ମାୟୋପିଆ ବା ସମୀପ ଦୃଷ୍ଟିଦୋଷ ହେଉଛି ଏପରି ଏକ ଚକ୍ଷୁରୋଗ ଯେଉଁଥିରେ ପାଖରେ ଥିବା ବସ୍ତୁ ସ୍ପଷ୍ଟ ଦେଖାଯାଏ, ମାତ୍ର ଦୂର ବସ୍ତୁ ଠିକ୍ରେ ଦେଖାଯାଏ ନାହିଁ। କିଛି ଦଶନ୍ଧି ହେଲା ଏ ପ୍ରକାର ଦୃଷ୍ଟିଦୋଷ ଅତି ସାଧାରଣ ହୋଇପଡ଼ିଛି, ଫଳରେ ଏହା ବିଭିନ୍ନ ଦେଶରେ ଏକ ସ୍ଥାୟୀ ରୋଗ ପାଲଟିଲାଣି ବୋଲି ବିଶେଷଜ୍ଞମାନେ କହୁଛନ୍ତି।
୨୦୦୦ ମସିହାରେ ବିଶ୍ବ ଜନସଂଖ୍ୟାର ମାତ୍ର ୨୩% ଲୋକ ସମୀପ ଦୃଷ୍ଟିଦୋଷର ଶିକାର ହୋଇଥିଲେ। ଲୋକଙ୍କ ଠାରେ ଦୃଷ୍ଟିଦୋଷର ଏହି ଧାରା ବଜାୟ ରହିଲେ ୨୦୫୦ ବେଳକୁ ପ୍ରାୟ ଅର୍ଦ୍ଧେକ ଲୋକଙ୍କୁ ମାୟୋପିଆ ହୋଇଥିବ ବୋଲି ଆକଳନ କରାଯାଏ। ବିଶେଷ କରି ଛୋଟ ପିଲାଙ୍କ ଠାରେ ଏହା ବେଶୀ ଦେଖାଦେଇଥାଏ। ନିକଟରେ ସଂପନ୍ନ ହୋଇଥିବା ଦୁଇଟି ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି ଯେ, ଆମେ ଅଧିକ ସମୟ ଫୋନ୍ ପରଦା, ବହି କି ଡ୍ରଇଁ ଖାତା ପରି କୌଣସି ବସ୍ତୁ ଉପରେ ଲଗାତାର ଦୃଷ୍ଟି ନିବଦ୍ଧ କଲେ ଏହି ଦୃଷ୍ଟିଦୋଷ ହେବାର ଆଶଙ୍କା ଥାଏ। ବିଶେଷ କରି ମୁହଁଠାରୁ ବାହୁ ଦୂରତା ଭିତରେ କୌଣସି ବସ୍ତୁକୁ ଦେଖିବାରେ ଅଧିକ ସମୟ ବିତାଇଲେ ଏପରି ହୋଇଥାଏ।
୨୦୦୦ ମସିହାରେ ବିଶ୍ବ ଜନସଂଖ୍ୟାର ମାତ୍ର ୨୩% ଲୋକ ସମୀପ ଦୃଷ୍ଟିଦୋଷ ଭୋଗୁଥିଲେ। ୨୦୫୦ ମସିହା ବେଳକୁ ପ୍ରାୟ ଅର୍ଦ୍ଧେକ ଲୋକଙ୍କୁ ମାୟୋପିଆ ହୋଇଥିବ ବୋଲି ଆକଳନ କହୁଛି
ସେହିପରି ବନ୍ଦ କୋଠରି ଭିତରେ ବା ଅନ୍ଧାରରେ ଅଧିକ ସମୟ ବିତାଉଥିବା ପିଲାଙ୍କ ଠାରେ ମାୟୋପିଆ ଦେଖାଦେବାର ଆଶଙ୍କା ବାହାରେ ଖେଳାବୁଲା କରୁଥିବା ପିଲାଙ୍କ ତୁଳନାରେ ଚାରିଗୁଣା ଅଧିକ ବୋଲି ୨୦୨୨ରେ ହୋଇଥିବା ଅନ୍ୟ ଏକ ଗବେଷଣାରୁ ଜଣାଯାଇଛି। ତେବେ ବିଶ୍ବସ୍ତରରେ ମାୟୋପିଆ ରୋଗୀଙ୍କ ସଂଖ୍ୟା ଏପରି ହୁ ହୁ ହୋଇ ବଢ଼ିବା ପଛରେ ଅନ୍ୟ ଏକ କାରଣ ରହିଛି। ତାହା ହେଲା ବିଗତ ୫୦ ବର୍ଷ ଭିତରେ ପୂର୍ବ ଏସୀୟ ଦେଶମାନଙ୍କରେ ଦେଖାଦେଇଥିବା ଦ୍ରୁତ ପ୍ରଗତି ଓ ଶିଳ୍ପାୟନ। ଯୁବବର୍ଗ ପଢ଼ିବା ଓ ଅନ୍ୟାନ୍ୟ କାର୍ଯ୍ୟରେ ଅଧିକ ସମୟ ବିତାଉଛନ୍ତି ଏବଂ ଖୁବ୍ କମ୍ ସମୟ ବାହାରେ କଟାଉଛନ୍ତି। ଠିକ୍ ସମୟରେ ରୋଗ ନିରୂପଣ କରି ଚିକିତ୍ସା ଆରମ୍ଭ କରିପାରିଲେ ଏହାର ସଫଳ ପ୍ରତିକାର ଅଥବା ଦୃଷ୍ଟିଶକ୍ତି ଅଧିକ ଖରାପ ହେବାରୁ ରୋକାଯିବା ସମ୍ଭବ। ପ୍ରାରମ୍ଭିକ ଅବସ୍ଥାରେ ଆଖି ପରୀକ୍ଷା କରାଇ ଆବଶ୍ୟକ ଲେନ୍ସର ଚଷମା ବା କଣ୍ଟାକ୍ଟ ଲେନ୍ସ ଲଗାଇ ସମୀପ ଦୃଷ୍ଟିଦୋଷ ଦୂର କରାଯାଇପାରୁଛି। ଉଚ୍ଚମାନର ସମୀପ ଦୃଷ୍ଟିଦୋଷ ଭୋଗୁଥିବା ଲୋକମାନେ ଦୃଷ୍ଟିହୀନତା ଓ ଅନ୍ୟାନ୍ୟ ଚକ୍ଷୁ ସମସ୍ୟା ଭୋଗିବାର ଆଶଙ୍କା ରହିଥାଏ।