ସହରୀ ଭୋଟରଙ୍କୁ ବୁଥ୍‌କୁ ଆଣିବାକୁ ଉଦ୍ୟମ: ‘ଗଣତନ୍ତ୍ର ବ୍ୟବସ୍ଥା ପ୍ରଭାବିତ ହେଉଛି’

‘ସଚେତନତା ପାଇଁ ଆଖିଦୃଶିଆ ଉଦ୍ୟମ ହେଉନି’

ଭୁବନେଶ୍ବର: ଭୁବନେଶ୍ବର ଓଡ଼ିଶାର ରାଜଧାନୀ। ସର୍ବାଧିକ ଶିକ୍ଷିତ ଲୋକ ଏଠାରେ ରହୁଛନ୍ତି। କିନ୍ତୁ ଗଣତନ୍ତ୍ରର ମହାପର୍ବ ନିର୍ବାଚନରେ ମତଦାନ ୫୦% ଛୁଉଁନି। ଏହାକୁ ନେଇ ବିଭିନ୍ନ ମହଲରେ ଚିନ୍ତାପ୍ରକଟ ହୋଇଛି। ସହରୀ ଭୋଟର୍‌ଙ୍କୁ ସଚେତନ କରିବାକୁ ବିଏମ୍‌ସି ଅଣ୍ଟା ଭିଡ଼ିଛି। ସେମାନଙ୍କ ଭିତରେ କିପରି ମତଦାନ ପ୍ରତି ଆଗ୍ରହ ସୃଷ୍ଟି ହେବ, ସେଥି ପାଇଁ ଲଗାତର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ଯୋଜନା ସ୍ଥିର ହୋଇଛି। ସୋସିଆଲ୍‌ ମିଡିଆରେ ପ୍ରଥମ କରି ଭୋଟ୍‌ ଦେବାକୁ ଯାଉଥିବା ଓ ବୟସ୍କ ଭୋଟରଙ୍କ ଜରିଆରେ ମତଦାନ କରି ଏହି ଉତ୍ସବକୁ ସଫଳ କରିବାକୁ ନିବେଦନ କରୁଛି।

ବିଭିନ୍ନ ସମ୍ପଦ କେନ୍ଦ୍ର‌ରେ କାମ କରୁଥିବା ନୂଆ ଭୋଟର ଓ ବୟସ୍କ ଭୋଟର ଭିଡିଓ ବାର୍ତ୍ତା ମାଧ୍ୟମରେ ଅନ୍ୟମାନଙ୍କୁ ଭୋଟ ଦେବାକୁ ଅନୁରୋଧ କରୁଥିବା ଦେଖାଯାଇଛି। ହାତିଆସୁଣୀ ସମ୍ପଦ ‌କେନ୍ଦ୍ର ପ୍ଲାଣ୍ଟ ପରିଚାଳିକା ଦୀପିକା ମହାପାତ୍ର, ଲକ୍ଷ୍ମୀସାଗର ପ୍ଲାଣ୍ଟ ପରିଚାଳିକା ମୋନାଲିସା ନାୟକ ଓ ଭରତପୁର ସମ୍ପଦକେନ୍ଦ୍ରରେ କାମ କରୁଥିବା ବରିଷ୍ଠ କର୍ମଚାରୀ ନିର୍ମଳା ନାୟକ ପ୍ରମୁଖ ମତଦାନ ପାଇଁ ସଚେତନତା ସୃଷ୍ଟି କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସେମାନଙ୍କର ଏହି ନିବେଦନ ବିଭିନ୍ନ ମହଲରେ ଗ୍ରହଣୀୟ ହୋଇପାରିଛି। ଆଗକୁ ଏହିପରି କିଛି ଅଭିନବ ପଦକ୍ଷେପ ନେବାକୁ ବିଏମ୍‌ସି ଯୋଜନା କରିଛି। ମତଦାନ ପ୍ରତି ସହରୀ ଲୋକଙ୍କର ଏପରି ଅନାଗ୍ରହ ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରତି ଆଦୌ ଶୁଭଙ୍କର ନୁହେଁ ବୋଲି ମତପ୍ରକାଶ ପାଉଛି। ଅନ୍ୟପଟେ ମତଦାନ ହାର କମିବା ଯୋଗୁ ଯେଉଁ ଟ୍ରେଣ୍ଡ ସୃଷ୍ଟି ହୋଇଛି ତାହା ଗଣତନ୍ତ୍ରକୁ ବିପଦ ‌ବୋଲି ବିଶ୍ଳେଷକମାନେ କହିଛନ୍ତି। ଭାରତର ନିର୍ବାଚନ କମିସନଙ୍କ ପୂର୍ବତନ ସ୍ବତନ୍ତ୍ର ଉପଦେଷ୍ଟା ଭଗବାନ ପ୍ରକାଶ କହିଛନ୍ତି, ଶିକ୍ଷିତ ଭୋଟରମାନେ ଯଦିଓ ସେମାନେ ଗଣତନ୍ତ୍ରର ସମସ୍ତ ସୁବିଧା ଉପଭୋଗ କରୁଛନ୍ତି, କିନ୍ତୁ ଏହି ମତଦାନ ପ୍ରକ୍ରିୟାରେ ଭାଗ ନେଉ ନାହାନ୍ତି। ପ୍ରାର୍ଥୀଙ୍କ ଯୋଗ୍ୟତା ହେଉ ବା ରାଜନୈତିକ ଦଳର ପଲିସି ଅନେକଙ୍କୁ ପସନ୍ଦ ଆସୁନାହିଁ। ଏହି ଭୋଟରଙ୍କୁ ଲାଗୁଛି କି ପ୍ରାର୍ଥୀମାନେ ପଇସା ଖର୍ଚ୍ଚ କରି ‌ଭୋଟ୍‌ କିଣିନେବେ। ତିନି ଜଣ ନେତାଙ୍କ ମଧ୍ୟରୁ ୨ ଜଣଙ୍କୁ ୩୦ ପ୍ରତିଶତ ଲେଖାଏଁ ଭୋଟ ମିଳିଥିବା ବେଳେ ଅନ୍ୟଜଣେ ୩୫ପ୍ରତିଶତ ଭୋଟ ପାଇ ଜିତି ଯାଉଛି। ଏଣୁ ସ୍ଥିତି ଏଭଳି ହେଉଛି ଯେଉଁଠି ସର୍ବାଧିକ ଭୋଟର ଯାହାକୁ ଭୋଟ୍‌ ଦେଇ ନାହାନ୍ତି ‌ସେ ହିଁ ଜିତୁଛି। ଫଳରେ ପୂରା ଗଣତନ୍ତ୍ର ବ୍ୟବସ୍ଥା ପ୍ରଭାବିତ‌ ହେଉଛି। ଏଥିପାଇଁ ବ୍ୟାପକ ପ୍ରଚାର ପ୍ରସାର ସହ ଯୁବ ଓ ଶିକ୍ଷିତ ଭୋଟରମାନେ କିଭଳି ବୁଥ୍‌କୁ ଆସିବେ ସେ ନେଇ ବ୍ୟବସ୍ଥା ହେବା ଜରୁରୀ। ଏହା ସହ ନିର୍ବାଚନ ସଂସ୍କାରର ଆବଶ୍ୟକତା ଅଛି। ଯେଉଁ ପୁରୁଣା ଢଙ୍ଗରେ ସଚେତନତା ହେଉଛି ତାହା ପର୍ଯ୍ୟାପ୍ତ ହେଉ ନାହିଁ।

ସେହିଭଳି ଓଡ଼ିଶା ଇଲେକ୍ସନ ୱାଚ୍‌ର ସଂଯୋଜକ ରଞ୍ଜନ ମହାନ୍ତି କହିଛନ୍ତି, ଅଧିକାଂଶ ଯୁବ ଓ ଶିକ୍ଷିତ ଭୋଟର ହିଁ ଏହି ପ୍ରକ୍ରିୟାରୁ ବାଦ୍‌ ପଡ଼ୁଛନ୍ତି। ସେମାନଙ୍କୁ ସାମିଲ କରିବାକୁ ଆଖିଦୃଶିଆ ଉଦ୍ୟମ ହୋଇ ନାହିଁ। ସେମାନେ କାହିଁକି ଆସୁନାହାନ୍ତି ସେ ନେଇ କୌଣସି ସ୍ତରରେ କାରଣ ଖୋଜା ଯାଇନି। ସେମାନେ ଦେଖୁଛନ୍ତି ଭୋଟ୍‌ ଦେଲେ ଯାହା ହେବା କଥା ଭୋଟ୍‌ ନ ଦଲେ ବି ସେୟା ହେଉଛି। କିନ୍ତୁ ସେମାନେ ଭୋଟ୍‌ ଦେଲେ ଯେ ସେମାନେ ଚାହୁଥିବା ପରିବର୍ତ୍ତନ ହୋଇପାରିବ ତାହା ସେମାନେ ହୃଦୟଙ୍ଗମ କରି ପାରୁନାହାନ୍ତି। ‌ସହରରେ କିଛି ଭୋଟର ରହୁଛନ୍ତି ଯେଉଁମାନେ ଭୋଟ୍‌ ଦେବା ଦିନକୁ ଛୁଟି ଭାବି ଗାଁରେ ସମୟ କାଟୁଛନ୍ତି। କେତେକଙ୍କର ଉଭୟ ପଟରେ ଭୋଟର ତାଲିକାରେ ନାଁ ରହୁଥିବାରୁ ସେମାନେ ସହରରେ ହେଉଥିବା ମତଦାନ ପ୍ରକ୍ରିୟାରେ ସାମିଲ ହେଉନାହାନ୍ତି। କିଛି ଯୁବପିଢ଼ି ବାହାରେ ଚାକିରି କରୁଥିବାରୁ ଏହି ପ୍ରକ୍ରିୟାରେ ସାମିଲ ହେଉନାହାନ୍ତି। ଏଣୁ ଏଥିପାଇଁ କେବଳ ନିର୍ବାଚନ ବେଳେ ନୁହେଁ, ବରଂ ବର୍ଷ ସାରା ସଚେତନତାର ଆବଶ୍ୟକତା ରହିଛି। କିନ୍ତୁ ଏବେ ଏହି ଟ୍ରେଣ୍ଡ ଏବେ ବଦଳିବା ଆରମ୍ଭ କରିଛି। ନୂଆ ଭୋଟରମାନେ ଭୋଟ୍‌ ଦେବାକୁ ଆସୁଥିବା ଦେଖାଦେଇଛି।

ସମ୍ବନ୍ଧିତ ଖବର