ଭଲ ନିଦ ପାଇଁ ‘ନିଦ୍ରା ବିଚ୍ଛେଦ’

ଆଜିକାଲି ଦମ୍ପତିଙ୍କ ଭିତରେ ‘ନିଦ୍ରା ବିଚ୍ଛେଦ’ ବା ‘ସ୍ଲିପ୍‌ ଡିଭୋର୍ସ’ ନାମକ ଏକ ଧାରାର ଗ୍ରହଣୀୟତା ବଢ଼ିବାରେ ଲାଗିଛି। ଶୟନ ବ୍ୟବସ୍ଥା ସହ ଜଡ଼ିତ ଏହା ଏପରି ଏକ ଅବସ୍ଥା, ଯେଉଁଥିରେ ଉଭୟ ଜୀବନସାଥୀ ନାନା କାରଣରୁ ଗୋଟିଏ ଶଯ୍ୟାରେ ଏକାଠି ନଶୋଇ ଭିନ୍ନ ଶଯ୍ୟା ତଥା ଶୟନକକ୍ଷ ଆପଣେଇବାକୁ ପସନ୍ଦ କରୁଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି। ସମ୍ପର୍କରେ କୌଣସି ତିକ୍ତତା ବା ବୈବାହିକ ସମସ୍ୟା ଯୋଗୁଁ ଯେ ସେମାନେ ଏପରି କରୁଛନ୍ତି ତାହା ନୁହେଁ, ବରଂ ଉଭୟଙ୍କର ଶୟନ ଶୈଳୀ, ଶୟନସୂଚୀ ଓ ଶୟନ ଅଭ୍ୟାସରେ ରହିଥିବା ପାର୍ଥକ୍ୟ ଯୋଗୁଁ ‘ନିଦ୍ରା ବିଚ୍ଛେଦ’କୁ ଗ୍ରହଣ କରୁଛନ୍ତି। କାରଣ ଅଲଗା ଶୋଇବା ଦ୍ବାରା ଜଣେ ଅନ୍ୟ ଜଣଙ୍କର ଶୟନରେ ବ୍ୟାଘାତ ସୃଷ୍ଟି କରିବାର ଆଶଙ୍କା ରହୁନାହିଁ। ତେବେ ନିବିଡ଼ ସମ୍ପର୍କ ଭିତରେ ଉତ୍ତମ ଆପୋସ ବୁଝାମଣା ସହ ‘ସ୍ଳିପ୍‌ ଡିଭୋର୍ସ’ ଆପଣେଇବା ବୟସ୍କ ଦମ୍ପତିଙ୍କ ପାଇଁ ସୁସ୍ଥ ସମାଧାନ ବୋଲି ମତ ପ୍ରକାଶ ପାଇଛି।

ବିଭିନ୍ନ କାରଣରୁ ସ୍ବାମୀ ଓ ସ୍ତ୍ରୀଙ୍କ ଶୟନ ସୂଚୀ, ଶୈଳୀ ଓ ଅଭ୍ୟାସରେ ପାର୍ଥକ୍ୟ ରହୁଛି। ଏଥିଲାଗି ଆପୋସ ବୁଝାମଣା ସହ ‘ନିଦ୍ରା ବିଚ୍ଛେଦ’ ଏକ ସୁସମାଧାନ ବୋଲି ମତ ପ୍ରକାଶ ପାଇଛି…

ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କ ଶୋଇବା ସମୟରେ ତାଳମେଳ ରହିବା ଦିନକୁ ଦିନ କଷ୍ଟକର ହେଉଛି। ଜଣେ ରାତି ଅନିଦ୍ରା ହେବାକୁ କିମ୍ବା ବିଳମ୍ବରେ ନିଦ୍ରା ଯିବାକୁ ପସନ୍ଦ କରୁଥିବା ବେଳେ ଜଣେ ଶୀଘ୍ର ଶଯ୍ୟା ଯିବାକୁ ବ୍ୟଗ୍ର ହୋଇଥା’ନ୍ତି। ଫଳରେ ନିୟମିତ ଶୟନ ସମୟ ସୂଚୀରେ ଉଭୟଙ୍କର ବିବାଦ ଦେଖାଦେଇଥାଏ। ସେହିପରି ଜଣଙ୍କର ଗାଢ଼ ନିଦରେ ଖୁବ୍‌ ଜୋର୍‌ରେ ଘୁଙ୍ଗୁଡ଼ି ମାରିବାର ଅଭ୍ୟାସ ଥିଲେ ଅନ୍ୟ ଜଣକର ନିଦ ଭାଙ୍ଗିଯିବା ସ୍ବାଭାବିକ। ତେଣୁ ବିଶ୍ରାମ ପାଇଁ ଉଭୟ ପରସ୍ପରଠାରୁ ଅଲଗା ଶୟନ ବ୍ୟବସ୍ଥା ବାଛିନେବା ଠିକ୍‌ ହେବ। ସେହିପରି ଜଣେ ଟିକେ ଉଷ୍ମ ପରିବେଶରେ ଶୋଇବାକୁ ପସନ୍ଦ କରୁଥିବା ବେଳେ ଅନ୍ୟ ଜଣଙ୍କର ଟିକେ ଶୀତୁଆ ପରିବେଶ ଦରକାର ପଡ଼ିଥାଏ। ସୁତରାଂ ଉଭୟଙ୍କ ପାଇଁ ଏକାଠି ଶୋଇବା ଆଦୌ ଆରାମଦାୟକ ହୋଇନପାରେ। ଆଉ ଏକ ବଡ଼ ଅସୁବିଧା ନିଦ୍ରାବସ୍ଥାରେ ଗଡ଼େଇତଡ଼େଇ ହେବା। ଜଣେ ନିଜର ଶାରୀରିକ ପୀଡ଼ା ଯୋଗୁଁ ଏପରି କରୁଥାଇପାରେ, ମାତ୍ର ତାହା ଦ୍ବାରା ସେ ଶଯ୍ୟାର ସିଂହଭାଗକୁ ବ୍ୟବହାର କରୁଥିବା ବେଳେ ସାଥୀ ଜଣକ ଅନନ୍ୟୋପାୟ ହୋଇ କଡ଼ରେ ଜାକିଜୁକି ହୋଇ ରହିବାକୁ ବାଧ୍ୟ ହୁଏ। ଏ ପ୍ରକାର ‘ନିଦ୍ରା ବିଚ୍ଛେଦ’ ହୁଏତ କାହାକୁ ଅଣପାରମ୍ପରିକ ଲାଗୁଥାଇପାରେ, ମାତ୍ର ପତିପତ୍ନୀଙ୍କ ସୁଖନିଦ୍ରା ପାଇଁ ଏହା ଏକ ଉତ୍ତମ ସମାଧାନ। ସେଥିପାଇଁ ଉଭୟ ଉଦାର ହୃଦୟରେ ପରସ୍ପର ସହ ନିଜର ନିଦ୍ରା ଅଭ୍ୟାସ ଓ ସମସ୍ୟା ବାବଦରେ ଆଲୋଚନା କରି ଭିନ୍ନ ଶଯ୍ୟା, ଆବଶ୍ୟକ ସ୍ଥଳେ ଭିନ୍ନ ଶୟନକକ୍ଷର ବ୍ୟବସ୍ଥା କରିବା ଉଚିତ ବୋଲି ଗବେଷକ ମତ ରଖିଛନ୍ତିି।

ସମ୍ବନ୍ଧିତ ଖବର