ତାତିରୁ ତ୍ରାହି ମିଳୁନି: ପାରା ଟପିଲା ୪୫

ହୁତୁହୁତୁ ହୋଇ ଜଳୁଛି ଚନ୍ଦକା, ୧୩ଟି ସ୍ଥାନରେ ନିଆଁ ଲାଗିଛି

ଭୁବନେଶ୍ବର: ରାଜଧାନୀରେ ଆଜି ସକାଳ ସାଢ଼େ ୮ଟା ବେଳକୁ ତାପମାତ୍ରା ୩୪.୬ ଡିଗ୍ରି ଛୁଇଁଗଲା। ସାଢ଼େ ୧୧ ବେଳକୁ ୪୩.୬ଡିଗ୍ରି ଡେଇଁ ଯାଇଥିଲା ପାରଦ। ୩ ଘଣ୍ଟା ଭିତରେ ବଢ଼ି ଗଲା ୧୦ ଡିଗ୍ରି! ସାଢ଼େ ୨ ବେଳକୁ ତ ତାପମାତ୍ରା ସୀମା ଲଂଘିଥିଲା। ୪୫.୪ରେ ପହଞ୍ଚିଥିଲା ଭୁବନେଶ୍ବର ତାପମାତ୍ରା। ନା ଘରୁ ବାହାରି ହେଉଥିଲା, ନା ଘରେ ବସି ହେଉଥିଲା। ତତଲା ପବନ ଶରୀରକୁ ପୋଡ଼ି ପକାଉଥିଲା‌। ବାଇକ୍‌ ଚଲାଇବା ତ ଦୂରକଥା, ଖରାରେ ଘରୁ ବ‌ାହାରିବା ବି ଅସମ୍ଭବ ହୋଇପଡ଼ିଥିଲା। ସେପଟେ ମୋବାଇଲ୍‌କୁ ସ୍ବତନ୍ତ୍ର ରିଲିଫ୍‌କମିସନଙ୍କ ଘନ ଘନ ମେସେଜ୍‌ ‘ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ, ସତର୍କ ରୁହନ୍ତୁ’, ଏପଟେ ପାଣିପାଗ ବିଜ୍ଞାନ କେନ୍ଦ୍ରର ‘ଟ୍ବିନ୍‌ସିଟିକୁ ରେଡ୍‌ଆଲର୍ଟ’ ସତର୍କ ସୂଚନା ଯେମିତି ଆତଙ୍କ ଖେଳାଇ ଦେଇଥିଲା। ସବୁରାସ୍ତା ଖାଁ ଖାଁ ହୋଇଯାଇଥିଲା। ବସ୍‌ଷ୍ଟାଣ୍ଡ ସାଙ୍ଗକୁ ପର୍ଯ୍ୟଟନସ୍ଥଳ ଜନଶୂନ୍ୟ ହୋଇଯାଇଥିଲା। ଟ୍ରାଫିକ୍‌ପୁଲିସ ବି ଖରାକୁ ସହ୍ୟ ନକରିପାରି ଗଛଛାଇ ଖୋଜୁଥିଲେ। ବୁଲା ଗୋରୁଗାଈଙ୍କ କଥା ତ ନ କହିବା ଭଲ। ସେମାନେ ପାଣି ପାଇଁ ଡହଳ ବିକଳ ହୋଇ ବ୍ୟତିବ୍ୟସ୍ତ ହେଉଥିଲେ। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରାଜଧାନୀରେ ଏଭଳି ବିକଳ ସ୍ଥିତି ଜନଜୀବନକୁ ଚିନ୍ତାରେ ପକାଇଥିଲା।

ପର୍ଯ୍ୟଟନସ୍ଥଳୀ ଖାଁ ଖାଁ
ଅସହ୍ୟ ତାତି ପର୍ଯ୍ୟଟନସ୍ଥଳୀକୁ ସିଧାସଳଖ ପ୍ରଭାବିତ କରିଛି। ସମସ୍ତ ପର୍ଯ୍ୟଟନସ୍ଥଳୀ ଖାଁ ଖାଁ ହୋଇଯାଇଛି। ଖଣ୍ଡଗିରି-ଉଦୟଗିରିରେ ଦିନକୁ ୫ହଜାରରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଆସୁଥିବା ବେଳେ ଆଜି ଏଠାକୁ ୧୫୫୩ ଜଣ ପର୍ଯ୍ୟଟକ ଆସିଛନ୍ତି। ୨୮ ତାରିଖରେ ମାତ୍ର ତିନିଜଣ ବିଦେଶୀ ପର୍ଯ୍ୟଟକଙ୍କ ସହିତ ୧୫୨୯ ଜଣ ଭାରତୀୟ ଆସିଥିବା ବେଳେ ୨୯ରେ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ସହ ୧୪୭୨ ଜଣ ପର୍ଯ୍ୟଟକ ଆସିଥିଲେ। ଅର୍ଥାତ୍‌୬୦ ପ୍ରତିଶତ ପର୍ଯ୍ୟଟକ କମି ଯାଇଛନ୍ତି।
ଜୟଦେବ ବାଟିକା ମଧ୍ୟ ତାତି ପ୍ରଭାବରୁ ମୁକ୍ତି ପାଇନି। ଜୟଦେବ ବାଟିକା ଇନ୍‌ଚାର୍ଜ ଦୟାନିଧି ଦାସଙ୍କ ସୂଚନାନୁସାରେ, ଏଠାକୁ ଦିନକୁ ୨ହଜାରରୁ ଅଧିକ ପର୍ଯ୍ୟଟକ ଆସୁଥିବା ବେଳେ ଖରା ପାଇଁ ଆଜି ୩୩୦ ଜଣ ଆସିଥିଲେ। ୨୯ ତାରିଖରେ ୩୪୧, ୨୮ରେ ୬୦୦, ୨୭ରେ ୩୮୦ ଓ ୨୬ରେ ୩୪୨ ଜଣ ଆସିଥିଲେ।
ସେହିଭଳି ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଥିବା ଆନନ୍ଦବନ ମଧ୍ୟ ପ୍ରଭାବିତ ହୋଇଛି। ଖୋଲିବାର ୧୮ ଦିନରେ ୨୦ ହଜାର ଲୋକ ବୁଲିଥିବା ଆନନ୍ଦବନରେ ଆଜି ୪୭୧ ଜଣ ଆସିଥିଲେ। ୨୨ ତାରିଖରୁ ଏଠାକୁ ଲୋକସଂଖ୍ୟା କମିବାରେ ଲାଗିଥିଲା। ୨୨ ତାରିଖରେ ୨୮୫୨, ୨୩ ଓ ୨୪ରେ ୬୬୮ଲେଖାଏ, ୨୫ରେ ୬୨୦, ୨୬ରେ ୫୩୨, ୨୭ରେ ୭୯୪, ୨୮ରେ ୧୫୬୬ ଓ ଗତକାଲି ୪୨୬ ଜଣ ଆସିଥିଲେ।
ଔଷଧୀୟ ଜ୍ଞାନକେନ୍ଦ୍ରକୁ ଦିନକୁ ଶହେରୁ ଊର୍ଦ୍ଧ୍ବ ପର୍ଯ୍ୟଟକ, ଗବେଷଣା ପାଇଁ ଛାତ୍ରଛାତ୍ରୀ ଆସୁଥିବା ବେଳେ ବିଗତ ୧୦ ଦିନରେ ୨୪୭ ଜଣ ଆସିଛନ୍ତି। ପ୍ରାତଃ ଭ୍ରମଣ ପାଇଁ ଦୈନିକ ଆସୁଥିବା ୩୦୦ ଜଣଙ୍କ ମଧ୍ୟରୁ ୨୦୦ ଆସୁଛନ୍ତି। ସେହିପରି ଗହଳି ଲାଗି ରହୁଥିବା ରାଜାରାଣୀ ମନ୍ଦିର, ଏକାମ୍ର କାନନ, କଳାଭୂମି ଭଳି ପ୍ରମୁଖ ସ୍ଥାନରେ ଲୋକଙ୍କର ଭିଡ଼ ଦେଖାଯାଇ ନାହିଁ।

ଏସି କାମ କରୁନି, ଫ୍ୟାନ୍‌ରୁ ତତଲା ପବନ
ତାପମାତ୍ରା ବୃଦ୍ଧି କାରଣରୁ ଏସିର ବ୍ୟବହାର ବଢ଼ିଛି। କିନ୍ତୁ ସ୍ଥିତି ଏଭଳି ହୋଇଛି ଏସି ଚାଲୁଥିଲେ ବି ଝାଳ ବୋହୁଛି। ଦୀର୍ଘ ସମୟ ଚାଲିଲେ ବି ପୂର୍ବରୁ ଯେଉଁ ପରିମାଣରେ ଘର ଥଣ୍ଡା ହେଉଥିଲା ସେଭଳି ହେଉ ନାହିଁ। ଏଣେ ପଙ୍ଖାରୁ ବାହାରୁ ଥିବା ପବନ ଥଣ୍ଡା କରିବା ବଦଳରେ ଦେହକୁ ତତାଇ ‌ଦେଉଛି।

ଜୀବଜନ୍ତୁ ବି ବର୍ତ୍ତିଲେନି, କଲୋନି ମୁହାଁ ମାଙ୍କଡ଼
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ଜୀବଜନ୍ତୁ ବି ବର୍ତ୍ତୁନାହାନ୍ତି। ବର୍ଷା ହେଉନଥିବାରୁ ପୋଖରୀ, ଜଳାଶୟ, ଚୁଆ ଶୁଖିଗଲାଣି। ବୁଲା କୁକୁର, ଗାଈଗୋରୁଙ୍କ ସମେତ ପକ୍ଷୀମାନେ ବି ଆଉଟୁପାଉଟୁ ହେଉଛନ୍ତି। ଖଣ୍ଡଗିରି-ଉଦୟଗିରି ପାହାଡ଼ରେ ପର୍ଯ୍ୟଟକଙ୍କ ସଂଖ୍ୟା କମିଥିବାରୁ ମାଙ୍କଡ଼ମାନେ ଖାଇବାକୁ ପାଉନାହାନ୍ତି। ବିଗତ ତିନି-ଚାରିଦିନ ହେବ ଆଖପାଖ ଅଞ୍ଚଳରେ ମାଙ୍କଡ଼ମାନେ ପାହାଡ଼ ଛାଡ଼ି ଜନବସତି ମୁହାଁ ହୋଇଛନ୍ତି।

ଏମ୍‌ସ୍‌ରେ ଦିନକୁ ୩, କ୍ୟାପିଟାଲ୍‌ରେ ୨୫ ଅଂଶୁଘାତ ରୋଗୀ
ପ୍ରଚଣ୍ଡ ରୌଦ୍ରତାପ କାରଣରୁ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲା ପାଇଁ ଏମ୍‌ସ୍‌ରେ ଖୋଲା ଯାଇଥିବା ସ୍ବତନ୍ତ୍ର ହିଟ୍ ଷ୍ଟ୍ରୋକ୍ ୟୁନିଟ୍‌ରେ ଦିନକୁ ତିନିଜଣ ରୋଗୀ ଆସୁଛନ୍ତି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଉଛି। କ୍ୟାପିଟାଲ୍‌ହସ୍‌ପିଟାଲ୍‌ରେ ୨୫ ରୋଗୀ ଆସୁଛନ୍ତି। ଏଠାରେ ମଧ୍ୟ ସ୍ବତନ୍ତ୍ର ୟୁନିଟ୍‌ଖୋଲା ଯାଇଛି।

ବିଡିଏର ତ୍ରୁଟି ପାଇଁ ୨ ଘଣ୍ଟା ବିଦ୍ୟୁତ୍‌ କାଟ
ପୋଖରୀପୁଟ୍‌ରେ ବିଡିଏ ଏକ ଶିଶୁ ଉଦ୍ୟାନ ନିର୍ମାଣ କରୁଛି। ଆଜି ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ପାର୍କ କଡ଼ରେ ଥିବା ଏକ ଗଛକୁ କାଟିବା ବେ‌ଳେ ବିଦ୍ୟୁତ ତାରରେ ପଡ଼ିଯିବାରୁ ଟ୍ରାନ୍‌ସ୍‌ଫର୍ମର ପ୍ରଚଣ୍ଡ ଶବ୍ଦ କରିବା ସହ ନିଆଁ ଜଳିଥିଲା। ସମଗ୍ର ଅଞ୍ଚଳରୁ ବିଦ୍ୟୁତ ବିଚ୍ଛିନ୍ନ ହୋଇଯାଇଥିଲା। ଗଛ କାଟିବା ପୂର୍ବରୁ ବିଡିଏ ଟିପିସିଓଡିଏଲ୍‌କୁ ସୂଚନା ଦେଇନଥିବାରୁ କର୍ମଚାରୀମାନେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମରାମତି କରିବାକୁ ପ୍ରାୟ ଦୁଇଘଣ୍ଟା ଲାଗିଥିଲା। ୪୬ ଡିଗ୍ରି ତାପମାତ୍ରାକୁ ଦୁଇଘଣ୍ଟା ବିଦ୍ୟୁତ ବିଚ୍ଛିନ୍ନ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା। ସ୍ଥାନୀୟ ଲୋକେ ଘେରିବାରୁ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ବିଡିଏ ଠିକାଦାର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

୭ରୁ ତାତିରୁ ମିଳିବ ନିସ୍ତାର
ଆସନ୍ତା ଦୁଇ ଦିନ ଧରି ଜାରି ରହିବାକୁ ଥିବା ଏଭଳି ଗ୍ରୀଷ୍ମପ୍ରବାହ ରାଜଧାନୀବାସୀଙ୍କୁ କଲବଲ କରିବ। ୭ ତାରିଖ ଆଡ଼କୁ ତାପମାତ୍ରାରେ ଆଖିଦୃଶିଆ ପରିବର୍ତ୍ତନ ଆସିବା ସହ ବର୍ଷା ହେବାର ସମ୍ଭାବନା ରହିଛି।

ଚନ୍ଦ୍ରଶେଖରପୁର: ରାଜଧାନୀକୁ ଲାଗିରହିଥିବା ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ନିଆଁ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଆଜି ଅପରାହ୍ଣ ୧ଟା ୩୦ରୁ ୨ଟା ମଧ୍ୟରେ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଆଇ) ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଚନ୍ଦକା ବନ୍ୟପ୍ରାଣୀ ଡିଭିଜନ୍‌ର ୧୩ଟି ସ୍ଥାନରେ ଜଙ୍ଗଲ ଜଳୁଛି। କ୍ଷୟକ୍ଷତି ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ରିପୋର୍ଟ ଆସି ନ ଥିଲେ ମଧ୍ୟ ବହୁ ଗଛ ଜଳିପୋଡ଼ି ପାଉଁଶ ହୋଇଥିବା ସୂଚନା ମିଳିଛି।
ତଥ୍ୟ ଅନୁଯାୟୀ ଚନ୍ଦକା ରେଞ୍ଜର ଅଧିକ ସ୍ଥାନରେ ନିଆଁ ଲାଗିଛି। ରେଞ୍ଜର ୧୫ଟି ସ୍ଥାନରେ ଚିହ୍ନଟ ହୋଇଥିବା ନିଆଁ ମଧ୍ୟରୁ କୁମାରଖୁଣ୍ଟି ବିଟ୍‌ରେ ସର୍ବାଧିକ ନିଆଁ ଲାଗିଥିବା ଜଣାପଡ଼ିଛି। ଏହା ବ୍ୟତୀତ ଚନ୍ଦକା ରେଞ୍ଜର କଣ୍ଟାବାଡ଼ ବ୍ଲକର ଡେରାସ ବିଟ୍‌ରେ ୩ଟି, ଝୁମୁକା ଦକ୍ଷିଣ ବିଟ୍‌ର ୨ଟି, କଣ୍ଟାବାଡ ବ୍ଲକ ବିଟ୍‌, ଗୋଡିବାରି ବ୍ଲକର ଭୋଳା ବିଟ୍‌ରେ ୪ଟି, ଚନ୍ଦକା ବ୍ଲକର କୁଜିମହଲ, ହଳଦିଆ ରେଞ୍ଜର ମେଣ୍ଡାଶାଳ ବ୍ଲକର ଜଳରା ବ୍ଲକ, ଡମପଡ଼ା ରେଞ୍ଜର ଗୟଳବାଙ୍କ ବିଟ୍‌ର ୪ଟି, ପିଠାଖିଆ ବିଟ୍‌ର ୩ଟି ସ୍ଥାନରେ ଜଙ୍ଗଲ ଜଳୁଥିଲା। ହଳଦିଆ ରେଞ୍ଜରେ ଆଜି ପ୍ରଥମ ଥର ପାଇଁ ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି। ବନାଗ୍ନି ଲିଭାଇବାକୁ ବନ ବିଭାଗ ଅଧିକାରୀମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ସନ୍ଧ୍ୟା ସୁଦ୍ଧା କେତେକ ସ୍ଥାନରେ ଜଙ୍ଗଲ ନିଆଁ ଆୟତ୍ତକୁ ଆସିପାରିଛି। ଦୁଇଟି ସ୍ଥାନରେ ବଡ଼ଧରଣର ବନାଗ୍ନି ଲାଗିଥିବାରୁ ପରିସ୍ଥିତି ଆଗକୁ ଭୟଙ୍କର ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି; ଏପ୍ରିଲ ପହିଲାରୁ ଆଜି ପର୍ଯ୍ୟନ୍ତ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ୩୩ଟି ସ୍ଥାନରେ ନିଆଁ ଲାଗିସାରିଲାଣି। ଡମପଡ଼ା ରେଞ୍ଜରେ ସର୍ବାଧିକ ୨୦ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଚନ୍ଦକା ରେଞ୍ଜରେ ୧୭ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ହଳଦିଆ ରେଞ୍ଜରେ ଆଜି ସୃଷ୍ଟି ହୋଇଥିବା ବନାଗ୍ନିକୁ ନିୟନ୍ତ୍ରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ବର ରେଞ୍ଜରେ ଆଜି ପର୍ଯ୍ୟନ୍ତ କୌଣସି ନିଆଁ ଲାଗି ନ ଥିବା ଏଫ୍‌ଏସ୍‌ଆଇ ତଥ୍ୟ ଦେଇଛି। ୨୦୨୧ ନଭେମ୍ବର ପହିଲାରୁ ଆଜି ସୁଦ୍ଧା ଏହି ଅଭୟାରଣ୍ୟର ୧୨୭ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଥିଲା।

ସମ୍ବନ୍ଧିତ ଖବର