ନକ୍ସଲ ନେତା ରାଜୁର ଆତ୍ମସମର୍ପଣକୁ ନିନ୍ଦା କର: ମାଓ ସଚିବ ଗଙ୍ଗା

ମାଲକାନଗିରି: ଦକ୍ଷିଣ ବସ୍ତର ଡିଭିଜନର ସଚିବ ଗଙ୍ଗା ମଙ୍ଗଳବାର ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ଗତ କିଛି ଦିନ ତଳେ ଆନ୍ଧ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ମାଓ ନେତା ରାଜୁ ଅରଫ ମୁଥଲେଶୀ କୁହରାମୀକୁ ନେଇ ମାଓ ସଂଗଠନ ଉଗ୍ରରୂପ ନେଇଛି। ସ୍ବାର୍ଥବାଦୀ, ଭୟାଳୁ ଓ ଗଦ୍ଦାର ରାଜୁର ଆତ୍ମସମର୍ପଣକୁ ନିନ୍ଦା କରିବାକୁ ଆହ୍ବାନ କରାଯାଇଛି। ସୁକମା ଜିଲ୍ଲା ଅନ୍ତର୍ଗତ କୋଣ୍ଟା ବ୍ଲକର ଗଗନପାଲ୍ଲୀ ଗ୍ରାମର ବାସିନ୍ଦା ହେଉଛି ରାଜୁ। ଗତ ୧୭ ବର୍ଷ ଧରି ପାର୍ଟିରେ ରହି ବହୁ ପଦପଦବିର ଅଧିକାରୀ ହୋଇଥିଲା। ଗତ ଏପ୍ରିଲ ୩ ତାରିଖରେ ପୁଲିସର ଚଢ଼ଉକୁ ଡରିଯାଇ ଦଳ ଛାଡି ଚାଲିଯାଇଥିଲା। ରାଜୁର ପତ୍ନୀ କମଲା ସମେତ ଅନ୍ୟ ଚାଲି ଜଣ ମଧ୍ୟ ଦଳ ଛାଡିଥିଲେ। ସେ ଗତ କିଛି ମାସ ହେଲା କାମ କରିପାରୁନଥିଲା। ଶତ୍ରୁକୁ ଏତେ ଭୟ କରୁଥିଲା ଯେ ସେ ସଂଗଠନର କୌଣସି କାମକୁ ଠିକ ରୂପେ କରିପାରୁନଥିଲା। ତାଂକୁ ସଂଗଠନ ବହୁତ ସହଯୋଗ କରିଆସୁଥିଲା। ସେ କୌଣସି କାମ ନକରି ଶତ୍ରୁର ଗୋଟି ଚାଳନା ଉପରେ ତୀକ୍ଷଣ ନଜର ରଖୁଥିଲା। ଲୋକଙ୍କର କାମ କରିପାରୁନଥିଲା। ଶତ୍ରୁ କେତେବେଳେ ହମଲା କରି ତାଂକୁ ମାରିଦେବ ସେହି ଭୟ ରହିଥିଲା। ଲୋକଙ୍କର ଜଳ, ଜଂଗଲ ଓ ଜମି ପାଇଁ କାମ କରୁଥିବା ମାଓ ସଂଗଠନର କାମ ନକରି ଗଦ୍ଦାର କାମ କରୁଥିଲା। ଲୋକଙ୍କ ସହ ବିଶ୍ବାସଘାତକତା କଲା।

ଆତ୍ମସମର୍ପଣ ପରେ ପୁଲିସ ନିକଟରେ ମାଓ ସଂଗଠନର ସମସ୍ତ ଗୁମର ଖୋଲିଦେଲା। ଏପରିକି ସଂଗଠନ ତରଫରୁ ଅସ୍ତ୍ରଶସ୍ତ୍ର ଲୁକ୍କାୟତ ଅବସ୍ଥାରେ ରଖାଯାଇଥିବା ଡମ୍ପଗୁଡିକକୁ ମଧ୍ୟ ପୁଲିସକୁ ଦେଖାଇ ଦେଇଥିଲା। ଏପରିକି ମାଓବାଦୀଙ୍କ ଗତିବିଧି ଏବଂ କେଉଁ ଗ୍ରାମର କେଉଁ ଲୋକ ନକ୍ସଲମାନଙ୍କୁ ସହଯୋଗ କରୁଛନ୍ତି ସବୁ କହିଥିଲା। ଫଳରେ ପୁଲିସ ସମସ୍ତ ଲୋକଙ୍କୁ ମାରଧର କରିବା ସହ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା। ଏପରିକି ଗତ କିଛି ମାସ ମଧ୍ୟରେ ୨୫୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ମିଥ୍ୟା ତଥ୍ୟ ଅମିତ ସାହାଙ୍କୁ କହିବା ସହ ଅପପ୍ରଚାର ଚଲାଇଲେ, ଯାହାକୁ ମାଓ ସଂଗଠନ ନିନ୍ଦା କରୁଛି।

ପୁଲିସ ବାରମ୍ବାର ଗଣମାଧ୍ୟମରେ ୨ ରୁ ୪ ଜଣ ନକ୍ସଲଙ୍କୁ ଦେଖାଇବା ସହ ଫଟୋ ଉଠାଇ ଆତ୍ମସମର୍ପଣର ବାର୍ତ୍ତା ଦେଉଛନ୍ତି। ରାଜୁ ଭଳି ଗଦ୍ଦାର ସାଥୀ ଆମର ଦରକାର ନାହିଁ। ସେ ସଂଗଠନର କିଛି ଅଂଶ ଜାଣିଛି। କିନ୍ତୁ ସଂଗଠନକୁ ସେ କେବେ ମଧ୍ୟ ବରବାଦ କରିପାରିବ ନାହିଁ। ଆଗକୁ ସଂଗଠନ ସହିଦଙ୍କ ବଳିଦାନକୁ ଅମର କରିବା ସହ ଆଗକୁ ବଢିବ ବୋଲି ସଚିବ ଗଙ୍ଗା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର