ୍ନ ୧୨ଟାରେ ଠାକୁରଙ୍କ ଜନ୍ମୋତ୍ସବ ଆଳତି ଓ ଅଭିଷେକ କରାଯାଇଥିଲା। ଅପରାହ୍ନ ସାଢ଼େ ୧ଟାରୁ ୪ଟା ପର୍ଯ୍ୟନ୍ତ ପହଡ଼ ପଡ଼ିଥିଲା। ଅପରାହ୍ନ ୪ଟାରୁ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିଥିଲେ। ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିବା ବେଳେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥଣ୍ଡାପାନୀୟ ଓ ସରବତ ବଣ୍ଟନ କରାଯାଇଛି। ବିଭିନ୍ନ ଅନୁଷ୍ଠାନର ସ୍ବେଚ୍ଛାସେବୀ ସେଠାରେ ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଲା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଫୋର୍ସ ମୁତୟନ ହୋଇଥିଲେ।

ରାମନବମୀ ପାଇଁ ସିଆର୍‌ପି ସ୍ଥିତ ଇସ୍କନ୍‌କୁ ଫୁଲ ଓ ଆଲୋକମା‌ଳାରେ ସୁସଜ୍ଜିତ କରାଯାଇଛି। ମଧ୍ୟାହ୍ନ ୧୨ଟାରେ ଜନ୍ମୋତ୍ସବ ଆଳତି ତଥା ଅଭିଷେକ କରାଯାଇଛି। ଉପବାସ କରିଥିବା ଭକ୍ତମାନଙ୍କୁ ଫଳ ଓ ସିଝା ପରିବା ତିଆରି ‘ଅନୁକଳ୍ପ ପ୍ରସାଦ’ ବଣ୍ଟନ କରାଯାଇଛି। ସନ୍ଧ୍ୟାରେ ଭଜନ କୀର୍ତ୍ତନ ସହ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିଥିଲେ। ୧ ନମ୍ବର ହାଟ, ୯ ତାଲା ନିକଟ, ଲକ୍ଷ୍ମୀସାଗର ବ୍ରିଟ୍‌ କଲୋନି ନିକଟସ୍ଥ ଶ୍ରୀରାମ ମନ୍ଦିର ସମେତ ବହୁ ମନ୍ଦିର ଓ ମଠରେ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଜନ୍ମୋତ୍ସବକୁ ଧୁମ୍‌ଧାମରେ ପାଳନ ସହିତ ସଂକୀର୍ତ୍ତନ ଓ ରାମଚରିତ ମାନସ କାର୍ଯ୍ୟକ୍ରମ ହୋଇଛି।

ଭୁବନେଶ୍ବର: ଶ୍ରୀରାମ ନବମୀ ଅବସରରେ ଆଜି ସଂପୂର୍ଣ୍ଣ ରାଜଧାନୀ ଗେରୁଆମୟ ହୋଇଯାଇଥିଲା। ପ୍ରବଳ ଖରାକୁ ଖାତିର ନ କରି ରାମଭକ୍ତମାନେ ହାତରେ ଗେରୁଆ ବାନା ଧରି, ମୁଣ୍ଡରେ ଗେରୁଆ ଗାମୁଛା ବାନ୍ଧି ବ‌ାଇକ୍‌ ଶୋଭାଯାତ୍ରାରେ ବାହାରିଥିଲେ। ଜୟ ଶ୍ରୀରାମ ନାରାରେ ରାଜରାସ୍ତା କମ୍ପି ଉଠିଥିଲା‌। ଶୋଭାଯାତ୍ରାରେ ରାଜଧାନୀ ସମେତ ଉପକଣ୍ଠର ବହୁ ରାମଭକ୍ତଙ୍କ ସମେତ ନେତା ଓ ସାଧାରଣ ଲୋକ ସାମିଲ ହୋଇଥିଲେ। ଆଜି ରାମନବମୀ ଅବସରରେ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଭଳି ସଂଗଠନଙ୍କ ପକ୍ଷରୁ ରାଜଧାନୀ ସମେତ ଉପକଣ୍ଠର ବିଭିନ୍ନ ଅଞ୍ଚଳରୁ ଶୋଭାଯାତ୍ରା ବାହାରିଥିଲା। ଡିଜେ ବଜାଇ ହଜାର ହଜାର ରାମଭକ୍ତ ସହର ପରିକ୍ରମା କରିବା ପରେ ସମସ୍ତେ ୟୁନିଟ ୩ ସ୍ଥିତ ରାମମନ୍ଦିର ନିକଟରେ ପହଞ୍ଚିଥିଲେ। ସେଠାରୁ ସନ୍ଧ୍ୟା ସମୟରେ ସବୁ ସଂଗଠନ ଏକା‌ଠି ହୋଇ ଶୋଭାଯାତ୍ରାରେ ମାଷ୍ଟରକ୍ୟ‌ାଣ୍ଟିନ ଅଭିମୁଖେ ବାହାରି ଏକ ବୃତ୍ତାକାର ପରିଧି ଅତିକ୍ରମ କରି ପୁଣି ରାମ ମନ୍ଦିର ନିକଟରେ ପହଞ୍ଚିଥିଲେ। ଶୋଭାଯାତ୍ରାରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ବେଶଧାରୀମାନେ ଏକ ରଥରେ ବସିଥିଲେ, ଯାହା ଦେଖଣାହାରୀଙ୍କ ଆକର୍ଷଣର କେନ୍ଦ୍ର ସାଜିଥିଲା। ଶୋଭାଯାତ୍ରା‌‌ରେ ଟ୍ରାକ୍ଟର, ଖୋଲାଜିପ୍ ଆଦି ମଧ୍ୟ ସାମିଲ ହୋଇଥିଲା। ଶୋଭାଯାତ୍ରାରେ ସାମିଲ ହୋଇଥିବା ଲୋକମାନଙ୍କୁ ବିଭିନ୍ନ ଅନୁଷ୍ଠାନମାନଙ୍କ ପକ୍ଷରୁ ପଣା, ଘୋଳଦହି ଓ ଥଣ୍ଡାପାଣି ଆଦି ବଣ୍ଟନ କରାଯାଇଥିଲା। ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଭୁବନେଶ୍ବରର ସଭାପତି ଲକ୍ଷ୍ମୀନାରାୟଣ ରଥ, କାର୍ଯ୍ୟାକାରୀ ସଭାପତି ପ୍ରଦୀପ ଚନ୍ଦ୍ର ମହାନ୍ତି, ସଂପାଦକ ଶୁଭ୍ରାଂଶୁ ଶେଖର ଶତପଥୀ ଓ ଦୀନବନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ।

‌ନେତାଙ୍କ ପ୍ରଚାର
ଏହି ଶୋଭାଯାତ୍ରାରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ସାମିଲ ହୋଇ ସାଧାରଣ ଜନତାଙ୍କ ନିକଟତର ହେବାକୁ ‌ଜୋରଦାର ପ୍ରୟାସ କରିଥିଲେ। ବିଭିନ୍ନ ଦଳର ପ୍ରାର୍ଥୀମାନେ ଶୋଭାଯାତ୍ରା‌ରେ ସାମିଲ ହୋଇଥିବା ଓ ରାମମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ଭକ୍ତମାନଙ୍କୁ ପଣା ଓ ଥଣ୍ଡାପାନୀୟ ଆଦି ବଣ୍ଟନ କରୁଥିବାବେଳେ କିଛି ପ୍ରାର୍ଥୀ ନିଜେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। କଂଗ୍ରେସର ସାଂସଦ ପ୍ରାର୍ଥୀ ୟା‌ସିର ନୱାଜ୍ ରାମ ମନ୍ଦିର ସମ୍ମୁଖରେ ପଣା ବଣ୍ଟନ କରିଥିଲେ। ଜଟଣୀ ବିଧା‌ୟକ ସୁର ରାଉତରାୟ, ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହିତ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ବାବୁ ସିଂ ଓ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ନିଜ ନିଜ ସମର୍ଥକଙ୍କ ସହ ଶୋଭଯାତ୍ରାରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର