ତିନି ମୁଣ୍ଡିଆରେ ପୁଣି ଅଟକିଲା ରୁକୁଣା ରଥ: ରାମ ନବମୀରେ ହେଲାନି ଭେଟ ଆଳତି

ରଥ ଆଜି ବି ସେବାୟତମୟ, ଭକ୍ତ ଦେଖି ପାରିଲେନି ପ୍ରଭୁଙ୍କୁ

ଭୁବନେଶ୍ବର: ବ୍ରହ୍ମହତ୍ୟା ଦୋଷରୁ ମୁକ୍ତି ପାଇବା ପାଇଁ ପ୍ରଭୁ ରାମଚନ୍ଦ୍ର ଏକାମ୍ରବନ ଆସିଥିଲେ। ଏଠାରେ ଶିବଲିଙ୍ଗ ପ୍ରତିଷ୍ଠା କରି ଶ୍ରୀ ଲିଙ୍ଗରାଜଙ୍କୁ ଆରାଧନା କରିଥିଲେ। ଲିଙ୍ଗରାଜ ରାମଚନ୍ଦ୍ରଙ୍କ ପୂଜାରେ ପ୍ରସନ୍ନ ହୋଇ ବ୍ରହ୍ମହତ୍ୟା ଦୋଷରୁ ମୁକ୍ତି ପ୍ରଦାନ କରିବା ସହ ପ୍ରତିବର୍ଷ ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥି‌ ପୁନଃବସୁ ନକ୍ଷତ୍ରରେ ରଥରେ ବସି ରାମେଶ୍ବର ତୀର୍ଥ ଆସିବାକୁ କଥା ଦେଇଥିଲେ। ଉକ୍ତ ପ୍ରଥା ଓ ପରମ୍ପରା ଅନୁସାରେ ରୁକୁଣା ରଥଯାତ୍ରା ହୋଇ ଆସୁଛି। ଅଶୋକାଷ୍ଟମୀରେ ରଥଯାତ୍ରା ହେଉଥିବା ବେଳେ ନବମୀ ଦିନ ସନ୍ଧ୍ୟାରେ ପ୍ରଭୁ ରାମେଶ୍ବରଙ୍କ ଆଗରେ ଶ୍ରୀଲିଙ୍ଗରାଜ, ମା’ ରୁକୁଣା ଓ ଶ୍ରୀଦୋଳଗୋବିନ୍ଦଙ୍କୁ ବିଜେ କରାଯାଇ ଭେଟ ଆଳତି କରାଯା‌ଏ। କିନ୍ତୁ ଆଜି ପରମ୍ପରା ଭାଙ୍ଗିଛି। ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ଚରମ ଅବହେଳାର ଶିକାର ହୋଇଛନ୍ତି ଶ୍ରୀଜୀଉ। ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚି ନପାରିବାରୁ ଭେଟ ଆଳତି ସମ୍ଭବ ହୋଇ ପାରିନାହିଁ। ଶ୍ରୀରାମ ନବମୀରେ ଏହି ଅପୂର୍ବ ମୁହୂର୍ତ୍ତକୁ ଦର୍ଶନ କରିବାଲାଗି ଆସିଥିବା ଅଗଣିତ ଭକ୍ତ ଦୁଃଖରେ ଫେରିଛନ୍ତି।

ଗତକାଲି ଅପରାହ୍ଣ ସାଢ଼େ ୩ଟାରେ ରଥଟଣା ଆରମ୍ଭ ହେବବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ପ୍ରାୟ ଦେଢ଼ଘଣ୍ଟା ବିଳମ୍ବରେ ରଥଟଣା ଆରମ୍ଭ ହୋଇଥିଲା। ମୈ‌ତ୍ରେଶ୍ବର ମନ୍ଦିର ନିକଟରେ ରଥର ଡାହାଣ ପାଖ ଦୁଇଟି ଚକ ରାସ୍ତାରେ ଦବି ଯାଇଥିଲା। ଏପଟେ ସନ୍ଧ୍ୟା ହୋଇଯିବାରୁ ୬ଟା ୨୦ରେ ରଥଟଣା ବନ୍ଦ ହୋଇଥିଲା। ସନ୍ଧ୍ୟାରେ ରଥ ଉପରେ ଦ୍ବିପ୍ରହର ଧୂପ ଓ ସନ୍ଧ୍ୟା ଧୂପ ହୋଇ ପହୁଡ଼ ପଡ଼ିଥିଲା। ଆଜି ସକାଳଧୂପ ନୀତି ସରିବା ପରେ ଦିନ ୨ଟାରୁ ରଥ ଟଣା ହେବ ବୋଲି କୁହାଯାଇଥିଲା। ୧ଟା ୪୫ ସୁଦ୍ଧା ସକାଳ ଧୂପ ‌ଶେଷ ହୋଇଥିଲା। ତେବେ ପ୍ରବଳ ଖରା ଯୋଗୁ ରଥଟଣା ୩ଟା ୪୫ ହୋଇ ଯାଇଥିଲା। ଗତକାଲି ଦବିଥିବା ଡାହାଣ ଚକକୁ ଉଠାଇବାରେ ପ୍ରାୟ ଘଣ୍ଟାଏ ସମୟ ଲାଗି ଯାଇଥିଲା। ଏହା ଭିତରେ ସ୍ବରେଜ ସ୍ଲାବ୍‌ ଓ ଆଗକୁ ବାହାରିଥିବା ଦୁଇଟି ଟିଣଘର ରଥ ଲାଗି ଭାଙ୍ଗିଥିଲା। ୪ଟା ୪୫ରେ ରଥ ଗଡ଼ିଥିଲା। ୫ଟା୧୦ ରେ ବଢ଼େଇ ବାଙ୍କ ଛକ ବୁଲିଥିଲା। ୫ଟା ‌୧୫ରେ ବାମପାଖକୁ ମାଡ଼ି ଯିବାରୁ ଏକ ଗଛର ଡାହି ଭାଙ୍ଗି ତଳେ ପଡ଼ିଥିଲା। ଏଥିରେ ଦୁଇଜଣ ପୁଲିସ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ୫ଟା ୩୦ୟରେ ପୂଜାପଣ୍ଡା ସେବାୟତ ସମିତି ନିକଟରେ ରଥ ଥିବା ସମୟରେ ସାମାନ୍ୟ ବର୍ଷା ହୋଇଥିଲା। ଏହାପରେ ରଥ ଡାହାଣ ପାଖକୁ ଚଢ଼ିଯାଇ ରାସ୍ତା ତଳକୁ ଖସି ଯାଇଥିଲା। ଖରୁଡା ସେବାୟତମାନେ କୈଶଳକ୍ରମେ ପୁଣି ରଥକୁ ପିଚୁ ଉପରକୁ ଉଠାଇଥିଲେ। ହେଲେ ଚକ ଯାଉଥିବା ସ୍ଥାନରେ ପିଚୁରାସ୍ତା ଦବିଯାଇ ଶେଷରେ ୬ଟା ବେଳେ ବ୍ରାହ୍ମଣ ନିଯୋଗ କାର୍ଯ୍ୟାଳୟ ତଥା ତିନିମୁଣ୍ଡିଆ ଛକ ନିକଟରେ ରଥର ଡାହାଣ ଚକ ଫସି ରହିଥିଲା। ଫଳରେ ମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁସାରେ ୬ଟା ୩୦ରେ ରଥଟଣା ବନ୍ଦ ରହିଥିଲା ଏବଂ ଆସନ୍ତା କାଲି ଦିନ ୨ଟାରୁ ପୁଣି ରଥଟଣା ହେବ ବୋଲି ଘୋଷଣା କରିଥିଲେ ରଥ ଡାହୁକ।

ଦୁର୍ଭାଗ୍ୟର କଥା ହେଉଛି, ଗତକାଲି ଏତେ ଅଭିଯୋଗ ହେବା ପରେ ମଧ୍ୟ ଆଜି ରଥରେ ତଳ ଉପର ସେବାୟତରେ ଭରି ଯାଇଥିଲା। ସେମାନେ ମନଇଚ୍ଛା ଚଢ଼ିଥିଲେ। ଫଳରେ ଭକ୍ତ ଠାକୁରଙ୍କୁ ଦର୍ଶନ କରି ପାରିନଥିଲେ। ରଥ ଚକ ଫସିବା ପରେ କିଛି ସେବାୟତ ତଳକୁ ଓହ୍ଲାଇ ଆସିବାକୁ ଅନୁରୋଧ କରାଯାଇଥିଲେ ହେଁ କିଛି ଲାଭ ହୋଇନଥିଲା। ଏମିତିକି ଆଜି ରଥର ତଳପାଖରେ ଅତି ବିପଦପୂର୍ଣ୍ଣ ଭାବେ ଛୋଟ ଛୋଟ ପିଲା ମଧ୍ୟ ବସି ରହିଥିଲେ। ପ୍ରଶାସନ କିମ୍ବା ପୁଲିସ କେହି ବାରଣ କରି ନଥିଲେ। ରୁକୁଣା ରଥର ମୁଖ୍ୟ ମହାରଣା ବଟକୃଷ୍ଣ ମହାରଣାଙ୍କ କହିବା ଅନୁସାରେ, ପୂର୍ବରୁ ରଥ କମ୍‌ ଓଜନ ଥିଲା। ଏବେ ରଥକୁ ମଜବୁତ କରିବା ପାଇଁ ମୋଟା ମୋଟା କାଠ ଦିଆଯାଉଛି। ତେଣୁ ରଥର ଓଜନ ଅଧିକ ରହୁଛି। ଅନ୍ୟପଟେ ରଥ ଉପରେ ସେମାୟତମାନେ ମଧ୍ୟ ରହୁଛନ୍ତି। ୨୦୨୧ ମସିହାରେ କୋଭିଡ ଥିବାରୁ ରଥରେ କେବଳ ସେବାଧାରୀ ଥିଲେ। ବାହୁଡାରେ ଗୋଟିଏ ଦିନରେ ରଥ ମାଉସୀ ମା’ଠାରୁ ମନ୍ଦିର ନିକଟକୁ ଚାଲି ଆସିଥିଲା। ପରମ୍ପରା ଭଙ୍ଗ ହେବାନେଇ ରାମେଶ୍ବର ମନ୍ଦିର ପୂଜକ ନକୁଳ ମହାପାତ୍ର ଓ ଆଚାର୍ଯ୍ୟ ମହାପାତ୍ର କହିଛନ୍ତି, ପରମ୍ପରା ଅନୁସାରେ ଆଜି ଦିଅଁ ପହଞ୍ଚିଥିଲେ ରାମେଶ୍ବରଙ୍କ ଆଗରେ ଭେଟ ଆଳତି ହୋଇଥାନ୍ତା। କିନ୍ତୁ ଦୁଃଖର ବିଷୟ ଠାକୁର ପହଞ୍ଚି ପାରିନାହାନ୍ତି। ରାମେଶ୍ବରରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ଭେଟ ଆଳତି ଦର୍ଶନ ପାଇଁ ଆସି ନିରାଶ ହୋଇ ଫେରିଗଲେ।

ମନମୋହିଲା ମାହାରୀ ନୃତ୍ୟ
ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚତୁର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବର ଦ୍ୱତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗଜପତି ଜିଲ୍ଲାରୁ ଆସିଥିବା ଡି. ପ୍ରିୟଙ୍କା ଓ ସାଥୀଙ୍କ ଦ୍ୱାରା ମାହାରୀ ନୃତ୍ୟ ଓ ପାଳିନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ପରେ କୋଲକାତାର କବିତା ମିଶ୍ର ଓ ସାଥୀ ଶିବସ୍ତୁତି ପରିବେଷଣ କରିଥିଲେ। ସେହିପରି ବର୍ଦ୍ଧମାନରୁ ଆସିଥିବା ଦିବ୍ୟଶ୍ରୀ ଗାଙ୍ଗୁଲିଙ୍କ ଭାରତନାଟ୍ୟମ୍, ଭୁବନେଶ୍ୱରର ନୃତ୍ୟରଚନା ପକ୍ଷରୁ ନୃତ୍ୟ ଓ କୋଲକାତାର ତାରକ୍ ସାହାଙ୍କ ଦ୍ୱାରା ଗୌଡ଼ୀୟ ନୃତ୍ୟ ଚିତାକର୍ଷକ ହୋଇଥିଲା। କୋଲକାତା ଓଡ଼ିଶୀ ଆଶ୍ରମ ଦ୍ୱାରା ଓଡ଼ିଶୀ ଓ କ୍ରିଏଟିଭ ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ, ଅର୍ଦ୍ଧନାରୀଶ୍ବର ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ବାସୁଦେବ ନାଥ ଏହାକୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସକ ରଘୁନାଥ ମିଶ୍ର, ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ, ବିଭୂତି ଭୂଷଣ କର, ଆଇନଜୀବୀ ଶିବାନନ୍ଦ ରାୟ, ପ୍ରଶାନ୍ତ ସାହୁ, ପ୍ରଦ୍ୟୁମ୍ନ ମହାନ୍ତି, ପ୍ରଶାନ୍ତ ସାହୁ, ଗୁରୁ ଗଜେନ୍ଦ୍ର ପଣ୍ଡା, ପ୍ରତିଭା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମ୍ପାଦକ ସନତ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର